ଧର୍ମଶାଳା, ୮ଜୁଲାଇ(ହି.ସ.): ଡ୍ରାଇଭର ମହାସଂଘ ପକ୍ଷରୁ ୭ ଦଫା ଦାବିନେଇ ରାଜ୍ୟବ୍ୟାପି ଧର୍ମଘଟ ଡାକରା ଦିଆଯାଇଥିବା ବେଳେ ମହାସଂଘର ଧର୍ମଶାଳା ଶାଖା ପକ୍ଷରୁ ଆଜି ଠାରୁ ଅନିର୍ଦ୍ଦିଷ୍ଟକଳ ପର୍ଯ୍ୟନ୍ତ ଧର୍ମଘଟ କରାଯାଇଛି । ଫଳରେ ଗାଡିଚଳାଚଳ ଏକ ପ୍ରକାର ଠପ ହୋଇଯାଇଛି । ଗାଡି ଡ୍ରାଇଭରମାନେ ଆଜି ଧର୍ମଘଟ କରିବା ଫଳରେ ଗାଡି ଚଳାଚଳ ବନ୍ଦ ହେବା ଫଳରେ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏପେଟେ ରାଜରାସ୍ତାରେ ଡ୍ରାଇଭର ସଂଘ ବସି ଥିବା ବେଳେ ସେପଟେ ଡ୍ରାଇଭରମାନଙ୍କ ସମସ୍ୟା ସମାଧାନ କରିବା ପରିବର୍ତେ ଭୁବନେଶ୍ୱରରେ ନେତାମନ୍ତ୍ରୀ କରୁଛନ୍ତି ରାଜାଭିଷେକ ।
ସୂଚନା ମୁତାବକ ପୁର୍ବରୁ ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧର୍ମଘଟ କରାଯାଇଥିବା ବେଳେ ପୁର୍ବ ସରକାର ଗୋଟିଏ ମାତ୍ର ଦାବି ପୁରଣ କରିବା ସହ ପରବର୍ତୀ ସମୟରେ ଅନ୍ୟଦାବୀ ଗୁଡିକ ଉପରେ ବିଚାର କରାଯିବ ବୋଲି କହିଥିଲେ । ହେଲେ ଏବେ ସରକାର ପରିବର୍ତନ ହେବା ପରେ ଡ୍ରାଇଭରମାନେ ନିଜର ଦାବି ହାସଲ ପାଇଁ ସରକାର ଉପରେ ଚାପ ପକାଇବା ନିମନ୍ତେ ଆଜି ଠାରୁ ଧର୍ମଘଟରେ ରହିଛନ୍ତି । ଡ୍ରାଇଭରମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ରେଷ୍ଟରୁମ କରିବା, ଗାଡି ଚେକିଙ୍ଗ ପାଇଁ ପୁଲିସକୁ କ୍ଷମତା ନଦେବା, ୬୦ ବର୍ଷରୁ ଉର୍ଦ୍ଧ ଡ୍ରାଇଭରମାନଙ୍କୁ ଭତା ପ୍ରଦାନ କରିବା ଆଦି ଦାବିରେ ଏହି ଧର୍ମଘଟ କରାଯାଇଛି । ଆଜି ଜାରକା ବସ ଷ୍ଟାଣ୍ଡ ନିକଟରେ ଧର୍ମଶାଳା ଅଂଚଳର ଡ୍ରାଇଭର ଭାଇମାନେ ଏକତ୍ରିତ ହୋଇ ଧର୍ମଘଟରେ ବସିରହିଛନ୍ତି । ଦାବି ପୂରଣ ପ୍ରତିସୃତି ନମିଳିବା ଯାଏଁ ଧର୍ମଘଟ ଚାଲୁ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଡ୍ରାଇଭର ମହାସଂଘ ଧର୍ମଶାଳା ଶାଖାର ସଭାପତି ଲୋକନାଥ ପୁରୀଙ୍କ ନେତୃତ୍ୱରେ ଉପସଭାପତି ସତ୍ୟବ୍ରତ ନାୟକ, ସମ୍ପାଦକ ଅମୁଲ୍ୟ କୁମାର ମଲିକ, ସହ ସମ୍ପାଦକ ବସନ୍ତ ପରିଡା, କୋଷାଧ୍ୟକ୍ଷ ଅଭୟ ବାରିକ ସଂଯେଜକ ବିଜୟ ବେହେରା ବରଷ୍ଠ ସଭ୍ୟ ପ୍ରଫୁଲ୍ଲ କୁମାର ମାହାଣା, ଅଶୋକ କୁମାର ରାଉତ, ପ୍ରମୋଦ କୁମାର ମାହାଣା ପ୍ରମୁଖ ଶତାଧିକ ଡ୍ରାଇଭର ଏହି ଧର୍ମଘଟରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ