
ଝାରସୁଗୁଡ଼ା, ୨୯ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ସେବାରେ ବାରମ୍ବାର ବାଧା ସୃଷ୍ଟି ହେଉଥିବାରୁ ଉପଭୋକ୍ତାମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଏୟାରଟେଲ୍ ଓ ଜିଓ ନେଟୱର୍କରେ ଦୀର୍ଘ ମାସ ଧରି ଦେଖାଦେଇଥିବା ସମସ୍ୟା ଯୋଗୁଁ କଲ୍ କରିବାଠାରୁ ଆରମ୍ଭ କରି ଇଣ୍ଟରନେଟ୍ ବ୍ୟବହାର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଲୋକେ ଅସୁବିଧା ଭୋଗୁଛନ୍ତି।
ବର୍ତ୍ତମାନର ଡିଜିଟାଲ୍ ଯୁଗରେ ମୋବାଇଲ୍ ନେଟୱର୍କ କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ଶିକ୍ଷା, ବ୍ୟାଙ୍କିଂ, ୟୁପିଆଇ ପେମେଣ୍ଟ, ଅନଲାଇନ୍ କାରବାର ଓ ସରକାରୀ ଯୋଜନାରେ ଆବେଦନ ଭଳି ଅତ୍ୟାବଶ୍ୟକ କାର୍ଯ୍ୟର ଏକ ପ୍ରମୁଖ ଆଧାର ପାଲଟିଛି। ଏପରି ସ୍ଥିତିରେ ଦୁର୍ବଳ ସିଗ୍ନାଲ୍, ବାରମ୍ବାର କଲ୍ କଟିଯିବା ଏବଂ ଇଣ୍ଟରନେଟ୍ ର ମନ୍ଥର ଗତି ଯୋଗୁଁ ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଜରୁରୀ ସମୟରେ ମଧ୍ୟ ଠିକ୍ ଭାବେ ଯୋଗାଯୋଗ କରିବା ସମ୍ଭବ ହେଉନଥିବାରୁ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।
ମୋବାଇଲ୍ ନେଟୱର୍କ ଆଜିର ଜୀବନର ଏକ ଅପରିହାର୍ଯ୍ୟ ଆବଶ୍ୟକତା ହୋଇଥିବା ବେଳେ ଏଭଳି ସେବା ବିଭ୍ରାଟ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ଲଖନପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ନେଟୱର୍କ ସ୍ଥିତିର ଯାଞ୍ଚ କରିବା ସହ ଆବଶ୍ୟକ ବୈଷୟିକ ପଦକ୍ଷେପ ଗ୍ରହଣ କରିବାକୁ ଉପଭୋକ୍ତାମାନେ ଦାବି କରିଛନ୍ତି। ଏୟାରଟେଲ୍ ଓ ଜିଓ କମ୍ପାନୀ କର୍ତ୍ତୃପକ୍ଷ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ନେଟୱର୍କ କଭରେଜ୍ ଓ ସେବାର ଗୁଣବତ୍ତା ବୃଦ୍ଧି ଦିଗରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। କେବଳ ସାମୟିକ ମରାମତି ନୁହେଁ, ବରଂ ଦୀର୍ଘଦିନର ଏହି ସମସ୍ୟାର ସ୍ଥାୟୀ ସମାଧାନ କରି ଲଖନପୁର ବ୍ଲକବାସୀଙ୍କୁ ନିରବଚ୍ଛିନ୍ନ ଓ ଉନ୍ନତ ମୋବାଇଲ୍ ସେବା ଯୋଗାଇଦେବାକୁ ସାଧାରଣରେ ଦାବି ଜୋର୍ ଧରିଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ