ବଲାଙ୍ଗିର, ୨୦ ଜୁନ୍ (ହି.ସ.)-
ରାଜ୍ୟରେ ଏକ ବର୍ଷର ଡବଲ ଇଞ୍ଜିନ ସରକାର ଠାରୁ ରାଜ୍ୟବାସୀ ଅନେକ ଆଶା କରିଥିଲେ । କାରଣ ନିର୍ବାଚନ ପୂର୍ବରୁ ସରକାରକୁ ଆସିବା ପାଇଁ ଅନେକ ପ୍ରତିଶୃତି ଦେଇଥିଲା ବିଜେପି । ଦୁର୍ନିତି ବିରୁଦ୍ଧରେ ଶୂନ୍ୟ ସହନଶିଳତା ହେଉ କି ଚିଟଫଣ୍ଡ ଜମାକାରିଙ୍କୁ ଟଙ୍କା ଫେରସ୍ତ ସବୁଥିରେ ଫେଲ ମାରିଛି ଡବଲ ଇଞ୍ଜିନ । ସୁଭଦ୍ରା ଯୋଜନା କଥା ନକହିଲେ ଭଲ । ଦୁଇ ବର୍ଷରେ ରାଜ୍ୟର ସମସ୍ତ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବାର ପ୍ରତିଶୃତି ଦେଇ ବର୍ଷ ପରେ ୫ ହଜାରର ଦୁଇଟି କିସ୍ତି ପ୍ରଦାନ କରି ମହିଳାଙ୍କୁ କରିଛି ପ୍ରତାରଣା । ମହିଳାଙ୍କୁ ସୁରକ୍ଷା ପରିବର୍ତ୍ତେ ଗ୍ୟାଙ୍ଗ ର୍ୟାପ୍ ଏବଂ ଶିଶୁ ମହିଳାଙ୍କ ନିଖୋଜ ସଂଖ୍ୟା ଏପରି ବଢିଛି ଯେ ଛୋଟ ଛୁଆ ଓ ମହିଳାମାନେ ଘରୁ ବାହାରକୁ ବାହାରିବା ପାଇଁ ଡରିଲେଣି । ତେଣୁ ଏ ଡବଲ ଇଞ୍ଜିନ ସରକାର ଲୋକଙ୍କ ହିତ କରିବା ପରିବର୍ତ୍ତେ ଏକ ବର୍ଷ ଭିତରେ ଅନେକ ପ୍ରତାରଣା କରିଛି ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କଡାମ୍ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ଗର୍ଜିଛନ୍ତି ।
ଶ୍ରୀ କାଡାମ୍ ଆହୁରି ମଧ୍ୟ କହିଛନ୍ତି ଯେ, ଆଦିବାସୀଙ୍କ ନାଁ ନେଇ ବିଜେପି ସରକାର ଆଦିବାସୀଙ୍କୁ ଶୋଷଣ କରୁଛନ୍ତି । ଜଳ, ଜଙ୍ଗଲ, ଜମିରେ ଥିବା ଆଦିବାସୀଙ୍କ ଅଧିକାରରୁ ଆଦିବାସୀଙ୍କୁ ବଂଚିତ କରୁଛନ୍ତି । ଦୁର୍ନିତି ବିରୁଦ୍ଧରେ ଶୂନ୍ୟ ସହନଶିଳତା ନାରା ଦେଉଥିବା ସରକାର ଖୁଦ୍ ଦୁର୍ନିତି କରୁଛନ୍ତି । ଗରିବଙ୍କୁ ୩୦୦ ୟୁନିଟ ର ବିଜୁଳି ପ୍ରଦାନରେ ବିଜେପି ପ୍ରତାରଣ କରିଛି । ତେଣୁ ଆଗାମୀ ଦିନରେ କଂଗ୍ରେସ ଏହି ପ୍ରତାରଣାର ଉଚିତ ଜବାବ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଥିଲେ ।
ପ୍ରାରମ୍ଭରେ ଆଜି ଗତ ନିର୍ବାଚନରେ କଂଗ୍ରେସ ଦଳର ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଥିବା କଂଗ୍ରେସ ନେତା ସମରେନ୍ଦ୍ର ମିଶ୍ର ସାମ୍ବାଦିକ ସମ୍ମିଳନୀର ପ୍ରାରମ୍ଭିକ ସୂଚନା ଦେବା ସହ ଏ ଡବଲ ଇଞ୍ଜିନ ସରକାର କିପରି ଗରିବଙ୍କ ନାଁ ନେଇ ପୁଞ୍ଜିପତିଙ୍କ ପାଇଁ କାମ କରୁଛି ନିଜ ବକ୍ତବ୍ୟରେ କହିଥିଲେ ତା ସହ ସେ ବଲାଙ୍ଗିର ନିର୍ବାଚନ ମଣ୍ଡଳି ସଂପର୍କରେ କହିଥିଲେ ଯେ, ଏଠାରେ ମଧ୍ୟ ଲୋକଙ୍କୁ ଅପରାଧ ମୁକ୍ତ ବଲାଙ୍ଗିର, ଯୁବକମାନଙ୍କୁ ରୋଜଗାର, ମହିଳାମାନଙ୍କ ସୁରକ୍ଷା, ବନ୍ଧକଟାର ଉନ୍ନତିକରଣ, ସମସ୍ତ ୱାର୍ଡରେ ପାର୍କ ଓ ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନର ନିର୍ବାଚନି ପ୍ରତିଶୃତି ଦେଇଥିଲେ । ଆଜି ମୋର ଅନୁରୋଧ ଗୋଟିଏ ବର୍ଷ ଭିତରେ ଏ ସବୁ ପ୍ରତିଶୃତିରୁ କଣ ସବୁ ପୁରଣ କରିଛନ୍ତି ଜନସାଧାରଣ ତାଙ୍କୁ ପ୍ରଶ୍ନ କରନ୍ତୁ । ସମରେନ୍ଦ୍ର ଆହୁରି ମଧ୍ୟ କହିଥିଲେ ଯେ, ଲୋକଙ୍କୁ ଖାଦ୍ୟ, ପାଣି, ନିରାପତ୍ତା, ସାମାଜିକ ସୁରକ୍ଷା ପ୍ରଦାନ କରିବା ସରକାରର ପ୍ରଧାନ କର୍ତ୍ତବ୍ୟ କିନ୍ତୁ ଏହି ମୂଳ କର୍ତ୍ତବ୍ୟରୁ ଏହି ଡବଲ ଇଞ୍ଜିନ ଲାଇନଚ୍ୟୁତ ହେଉଛି । ରାଜ୍ୟ ଓ ଦେଶକୁ ଏହି ଡବଲ ଇଞ୍ଜିନ ଆହୁରି ଆଗକୁ ନେବା ଜାଗାରେ ବହୁତ ପଛକୁ ନେଇଯାଉଛି ବୋଲି ସେ ଅଭିଯୋଗ କରିଥିଲେ । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ବିଜେପିର ଘର ଘର ଜଲ ଘର ଘର ନଲ ନାରାକୁ ସମ୍ପୁର୍ଣ୍ଣ ଫେଲ ବୋଲି କହିଥିଲେ କାରଣ ଯଦି ପ୍ରକୃତରେ ବିଜେପି ସରକାର ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଦେବାରେ ପ୍ରତିଶୃତିବଦ୍ଧ ତେବେ ଆଜି ଯାଜପୁର ସମେତ ଅନ୍ୟ ୧୦ଟି ଜିଲ୍ଲାରେ କାହିଁକି ହଇଜା ବ୍ୟାପିଛି ବୋଲି ସେ ପ୍ରଶ୍ନ କରିଥିଲେ । ବଲାଙ୍ଗିର ଲୋକଙ୍କୁ ଲୋୟର ସୁକତେଲ ଭଳିଆ ଜଳସେଚନ ପ୍ରକଳ୍ପରୁ ପାଣିଦେବା ବଦଳରେ ତାର ଅବିବାହିକାରେ ଥିବା ଖଣିକୁ ବେଆଇନ ଭାବରେ ପୁଞ୍ଜିପତିଙ୍କୁ ଟେକି ଦେବାର ସମସ୍ତ ରାସ୍ତା ତିଆରି ହୋଇସାରିଲାଣି ବୋଲି କଂଗ୍ରେସ ନେତାମାନେ ଅଭିଯୋଗ କରିଥିଲେ । ଏହା ସହ ବିଧାନସଭାରେ ଲୋକ ଙ୍କ ଦାବି ତଥା ମହିଳା ସୁରକ୍ଷାକୁ ନେଇ ଆନ୍ଦୋଳନ ବେଳେ ନିଳମ୍ବନ କରାଯାଇଥିବା ଘଟଣା କଂଗ୍ରେସ ବିଧାୟକ ତଥା କଂଗ୍ରେସ କର୍ମୀଙ୍କୁ ଆଗାମୀ ଦିନରେ ଲୋକଙ୍କ ପାଇଁ ଲଢେଇରେ ଆହୁରି ବଳ ଯୋଗାଇବ ବୋଲି କୁହାଯାଇଥିଲା । ବିନା ପଲ୍ଲିସଭା ଗ୍ରାମ ସଭାରେ ଜଙ୍ଗଲ ଜମିକୁ ପୁଞ୍ଜିପତିଙ୍କୁ ହସ୍ତାନ୍ତର କରାଯିବାର ଷଡଯନ୍ତ୍ରକୁ କଦାପି ହେଲେ ବରଦାସ୍ତ କରାଯିବ ନାହିଁ ବୋଲି କଂଗ୍ରେସ ନେତାମାନେ କହିଥିଲେ । ଗୋପାଳପୁର ବେଳାଭୂମିରେ ହୋଇଥିବା ଗ୍ୟାଙ୍ଗ ରେପ୍ ସରକାରଙ୍କ ନାରୀ ସୁରକ୍ଷା ପ୍ରତି ଏକ ବଡ ପ୍ରଶ୍ନବାଚୀ ବୋଲି ସୂଚନା ଦେବା ସହ ଡବଲ ଇଞ୍ଜିନ ସରକାର ଦେଇଥିବା ୨୩ କୋଟି ନିର୍ବାଚନୀ ପ୍ରତିଶୃତି କିପରି ପ୍ରତାରଣାରେ ପରିଣତ ହୋଇଛି ତାର ଏକ ପୋଷ୍ଟର ପ୍ରଦର୍ଶନ କରାଯାଇଥିଲା ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ନନ୍ଦ, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରି ସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ଟିଟିଲାଗଡ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗ, ଲୋଇସିଂହା ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ କୁମ୍ଭାର, କଂଗ୍ରେସ ଦଳର ପର୍ଯ୍ୟବେକ୍ଷକ ପ୍ରଶାନ୍ତ କୁମାର ରାଉତ ମଂଚାସିନ ଥିବା ବେଳେ ଚାଷିନେତା ସମରେନ୍ଦ୍ର ମିଶ୍ର, ବୁଲୁ ଦାନୀ, ଅଙ୍କିତ ସାହୁ, ଜୁଲୁ ପଟ୍ଟନାୟକ, ଅଭିନାଶ ସାଏ, ରୋଶନ ମିଶ୍ର, ଲୋପନ ମିଶ୍ର, କୈଳାସ ମିଶ୍ର, ମହିଳା ସଭାନେତ୍ରି ମିଲନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ