
ମାଲକାନଗିରି, ୩ ଅକ୍ଟୋବର (ହି.ସ.)- ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ନୂଆ ତତ୍ପରତା। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଗାଁ ଗାଁରେ ସାଙ୍ଗଠନିକ ସ୍ଥିତି ମଜଭୁତ କରିବା ସହ ଲୋକଙ୍କ ନିକଟରେ ପହଞ୍ଚିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ। ଏହି କ୍ରମରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ବିଜେଡି, କଂଗ୍ରେସ ଓ ବିଜେପି ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନେତାଙ୍କ ଗାଁ ଗସ୍ତଠାରୁ ଆରମ୍ଭ କରି ପଦଯାତ୍ରା, ରାଲି ଓ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ସହ ଯୋଡ଼ି ହେବାକୁ ତିନି ଦଳ ପ୍ରୟାସ ଆରମ୍ଭ କରିଛନ୍ତି।
ଗାନ୍ଧୀ ଜୟନ୍ତୀ ଅବସରରେ ମାଲକାନଗିରି ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି ସାଂସଦ ବଳଭଦ୍ର ମାଝୀ। ବିଭିନ୍ନ ଅଞ୍ଚଳରେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ବନ୍ୟା ପରବର୍ତ୍ତୀ ସ୍ଥିତି ଓ ସ୍ଥାନୀୟ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି। ଏହା ସହ ସ୍ଥାନୀୟ ବିଧାୟକ ନରସିଂହ ମାଡକାମୀ ଓ ଦଳୀୟ କର୍ମୀଙ୍କ ସହ ଚା’ ବୈଠକରେ ଯୋଗଦେଇ ସାଙ୍ଗଠନିକ ଆଲୋଚନା କରିବା ସହ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱ ଦେଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ ସହ ଲୋକଙ୍କ ସମସ୍ୟା ଶୁଣିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଛି।
ଅନ୍ୟପଟେ ମାଲକାନଗିରି ସଦର ଅଞ୍ଚଳରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଛି ବିଜେଡି। ଦଳୀୟ ନେତା ଓ କର୍ମୀମାନେ ପଦଯାତ୍ରାରେ ସାମିଲ ହୋଇ ଲୋକଙ୍କ ସହ ଆଲୋଚନା କରିବା ସହ ଦଳର ସାଙ୍ଗଠନିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିଛନ୍ତି। ନିକଟରେ ଏମ୍ଏମ୍ଡିଆର୍ ପ୍ରସଙ୍ଗକୁ ନେଇ ଭୁବନେଶ୍ୱରରେ ଆୟୋଜିତ ରାଲି ପରେ ଜିଲ୍ଲାରେ ଦଳର ଏହି ଜନସମ୍ପର୍କ କାର୍ଯ୍ୟକ୍ରମକୁ ରାଜନୈତିକ ମହଲରେ ଗୁରୁତ୍ୱ ଦିଆଯାଉଛି। ଜନସାଧାରଣଙ୍କ ସହ ସିଧାସଳଖ ଯୋଡ଼ି ହେବା ସହ ସ୍ଥାନୀୟ ସମସ୍ୟା ଓ ଦଳୀୟ ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉପରେ ଦଳର ଫୋକସ୍ ରହିଛି। ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ମାଲକାନଗିରିରେ ରାଲି ଆୟୋଜନ କରାଯାଇଛି। ଏସ ଆଇ ଆର ପ୍ରକ୍ରିୟାରେ ତ୍ରୁଟି ଥିବା ଅଭିଯୋଗ କରି ଏହାର ସଂଶୋଧନ ଦାବିରେ ଦଳ ପକ୍ଷରୁ ରାଲି ମାଧ୍ୟମରେ ପ୍ରତିବାଦ କରାଯାଇଛି। ଏନେଇ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଉଦ୍ଦେଶ୍ୟରେ ଦାବି ଉଠାଇବା ସହ ଭୋଟର ତାଲିକା ସମ୍ପର୍କିତ ସମସ୍ୟା ଉପରେ ଦଳ ଦୃଷ୍ଟି ଆକର୍ଷଣ କରିଛି। ଗଣତନ୍ତ୍ର ଓ ଭୋଟରଙ୍କ ଅଧିକାର ସୁରକ୍ଷାକୁ ପ୍ରସଙ୍ଗ କରି ଲୋକଙ୍କ ନିକଟରେ ପହଞ୍ଚିବାକୁ କଂଗ୍ରେସ ପ୍ରୟାସ କରିଛି।
ଅନ୍ୟପକ୍ଷରେ ବିଜେପି ପକ୍ଷରୁ ଜିଲ୍ଲାସ୍ତରରେ ‘ସେବା ସଂକଳ୍ପ’ ଅଭିଯାନ ଜାରି ରହିଛି। ମାଲକାନଗିରି ଠାରୁ ଆରମ୍ଭ କରି ମୋଟୁ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଦଳୀୟ କର୍ମୀମାନେ ସ୍ୱଚ୍ଛତା ଅଭିଯାନ, ଜନସମ୍ପର୍କ ଓ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। କାଲିମେଳା ସାପ୍ତାହିକ ହାଟରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ପରେ ଜଳ ମିଶନ ସମ୍ପର୍କିତ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ଲୋକଙ୍କ ସହ ଯୋଡ଼ି ହେବାକୁ ଉଦ୍ୟମ କରାଯାଇଛି। ଦିନତମାମ ଜିଲ୍ଲାର ବିଭିନ୍ନ ସ୍ଥାନରେ କର୍ମୀମାନେ ସେବା କାର୍ଯ୍ୟ ଓ ଜନସମ୍ପର୍କ ଅଭିଯାନରେ ସାମିଲ ହୋଇଛନ୍ତି।
ଗାନ୍ଧୀ ଜୟନ୍ତୀକୁ ଆଧାର କରି ତିନି ପ୍ରମୁଖ ଦଳ ନିଜ ନିଜର ସାଙ୍ଗଠନିକ ଓ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ମାଲକାନଗିରି ଜିଲ୍ଲାରେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବନ୍ୟା ପରବର୍ତ୍ତୀ ସମସ୍ୟା, ସ୍ଥାନୀୟ ବିକାଶ, ଭୋଟର ତାଲିକା ଓ ସରକାରୀ ଯୋଜନା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଦଳଗୁଡ଼ିକ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି। ତେବେ ଏହି ଅଭିଯାନଗୁଡ଼ିକ ଜିଲ୍ଲାର ରାଜନୈତିକ ସମୀକରଣ ଓ ଆଗାମୀ ନିର୍ବାଚନୀ ପ୍ରସ୍ତୁତି ଉପରେ କି ପ୍ରଭାବ ପକାଇବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ