ଗଞ୍ଜାମ, ୭ ଅପ୍ରେଲ (ହି.ସ.)- ବ୍ରହ୍ମପୁର ହରିହର ନଗର ଦ୍ଵିତୀୟ ସାରଣୀ ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବିଶ୍ଵ ସ୍ୱାସ୍ଥ୍ୟ ଦିବସରେ ଚିର ସ୍ୱାସ୍ଥ୍ୟ ପାଇଁ ସ୍ଵାସ୍ଥ୍ୟ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ସ୍ୱାସ୍ଥ୍ୟ ହିଁ ସମ୍ପଦ, ସୁସ୍ଥ ରହିଲେ ଧାର୍ମିକ, ଆର୍ଥିକ, ସବୁକାମ ଓ ମୁକ୍ତି ପାଇଁ ସାଧନା କରିପାରିବେ। ସୁସ୍ଥ ରହିବା ପାଇଁ ଆମ ଶରୀରରେ ଥିବା ତିନି ଦୋଷ, ସପ୍ତଧାତୁ ଅଗ୍ନି, ଜଠରାଗ୍ନି, ଏକାଦଶ ଇନ୍ଦ୍ରିୟ ଓ ଆତ୍ମାକୁ ପବିତ୍ର ରଖିବାକୁ ପଡିବ। ଏଥିପାଇଁ ପ୍ରାତଃରୁ ଶଯ୍ୟା ତ୍ୟାଗ କରି ଭ୍ରମଣ, ଯୋଗ, ଆସନ, ପ୍ରାଣାୟାମ କରିବେ । କାୟିକ, ମାନସିକ, ସାମାଜିକ ସଦାଚାର ପାଳନ କରିବେ। ସାତ୍ତ୍ୱିକ ଆହାର ବିହାର ଓ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ପଡିବ।
ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା। ଆଜିର ପ୍ରାୟୋଜିକା ଥିଲେ ସୁଶ୍ରୀ ସୁଜ୍ଞାନୀ ସାହୁ। ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି.ଶ୍ରୀନିବାସ ରାଓ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ