
ଝାରସୁଗୁଡା, ୨୯ ଅକ୍ଟୋବର (ହି.ସ.)- ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ, ହୀରାକୁଦ ଜଳଭଣ୍ଡାରର ବିସ୍ତୀର୍ଣ୍ଣ ଜଳରାଶି ଓ ବୋଟିଂର ଆକର୍ଷଣ। ଏସବୁକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ରଂପାଲୁଗାରେ ଜମେ ପର୍ଯ୍ୟଟକଙ୍କ ଭିଡ଼। ରାଜ୍ୟର ବିଭିନ୍ନ ଅଞ୍ଚଳ ସହ ପଡ଼ୋଶୀ ଛତିଶଗଡ଼ରୁ ମଧ୍ୟ ବହୁ ପର୍ଯ୍ୟଟକ ଏଠାକୁ ଆସନ୍ତି। ହେଲେ ପ୍ରକୃତିର ଏହି ମନୋରମ ପରିବେଶକୁ ଉପଭୋଗ କରିବାକୁ ଆସୁଥିବା କିଛି ପର୍ଯ୍ୟଟକଙ୍କ ଅସଚେତନତା ଏବେ ଏହି ସୌନ୍ଦର୍ଯ୍ୟମୟ ଅଞ୍ଚଳ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ଲାଷ୍ଟିକ୍ ବୋତଲ, ପଲିଥିନ୍, ଖାଦ୍ୟ ପ୍ୟାକେଟ୍ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁରେ ପରିବେଶ ପ୍ରଦୂଷିତ ହେଉଥିବାରୁ ଆଗାମୀ ପିକନିକ୍ ଋତୁ ପୂର୍ବରୁ ଏହାର ନିୟନ୍ତ୍ରଣ ପାଇଁ ଠୋସ୍ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।
ରବିବାର ଓ ଛୁଟିଦିନରେ ରଂପାଲୁଗାରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ୁଥିବା ବେଳେ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ଏକ ବଡ଼ ଆହ୍ୱାନ ହୋଇଛି। ପିକନିକ୍ ସାରି ଫେରିବା ବେଳେ ଅନେକ ଲୋକ ନିଜ ବ୍ୟବହୃତ ପ୍ଲାଷ୍ଟିକ୍ ଓ ପଲିଥିନ୍ କୁ ନିର୍ଦ୍ଧାରିତ ସ୍ଥାନରେ ନ ପକାଇ ଏଣେତେଣେ ଫିଙ୍ଗି ଦେଉଛନ୍ତି। ଏହାଦ୍ୱାରା ଚାରିପାଖର ପ୍ରାକୃତିକ ପରିବେଶ ନଷ୍ଟ ହେବା ସହ ଜୀବଜନ୍ତୁ ଓ ପକ୍ଷୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି। ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସି ତାକୁ ଆବର୍ଜନାରେ ଭରିଦେବା ପର୍ଯ୍ୟଟନର ମୂଳ ଉଦ୍ଦେଶ୍ୟକୁ ହିଁ ପ୍ରଶ୍ନବାଚୀ କରିଛି।
ପର୍ଯ୍ୟଟକଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ଡଷ୍ଟବିନ୍ ରଖାଯାଇଥିଲେ ମଧ୍ୟ ଏହାର ସଠିକ୍ ବ୍ୟବହାର ହେଉନାହିଁ। ଫଳରେ ଏଣେତେଣେ ପଡ଼ିରହୁଛି ପ୍ଲାଷ୍ଟିକ୍ ଓ ପଲିଥିନ୍ ଆବର୍ଜନା। ଅନ୍ୟପଟେ, ପର୍ଯ୍ୟଟକଙ୍କୁ ସଚେତନ କରିବା ଓ ବର୍ଜ୍ୟବସ୍ତୁ ଏଣେତେଣେ ନ ପକାଇବାକୁ ବୁଝାଇବା ପାଇଁ ଆବଶ୍ୟକ ସଂଖ୍ୟକ ସ୍ୱେଚ୍ଛାସେବୀ ନାହାନ୍ତି। ବନ ବିଭାଗ ପକ୍ଷରୁ ବୋଟିଂ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜିତ ବନ ସୁରକ୍ଷା ସମିତିର ସଦସ୍ୟମାନେ ଏକାଧିକ ଦାୟିତ୍ୱ ତୁଲାଉଥିବାରୁ ପରିବେଶ ସୁରକ୍ଷା ଉପରେ ଆବଶ୍ୟକ ନଜର ରଖିବା କଷ୍ଟକର ହେଉଛି।
କେବଳ ଡଷ୍ଟବିନ୍ ରଖିଦେଲେ ପ୍ରଦୂଷଣ ସମସ୍ୟାର ସମାଧାନ ହେବ ନାହିଁ। ଏଥିପାଇଁ ପ୍ରଶାସନ, ବନ ବିଭାଗ, ସ୍ଥାନୀୟ ସଂସ୍ଥା ଓ ପରିବେଶପ୍ରେମୀଙ୍କ ମିଳିତ ଉଦ୍ୟମ ଆବଶ୍ୟକ। ପିକନିକ୍ ଋତୁ ଆରମ୍ଭ ପୂର୍ବରୁ ସ୍ୱତନ୍ତ୍ର ସଫେଇ ଅଭିଯାନ, ସଚେତନତା ଶିବିର, ସୂଚନା ଫଳକ ଓ ନିୟମିତ ତଦାରଖ ବ୍ୟବସ୍ଥା କରାଯିବା ଦରକାର। ପ୍ଲାଷ୍ଟିକ୍ ଓ ପଲିଥିନ୍ ବର୍ଜ୍ୟକୁ ନିର୍ଦ୍ଧାରିତ ସ୍ଥାନରେ ପକାଇବା ସହ ବ୍ୟବହାରଯୋଗ୍ୟ ପୁନଃବ୍ୟବହାରକ୍ଷମ ସାମଗ୍ରୀକୁ ପ୍ରୋତ୍ସାହନ ଦେବା ଉଚିତ।
ଏଥିସହ ନିୟମ ଉଲ୍ଲଂଘନ କରି ଯେଉଁମାନେ ଏଣେତେଣେ ଆବର୍ଜନା ପକାଉଛନ୍ତି, ସେମାନଙ୍କ ବିରୋଧରେ ନିୟମାନୁଯାୟୀ ଜରିମାନା ବ୍ୟବସ୍ଥାକୁ କଡ଼ାକଡ଼ି ଲାଗୁ କରିବା ଆବଶ୍ୟକ। ପର୍ଯ୍ୟଟନସ୍ଥଳୀର ସ୍ୱଚ୍ଛତା ରକ୍ଷା କେବଳ ପ୍ରଶାସନର ଦାୟିତ୍ୱ ନୁହେଁ; ପ୍ରତ୍ୟେକ ପର୍ଯ୍ୟଟକଙ୍କର ମଧ୍ୟ ସମାନ ଦାୟିତ୍ୱ ରହିଛି। ରଂପାଲୁଗାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୈବବିବିଧତାକୁ ସୁରକ୍ଷିତ ରଖିବା ପାଇଁ ଏବେଠାରୁ ପଦକ୍ଷେପ ନ ନିଆଗଲେ ପିକନିକ୍ ଋତୁରେ ପ୍ରଦୂଷଣ ସମସ୍ୟା ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି। ତେଣୁ ‘ପ୍ରକୃତିକୁ ଉପଭୋଗ କରନ୍ତୁ, ଆବର୍ଜନା ଛାଡ଼ି ଯାଆନ୍ତୁ ନାହିଁ’—ଏହି ବାର୍ତ୍ତାକୁ ଜନଆନ୍ଦୋଳନରେ ପରିଣତ କରିବା ଆଜିର ଆବଶ୍ୟକତା। ରଂପାଲୁଗାର ସୌନ୍ଦର୍ଯ୍ୟ ବଜାୟ ରଖିବା ହିଁ ହେଉ ପ୍ରତ୍ୟେକ ପର୍ଯ୍ୟଟକଙ୍କ ସଂକଳ୍ପ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ