କେନ୍ଦ୍ରାପଡ଼ା, ୨୪ ଫେବୃଆରୀ (ହି.ସ.)- କେନ୍ଦ୍ରାପଡ଼ା ସହର ଉପକଣ୍ଠ ଗୁଲନଗର ଚଟି ପୋଲ ନିକଟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଯେଉଁଥିରେ ଶ୍ରଦ୍ଧାଞ୍ଜଳି ପୃଷ୍ଟି ନାମକ ମହିଳାଙ୍କ ମୃତ୍ୟ ଘଟିଥିବା ବେଳେ ତାଙ୍କର ୮ ବର୍ଷର ଶିଶୁ ପୁତ୍ର ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତି ହୋଇଛି ।
ସୂଚନା ମୁତାବକ, କେନ୍ଦ୍ରାପଡ଼ା ପୌରପାଳିକା ୨୦ ନମ୍ବର ୱାର୍ଡ ମହୀପାଳର ଦୁର୍ବାସା ସାହୁଙ୍କ ବୋହୁ ଶ୍ରଦ୍ଧାଞ୍ଜଳି ପୃଷ୍ଟି ସକାଳୁ ନିଜ ପୁଅକୁ ଗୁରୁକୁଳକୁ ଛାଡିବା ପାଇଁ ସ୍କୁଟି ସାହାଯ୍ୟରେ ଆସୁଥିବା ବେଳେ ଗୁଲନଗର ଚଟିପୋଲ ନିକଟରେ ଦ୍ରୁତ ଗତିରେ କଟକ ଆଡୁ ଆସୁଥିବା ହାଇୱା ଶ୍ରଦ୍ଧାଞ୍ଜଳିଙ୍କ ସ୍କୁଟିକୁ ପଛଆଡୁ ପିଟିଥିଲା ଓ ଶ୍ରଦ୍ଧାଞ୍ଜଳି ଗାଡି ଚକା ତଳେ ପଡ଼ିଯିବା ଫଳରେ ହାଇୱା ଚକ ଶ୍ରଦ୍ଧାଞ୍ଜଳିଙ୍କ ମୁଣ୍ଡ ଉପରେ ସମ୍ପୂର୍ଣ୍ଣ ଭାବେ ଚଢିଯାଇଥିଲା ଓ ଯାହା ଫଳରେ ଶ୍ରଦ୍ଧାଞ୍ଜଳିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସ୍କୁଟିରେ ବସିଥିବା ପୁଅର ଜୀବନ ବଂଚି ଯାଇଥିବା ବେଳେ ହାତ ଗୁଡିକ ଭାଙ୍ଗିଯାଇଛି । ଘଟଣାକୁ ନେଇ ସେଠାରେ ଚାପା ଉତେଜନା ସୃଷ୍ଟି ହେବା ସହ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ ଓ ମୃତକ ପରିବାର କ୍ଷତିପୂରଣ ଦାବି କରିବା ସଙ୍ଗେ ସଙ୍ଗେ ହାଇୱା ଡ୍ରାଇଭରକୁ କଠିନରୁ କଠିନ ଦଣ୍ଡ ଦିଆଯିବା ପାଇଁ ଦାବି କରିଛନ୍ତି । ଘଟଣାସ୍ଥଳରେ ତହସିଲଦାର ଏବଂ ପୋଲିସ ପ୍ରଶାସନ ପହଁଚି ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥାନୀୟ ଲୋକଙ୍କୁ ଶାନ୍ତ ହେବା ପାଇଁ ନିବେଦନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ