ଧର୍ମଶାଳା, ୧୪ ସେପ୍ଟେମ୍ବର(ହି.ସ.) – ଶନିବାର ବିଳମ୍ବିତ ରାତିରେ ଗୁହାଳୁ ଛେଳି ଚୋରି କରିବାକୁ ଉଦ୍ୟମ କରିଥିବା ବେଳେ ୩ ଜଣଙ୍କୁ କାବୁ କଲେ ଗ୍ରାମବାସୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ମଙ୍ଗଳପୁର ପଂଚାୟତ ବାସୁଦେବପୁର ଅଂଚଳରେ। ତେବେ ଆଜି ୨ଜଣ ଯୁବକ ଓ ଜଣେ ନାବାଳକ ଓ ଗୋଟିଏ କଳା ରଂଗର ପଲସର ବାଇକ୍(ଓଡି୦୪ଡବ୍ଲ୍ୟୁ ୬୯୪୬)କୁ ବ୍ରହ୍ମବରଦା ଥାନାରେ ଜିମା ଦେଇଛନ୍ତି ଗ୍ରାମବାସୀ। ଏହି ତିନିଜଣ ଯୁବକ ଧର୍ମଶାଳା ଥାନା ଉତରପ୍ରତାପ ଚାନ୍ଦମୋହିନୀ ଗ୍ରାମର ବୋଲି ଜଣାପଡ଼ିଛି। ବ୍ରହ୍ମବରଦା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ଅଭିଯୋଗ ମୁତାବକ ଶନିବାର ବିଳମ୍ବିତ ରାତିରେ ବ୍ରହ୍ମବରଦା ଥାନା ଅନ୍ତର୍ଗତ ବାସୁଦେବପୁର କୁମ୍ଭାର ସାହି ଗ୍ରାମର ରାମ ମଳିକ, ରବିନ୍ଦ୍ର ମଳିକ ଓ ଅଶୋକ ମଳିକଙ୍କ ଘର ନିକଟରେ ଥିବା ଗୁହାଳରୁ ଏକ ବିକଟାଳ ଶବ୍ଦ ଶୁଣିବାକୁ ପାଇଥିଲେ। ତେବେ ଗୁହାଳେ କେହି ଦୁବୃର୍ତ ପଶିଥିବା ସେମାନେ ଜାଣିବାକୁ ପାଇଥିଲେ। ତେବେ ଘରଲୋକେ ଉଠିବା ଜାଣି ସେମାନେ ନିକଟସ୍ଥ ଧାନ କ୍ଷେତକୁ ଚାଲି ଯାଇଥିଲେ। ତେବେ ନଦୀବନ୍ଧ ଉପରେ ଏକ କଳା ରଂଗର ପଲସର ବାଇକ୍ ଥିବା ଦେଖିବାକୁ ପାଇ ସ୍ଥାନୀୟ ଲୋକେ ଛକି ରହିଥିଲେ। ବାଇକ୍ ନେବାକୁ ଆସୁଥିବା ସମୟରେ ଜଣେ ଯୁବକକୁ ଲୋକେ କାବୁ କରିବାରେ ସଫଳତା ପାଇଥିଲେ। ପରେ ଧାନ କ୍ଷେତରେ ଖୋଜାଖୋଜି ପରେ ଅନ୍ୟ ୨ଜଣଙ୍କୁ ଠାବ କରି ବ୍ରହ୍ମବରଦା ଥାନାରେ ଜିମା ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ