ପ୍ରଚଳିତ ଆଇନର ତର୍ଜମା ଓ ଅଦରକାରୀ ଆଇନ ଉଛେଦ ଦିଗରେ କାର୍ଯ୍ୟ କରିବ ଆୟୋଗ : ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, 7 ଏପ୍ରିଲ୍ (ହି.ସ.)- ଓଡିଶା ରାଜ୍ୟ ବିଧି ଆୟୋଗ କାର୍ଯ୍ୟାଳୟ ଆଜି ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ତୋଷାଳୀ ଭବନ ପରିସରରେ ସ୍ଥାପିତ ଆୟୋଗଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଚଳିତ ଆଇନର ତର୍ଜମା, ପରିବର୍ତନ ଓ ସଂଶୋଧନ କରିବା ଦିଗରେ ସରକାରଙ୍କୁ ପରାମର୍ଶ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏଥିସହ ୧୯୬୯ ମସିହାରେ ଗଠିତ ରାଜ୍ୟ ଆଇନ ସଂଶୋଧନ କମିଟିକୁ ଅଧିକ କାର୍ଯ୍ୟକ୍ଷମ କରିବା ସହ ରାଜ୍ୟର ପ୍ରଚଳିତ ଆଇନ ଏବଂ ସମକାଳିନ ତାଲିକାରେ ଆସୁଥିବା ଆଇନ ଗୁଡିକର ପରିବର୍ତ୍ତନ ଏବଂ ସଂଶୋଧନର ଆବଶ୍ୟକତା କୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଓଡିଶା ରାଜ୍ୟ ବିଧି ଆୟୋଗ ଗଠନ କରିଛନ୍ତି । ଏହା ଓଡିଶା ସରକାର ଙ୍କ ଦ୍ୱାରା ଏକ ଯୁଗାନ୍ତକାରୀ ଓ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଟେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ।
ଏହି ଅବସରରେ, ଆୟୋଗର ଅଧକ୍ଷ, ଶ୍ରୀ ନ୍ୟାୟମୁର୍ତି ବିଶ୍ୱନାଥ ରଥ, ଆୟୋଗରପଦପ୍ରଯୁକ୍ତ ସଦସ୍ୟ ତଥା ମହାଧିବକ୍ତା ଶ୍ରୀ ପିତାମ୍ବର ଆଚାର୍ଯ୍ୟ ଓ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକଙ୍କ ସହିତ ଆୟୋଗର ସଦସ୍ୟ ତଥା ପ୍ରଫେସର ଲଳିତ କୁମାର ଦେବ, ଶ୍ରୀ ସୂର୍ଯ୍ୟ ପ୍ରସାଦ ମିଶ୍ର ଓ ଶ୍ରୀ ସୌର ଚନ୍ଦ୍ର ମହାପାତ୍ର, ଆୟୋଗର ସଦସ୍ୟ ସଚିବ ଶ୍ରୀ ଗଙ୍ଗାଧର ସେଠି ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବାର ଆସୋସିଏସନର ସଭାପତି ଶ୍ରୀ ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଏତଦବ୍ୟତୀତ ବିଧି ଚେତକ ତଥା ସ୍ୱତନ୍ତ୍ର ଶାସନ ସଚିବ, ଶ୍ରୀ ପ୍ରଣବ କୁମାର ପାତ୍ର, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଭଗବାନ ପ୍ରସାଦ ସାହୁ, ଦ୍ୱିତୀୟ ଅତିରିକ୍ତ ୍ୱିଧି ଚେତକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ବିଭୁ ପ୍ରସାଦ ପଣ୍ଡା ଏବଂ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା