ଖୋର୍ଦ୍ଧା, ୭ ଅପ୍ରେଲ (ହି.ସ.)- ବାଇକ୍ ଦୁର୍ଘଟଣା ହେବା ପରେ ଘଟିଲା ବୋମା ବିସ୍ଫୋରଣ । ଏହି ବିସ୍ଫୋରଣରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ସଦର ଥାନା ଅନ୍ତର୍ଗତ ଷଢେଇଗଡ ଗ୍ରାମର ନିରାକାର ସିଂ । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଷଢେଇଗଡ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ବାଇକ୍ରେ ବୋମା ନେଇ ଯାଉଥିବା ବେଳେ ଷଢେଇଗଡ ବିଶ୍ୱାଳ ସାହି ନିକଟରେ ବାଇକ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରସାମ୍ୟ ହରାଇ ବାଇକ୍ଟି ଓଲଟି ପଡିବାରୁ ବ୍ୟାଗ୍ରେ ଥିବା ବୋମା ବିସ୍ଫୋରଣ ଘଟିଲା । ବିସ୍ଫୋରଣରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଗୁରୁତରଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଖୋର୍ଦ୍ଧା ଚିକିତ୍ସାଳୟ ପଠାଇଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସ ପଠାଇଛି ପୋଲିସ । ସେଠାରେ ସେ ଚିକିତ୍ସିତ ହେଉଛନ୍ତି । ଅନ୍ୟପକ୍ଷରେ ଘଟଣାସ୍ଥଳରେ ସଦର ଥାନା ପୋଲିସ ଉପସ୍ଥିତ ରହି ଘଟଣାର ତଦନ୍ତ ଚଳାଇଛି ।
ହିନ୍ଦୁସ୍ଥାନ ସମାଚାର / ରାକେଶ