
ଝାରସୁଗୁଡା, ୨୯ ଅକ୍ଟୋବର (ହି.ସ.)- ଗଞ୍ଜେଇ ଓ ବ୍ରାଉନ୍ ସୁଗାର ପରେ ଏବେ କଫ୍ ସିରପ୍ ନିଶାର କବଳରେ ଯୁବପିଢ଼ି। କାଶ ଉପଶମ ପାଇଁ ବ୍ୟବହୃତ ଔଷଧ ଏବେ କେତେକ ଯୁବକଙ୍କ ପାଇଁ ନିଶାର ମାଧ୍ୟମ ପାଲଟିଥିବା ଅଭିଯୋଗ ହୋଇଛି। ବିଶେଷକରି କୋଡିନଯୁକ୍ତ କଫ୍ ସିରପ୍ ର ବେଆଇନ କାରବାର ଯୁବସମାଜ ପାଇଁ ଚିନ୍ତାର କାରଣ ହୋଇଛି। ପଶ୍ଚିମ ଓଡ଼ିଶାରେ ଏହି ବେଆଇନ କାରବାର ବଢ଼ୁଥିବା ଅଭିଯୋଗ ମଧ୍ୟରେ କୋଲାବିରା ଓ ଏହାର ଆଖପାଖ ଅଞ୍ଚଳ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ।
ବିଭିନ୍ନ ସମୟରେ ବିପୁଳ ପରିମାଣର ବେଆଇନ କଫ୍ ସିରପ୍ ଜବତ ହେଉଥିଲେ ମଧ୍ୟ ଏହାର ଚୋରା କାରବାର ଉପରେ ସମ୍ପୂର୍ଣ୍ଣ ଅଙ୍କୁଶ ଲାଗିପାରୁନାହିଁ। ଚଢ଼ଉ ଓ ଗିରଫଦାରୀ ସତ୍ତ୍ୱେ ଏହି କାରବାର ଜାରି ରହିବା ନିଶା ନିୟନ୍ତ୍ରଣ ବ୍ୟବସ୍ଥାର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଦୀର୍ଘ ବର୍ଷ ଧରି ଏହି ନିଶାର ପ୍ରଭାବରେ ଯୁବପିଢ଼ିଙ୍କ ଭବିଷ୍ୟତ ବିପନ୍ନ ହେଉଥିବା ନେଇ ଉଦ୍ବେଗ ପ୍ରକାଶ ପାଇଛି।
ସାଧାରଣତଃ କାଶ ଓ ଥଣ୍ଡାଜନିତ ସମସ୍ୟାର ଉପଶମ ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କଫ୍ ସିରପ୍ ସେବନ କରାଯାଇଥାଏ। କିନ୍ତୁ, ଏଥିରେ ଥିବା କୋଡିନ୍ ଭଳି ଉପାଦାନଯୁକ୍ତ ଔଷଧକୁ ନିର୍ଦ୍ଧାରିତ ମାତ୍ରାଠାରୁ ଅଧିକ ସେବନ କଲେ ଏହା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଓ ନିଶାସକ୍ତ ହେବାର କାରଣ ହୋଇପାରେ। ମଦ୍ୟପାନର ବିକଳ୍ପ ଭାବେ କେତେକ ବ୍ୟକ୍ତି ଏହି ଔଷଧର ଅପବ୍ୟବହାର କରୁଥିବା ଅଭିଯୋଗ ରହିଛି। ସହଜରେ ମିଳିବା ଓ ତୁଳନାତ୍ମକ ଭାବେ କମ୍ ମୂଲ୍ୟରେ ଉପଲବ୍ଧ ହେବା ଏହି ପ୍ରବୃତ୍ତିକୁ ଆହୁରି ବଢ଼ାଉଥିବା କୁହାଯାଉଛି।
ଅନ୍ୟପକ୍ଷରେ, କେତେକ ନାମୀ ଔଷଧ କମ୍ପାନୀର କଫ୍ ସିରପ୍ ବେଆଇନ ଭାବେ ପରିବହନ ଓ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଏହି ମାମଲାରେ ବିଭିନ୍ନ ସମୟରେ ଗିରଫଦାରୀ ହେଉଥିଲେ ମଧ୍ୟ ବେଆଇନ କାରବାର ସହ ସମ୍ପୃକ୍ତ ଆର୍ଥିକ ନେଟ୍ୱର୍କ ଓ ଯୋଗାଣ ଶୃଙ୍ଖଳ ଉପରେ ଅଧିକ ତଦନ୍ତର ଆବଶ୍ୟକତା ରହିଛି। ସମ୍ପୃକ୍ତଙ୍କ ବ୍ୟାଙ୍କ ଖାତା ଓ ଆର୍ଥିକ କାରବାରର ଯାଞ୍ଚ ସହ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଗଲେ ଏହି ଚୋରା ବ୍ୟବସାୟର ମୂଳୋତ୍ପାଟନ ସମ୍ଭବ ହୋଇପାରିବ।
କଫ୍ ସିରପ୍ ର ଅବାଧ ବିକ୍ରି ରୋକିବା ପାଇଁ ଔଷଧ ଦୋକାନଗୁଡ଼ିକରେ ନିୟମିତ ଯାଞ୍ଚ, ଔଷଧର ଷ୍ଟକ୍ ଓ ବିକ୍ରି ରେକର୍ଡ ଯାଞ୍ଚ ଏବଂ ସନ୍ଦେହଜନକ ଯୋଗାଣ ଉପରେ ନଜର ରଖିବା ଜରୁରି। ଏଥିସହ ନିଶାଦ୍ରବ୍ୟର ଅପବ୍ୟବହାର ସମ୍ପର୍କରେ ଯୁବପିଢ଼ିଙ୍କୁ ସଚେତନ କରିବା ସହ ନିଶାସକ୍ତ ଯୁବକଙ୍କୁ ଚିକିତ୍ସା ଓ ପରାମର୍ଶ ଯୋଗାଇଦେବା ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ।
ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶ, ସିକ୍କିମ୍ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟରେ କେତେକ କଫ୍ ସିରପ୍ ପ୍ରସ୍ତୁତ ହେଉଥିବା ବେଳେ ସେଠାରୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଚୋରା ଚାଲାଣ ହେଉଥିବା ଅଭିଯୋଗ ରହିଛି। କଲକାତା ଓ ରାୟପୁର ମାର୍ଗରେ ଏହା ଓଡ଼ିଶାକୁ ପ୍ରବେଶ କରୁଥିବା କୁହାଯାଉଛି। ତେବେ ଏହି ଚୋରା ଚାଲାଣ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଆନ୍ତଃରାଜ୍ୟ ସମନ୍ୱୟ, ଗୁଇନ୍ଦା ତଥ୍ୟ ସଂଗ୍ରହ ଓ ନିୟମିତ ତଦାରଖ ଅତ୍ୟନ୍ତ ଜରୁରି।
କଫ୍ ସିରପ୍ ଭଳି ଔଷଧର ଅପବ୍ୟବହାର ଯୁବସମାଜର ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ଜୀବନକୁ ପ୍ରଭାବିତ କରିବା ପୂର୍ବରୁ ପ୍ରଶାସନ, ଔଷଧ ନିୟନ୍ତ୍ରଣ ବିଭାଗ, ପୁଲିସ ଓ ସମାଜର ସମସ୍ତ ବର୍ଗ ମିଳିତ ଭାବେ ପଦକ୍ଷେପ ନେବା ଆବଶ୍ୟକ। କେବଳ ଜବତ ଓ ଗିରଫଦାରୀରେ ସୀମିତ ନ ରହି ଏହି ବେଆଇନ କାରବାରର ମୂଳ ଉତ୍ସକୁ ଠାବ କରିବା ସହ ଯୁବପିଢ଼ିଙ୍କୁ ନିଶା କବଳରୁ ମୁକ୍ତ କରିବା ଏବେ ସମୟର ଆହ୍ୱାନ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ