ଭଦ୍ରକ, ୨୬ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ସିନ୍ଦୋଳ ପଂଚାୟତ ଅଧୀନ ସେନବାଡ଼ ସ୍ଥିତ ଗୁରୁକୁଳ ଶିକ୍ଷାନିକେତନର ପଂଚଦଶତମ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ଗୁରୁକୁଳ ଶିକ୍ଷାନିକେତନର ପ୍ରଧାନ ଆଚାର୍ଯ୍ୟ ଦୈତାରୀ ଜେନାଙ୍କ ପୌରୋହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଉପ ଅନୁଶିକ୍ଷାଧିକାରୀ ଜୟକୃଷ୍ଣ ନାୟକ, ମୁଖ୍ୟବକ୍ତା ଭାବେ କବି ରବିକୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ସରପଂଚ ସୁପ୍ରଭା ପାଣି, ଶିକ୍ଷାକମିଟି ସଭାପତି ଶିକ୍ଷାବିତ୍ ପଦନ ଚରଣ ନାୟକ ପ୍ରମୁଖ ଯୋଗ ଦେଇ ବିଶ୍ୱ ମାତୃତ୍ୱ ଦିବସ ଉପରେ ଆଲୋକପାତ କରିଥିବା ବେଳେ ଶିଶୁର ଶିକ୍ଷା ଓ ଅନ୍ତର୍ନିହିତ ଗୁଣାବଳୀର ବିକାଶ ଗୁରୁକୁଳ ଶିକ୍ଷାନିକେତନର ସର୍ବବିଧ ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ । ଗୁରୁଜୀ ରଂଜନ କୁମାର ଶୁକ୍ଳ ଅତିଥି ପରିଚୟ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶିକ୍ଷାନିକେତନର ପ୍ରାଚୀରପତ୍ର ‘ଅଙ୍କୁର’କୁ ମୁଖ୍ୟ ଅତିଥି ଶ୍ରୀ ନାୟକ ଉନ୍ମୋଚନ କରି ସମ୍ପାଦକୀୟ ପାଠ କରିଥିଲେ । ଗୁରୁମା ଅନୁସୂୟା ପରିଡ଼ା ୨୧ଜଣ ଦୁଃସ୍ଥ ବୟୋଜ୍ୟେଷ୍ଠ କୃଷକଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ସରପଂଚ ଶ୍ରୀମତୀ ପାଣି ସୁଲେଖକ, ଶିକ୍ଷାବିତ ପ୍ରଭାକର ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରଧାନ ଆଚର୍ଯ୍ୟ ଶ୍ରୀ ଜେନାଙ୍କୁ ଚାଣକ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁରୁମା ପଦ୍ମିନୀ ଜେନା, ଭଗବତୀ ପରିଡ଼ା, ରୂପଶ୍ରୀ ଗୋଚ୍ଛାୟତ, ପ୍ରଭାତୀ ବାରିକ, ଶିବାନୀ ମଳିକ, ଅନୁପମା ପାଣି, ମାମିନାରାଣୀ ଜେନା, ଶାନ୍ତିଲତା ଦତ, ପୁଷ୍ପାରାଣୀ ମଳିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ