
ଜୟପୁର, ୨୮ ଡିସେମ୍ବର (ହି.ସ.)- ଡିସେମ୍ବର ମାସ ବର୍ଷର ଶେଷ ମାସ ।ଏହି ମାସ ଶେଷ ତାରିଖ ଡିସେମ୍ବର ୩୧ ତାରିଖ ପରେ ବଦଳି ଯାଇଥାଏ ପୁରୁଣା ବର୍ଷ, ପାଦ ଥାପିଥାଏ ନୂତନ ବର୍ଷ । ପୁରୁଣା ବର୍ଷ ଅପସରି ଯାଇଥିବା ବେଳେ, ନୂତନ ବର୍ଷକୁ ସ୍ୱାଗତ କରିଥାନ୍ତି ସମଗ୍ର ବିଶ୍ୱବାସୀ । ନୂଆବର୍ଷ ଆସିବା ସପ୍ତାହ ଅବା ଦୁଇ ସପ୍ତାହ ପୂର୍ବରୁ ନିଜର ବନ୍ଧୁ ପରିଜନ, ସହକର୍ମୀ ତଥା ସମ୍ପର୍କୀୟ ମାନଙ୍କୁ ଶୁଭେଚ୍ଛା କାର୍ଡ ଗ୍ରୀଟିଙ୍ଗିସ ମାଧ୍ୟମରେ ସକାରାତ୍ମକ ବାର୍ତା ପଠାଯାଇଥାଏ । ତାହା ପୁଣି ଚଢା ଦାମ୍ ରେ । ପୂର୍ବରୁ କୋରାପୁଟ ଜିଲା ଜୟପୁର, କୋରାପୁଟ, ସେମିଳିଗୁଡା, କୋଟପାଡ, ବୋରିଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ସମେତ ସହର ବଜାରରେ ଥିବା ପ୍ରମୁଖ ଛକ ଓ ବଜାରରେ ସ୍ୱତନ୍ତ୍ର ଭାବେ ଷ୍ଟଲ ପକାଇ ଶୁଭେଚ୍ଛା କାର୍ଡ ଦୋକାନ ପସରା ମେଲାଉଥିଲେ ଅନେକ ଦୋକାନୀ । କୋଲକତା, ରାୟପୁର ଆଦିରୁ ବିଭିନ୍ନ କିସମର ନାମୀଦାମୀ କାର୍ଡ ଗ୍ରାହକ ମାନଙ୍କ ଉଦ୍ଦେଶ୍ୟରେ ବିକ୍ରି ହେଉଥିଲା ।
୫ ଟଙ୍କାରୁ ଆରମ୍ଭ କରି ୫ଶହ ଟଙ୍କା ମୂଲ୍ୟର ଶୁଭେଚ୍ଛା କାର୍ଡକୁ ଆଦରି ନେଉଥିଲେ ଗ୍ରାହକ । ଯାହାକି ଶୁଭେଚ୍ଛା କାର୍ଡ ନୂଆବର୍ଷ ଆଗମନରେ ପ୍ରାକ ସୂଚନା ପ୍ରଦାନ କରୁଥିଲା । ମାତ୍ର ଏବେ ସମୟ ବଦଳିଛି । ହାପି ନ୍ୟୁ ଇୟରର ଶୁଭେଚ୍ଛା କାର୍ଡ ବଜାରରେ ଦେଖିବାକୁ ମିଳୁନାହିଁ । ଶୁଭେଚ୍ଛା କାର୍ଡ ଅଲୋଡ଼ା ହୋଇ ପଡ଼ିଥିବା ବେଳେ, ସୋସିଆଲ ମିଡ଼ିଆ ମାଧ୍ୟ ମରେ ଛାଇଛି ଶୁଭେଚ୍ଛା ବାର୍ତା । କୋରାପୁଟ ଜିଲାରେ ବଜାରରେ ଶୁଭେଚ୍ଛା କାର୍ଡ ଗ୍ରୀଟିଙ୍ଗିସ କାଁଭାଁ କେଉଁଠି ମିଳୁଛି, ଆଜି ସାତ ସପନ ହୋଇଯାଇଛି । ଦୀର୍ଘ ବର୍ଷ ଧରି ବଜାର ବିଭିନ୍ନ ପ୍ରାନ୍ତରେ ଶୋଭା ପାଉଥିଲା ନୂତନବର୍ଷର ଶୁଭେଚ୍ଛା କାର୍ଡ ମାଳମାଳ ଷ୍ଟଲ । ୧୦ ବର୍ଷ ତଳେ ଶୁଭେଚ୍ଛା କାର୍ଡର ଚାହିଦା ସର୍ବାଗ୍ରେ ରହୁଥିଲା, ବିଭିନ୍ନ କିସମର କାର୍ଡ ବିକି ବେଶ ଦୁଇପଇସା ରୋଜଗାର କରି ହେଉଥିଲା, ମାତ୍ର ଏବେ ମୋବାଇଲ ଓ ଇଣ୍ଟରନେଟ ବହୁଳ ପ୍ରଚଳନ ଯୋଗୁଁ ଶୁଭେଚ୍ଛା ବାର୍ତା ବିଭିନ୍ନ ସାମାଜିକ ଗଣମାଧ୍ୟମର ସାହାରା ନେଇ ପଠାଯାଉଛି। ଏଣୁ ଆଉ ଶୁଭେଚ୍ଛା କାର୍ଡ ବଜାରରୁ କିଣିବାକୁ କେହି ପସନ୍ଦ କରୁନାହାନ୍ତି, ନୂଆବର୍ଷ କ୍ୟାଲେଣ୍ଡର ବିଭିନ୍ନ କମ୍ପାନୀର ଓଡ଼ିଆ ପଞ୍ଜିକା, ଡାୟରୀ ଆଦି ବଜାରରେ ଚାହିଦା ରହୁଛି ବୋଲି ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ଡିଜିଟାଲ ସେବାର ବହୁଳ ପ୍ରଚାର ପ୍ରସାର ଫଳରେ ସାମାଜିକ ଗଣମାଧ୍ୟମ ହାତ ଧରି ଭିଡିଓ କ୍ଲିପ, ଇମେଜ, ହ୍ୱାଟ୍ସ ଅପ, ଫେସବୁକ ମେସେଜ ଦ୍ୱାରା ନୂଆବର୍ଷ ବାର୍ତା ପ୍ରେରଣ କରାଯାଉଛି । ଯାହାଦ୍ୱାରା ଅଳ୍ପ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ବ୍ୟକ୍ତି ଜଣକ ନିଜର ପ୍ରିୟ ପରିଜନକୁ ଶୁଭେଚ୍ଛା ବାର୍ତା ଅନାୟସରେ ପ୍ରେରଣ କରି ପାରୁଛି ଜୟପୁର ବାସିନ୍ଦା କହିଛନ୍ତି । ଶୁଭେଚ୍ଛା କାର୍ଡ ଉପରେ ଓଡ଼ିଆ ଅବା ଇଂରାଜୀରେ ବିଭିନ୍ନ ପ୍ରକାର ସାଧୁ ଓ ମହତବାଣୀ ଉଲ୍ଲେଖ ରହୁଥିଲା, ଯାହାକି ପ୍ରତ୍ୟେକଙ୍କ ମନ ଓ ହୃଦୟକୁ ଛୁଇଁ ପାରୁଥିଲା । ମାତ୍ର ଏବେ ତାହା ଏକ ଦିବାସ୍ଵପ୍ନ ହୋଇ ରହି ଯାଇଛି । ନୂଆବର୍ଷ ଆସିବାକୁ ଦୁଇ ଦିନ ବାକି ରହିଥିବା ବେଳେ ଶୁଭେଚ୍ଛା କାର୍ଡର ଚାହିଦା ଯଦିଓ କମିଛି, ହେଲେ ଏହାର ତରିକା ବଦଳି ଯାଇ ମୋବାଇଲ ଅବା ଇଣ୍ଟରନେଟ ମାଧ୍ୟମରେ ନିଜ ପ୍ରିୟଜନ ମାନଙ୍କୁ ଶୁଭେଚ୍ଛା ବାର୍ତା ପ୍ରେରଣ କରିବା ପ୍ରାୟତଃ ଆରମ୍ଭ ହୋଇଯାଇଥିବା ଜଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି