ଭୁବନେଶ୍ୱର, ୮ ଜୁଲାଇ (ହି.ସ.)- ଆଗାମୀ ୨୪ ଘଂଟା ମଧ୍ୟରେ ଭୀଷଣରୁ ଅତି ଭୀଷଣ ବର୍ଷା, ଝଡ଼/ବଜ୍ରପାତ ଓ ପବନ ନେଇ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଭୀଷଣ ବର୍ଷା, ଝଡ଼/ବଜ୍ରପାତ ଓ ପବନ ନେଇ ୧୦ ଜିଲ୍ଲା(କେନ୍ଦୁଝର, ଢ଼େଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ଝଡ଼/ବଜ୍ରପାତ ଓ ପବନ ନେଇ ୯ ଜିଲ୍ଲା (ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକର ଗୋଟିଏରୁ ଦୁଇଟି ସ୍ଥାନରେ ୧୨ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ଏବଂ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକର ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଚେତାବନୀ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୩୦ରୁ ୪୦ କି.ମି. ରହିପାରେ ।
ଆସନ୍ତାକାଲି ଅର୍ଥାତ୍ ୯ ତାରିଖରେ ଭୀଷଣ ବର୍ଷା, ଝଡ଼/ବଜ୍ରପାତ ଓ ପବନ ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝଡ଼/ବଜ୍ରପାତ ଓ ପବନ ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପରବର୍ତୀ ୩ ଦିନ ପାଇଁ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ