ଛଟ୍ ମହାପର୍ବରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପାଟନା ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଜିଟାଲ୍ ୱେବ୍ ଆପ୍
ଗୋଟିଏ କ୍ଲିକ୍ରେ ଘାଟ, ଶୌଚାଳୟ, ପାର୍କିଂ, ଚିକିତ୍ସା ଓ ସୁରକ୍ଷା ବ୍ୟବସ୍ଥାର ସୂଚନା ମିଳିବ, ଇଂଟରନେଟ୍ ନଥିଲେ ମଧ୍ୟ କରିବ କାମ ପାଟନା, ୧୪ ନଭେମ୍ବର (ହି.ସ.)- ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପଦକ୍ଷେପକ୍ରମେ ପାଟନା ଜିଲ୍ଲା ପ୍ରଶାସନ ପକ୍ଷରୁ ଛଟ୍ ମହାପର୍ବ ୨୦୨୬ ଅବସରରେ ଶ୍ରଦ୍ଧାଳୁ
छठ पूजा की फोटो


ଗୋଟିଏ କ୍ଲିକ୍ରେ ଘାଟ, ଶୌଚାଳୟ, ପାର୍କିଂ, ଚିକିତ୍ସା ଓ ସୁରକ୍ଷା ବ୍ୟବସ୍ଥାର ସୂଚନା ମିଳିବ, ଇଂଟରନେଟ୍ ନଥିଲେ ମଧ୍ୟ କରିବ କାମ

ପାଟନା, ୧୪ ନଭେମ୍ବର (ହି.ସ.)- ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପଦକ୍ଷେପକ୍ରମେ ପାଟନା ଜିଲ୍ଲା ପ୍ରଶାସନ ପକ୍ଷରୁ ଛଟ୍ ମହାପର୍ବ ୨୦୨୬ ଅବସରରେ ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଡିଜିଟାଲ୍ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି। ଏହି ଅନ୍ତର୍ଗତ ଛଟ୍ ପୂଜା ପାଟନା ଡଟ୍ କମ୍ ନାମରେ ଏକ ଅଧିକାରିକ ୱେବ୍ ଆପ୍ ବିକଶିତ କରାଯାଇଛି। ଏହି ଆପ୍ ମାଧ୍ୟମରେ ଶ୍ରଦ୍ଧାଳୁମାନେ ଛଟ୍ ଘାଟର ସ୍ଥିତି, ଶୌଚାଳୟ, ପୋଷାକ ବଦଳାଇବା କକ୍ଷ, ପାନୀୟ ଜଳ, ପାର୍କିଂ ଏବଂ ସୁରକ୍ଷା ବ୍ୟବସ୍ଥା ସମେତ ସମସ୍ତ ଆବଶ୍ୟକୀୟ ସୂଚନା ଗୋଟିଏ କ୍ଲିକ୍ରେ ପାଇପାରିବେ।

ଏହି ଆପ୍ର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଇଂଟରନେଟ୍ ନେଟୱର୍କ ଉପଲବ୍ଧ ନଥିଲେ ମଧ୍ୟ ଏହା କାମ କରିବ। ଫଳରେ ଘାଟଗୁଡ଼ିକରେ ନେଟୱର୍କ ସମସ୍ୟା ଥିଲେ ମଧ୍ୟ ଶ୍ରଦ୍ଧାଳୁମାନେ ଆବଶ୍ୟକୀୟ ସୂଚନା ପାଇପାରିବେ। ଡିଜିଟାଲ୍ ପ୍ରଯୁକ୍ତି ମାଧ୍ୟମରେ ଛଟ୍ ମହାପର୍ବକୁ ସୁରକ୍ଷିତ, ସୁଗମ ଓ ସୁବିଧାଜନକ କରିବା ଦିଗରେ ଏହାକୁ ଜିଲ୍ଲା ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।

ଚଳିତ ବର୍ଷ ଛଟ୍ ପର୍ବ ଅବସରରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୬୦୭ଟି ଅସ୍ଥାୟୀ ଶୌଚାଳୟ, ୫୬୦ଟି ୟୁରିନାଲ୍, ୪୫୩ଟି ପୋଷାକ ବଦଳାଇବା କକ୍ଷ ଏବଂ ୩୨୧ଟି ଡଙ୍ଗା ଓ ନାଉରିଆଙ୍କ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ୪୩୨ ଜଣ ଗୋତାଖୋରଙ୍କ ସହ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍ଡିଆର୍ଏଫ୍)ର ୯ଟି ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ (ଏସ୍ଡିଆର୍ଏଫ୍)ର ୮ଟି ଟିମ୍ ମୁତୟନ ରହିବେ।

ୱେବ୍ ଆପ୍ ଖୋଲିବା ମାତ୍ରେ ଶ୍ରଦ୍ଧାଳୁମାନେ ପାଟନାର ଛଟ୍ ଘାଟଗୁଡ଼ିକର ମାନଚିତ୍ର ଦେଖିପାରିବେ। ଏହା ମାଧ୍ୟମରେ ସେମାନେ ନିଜ ଆଖପାଖରେ ଥିବା ଘାଟଗୁଡ଼ିକର ସ୍ଥିତି ଏବଂ ସେଠାରେ ଉପଲବ୍ଧ ସୁବିଧା ସମ୍ପର୍କରେ ଜାଣିପାରିବେ। ଆପ୍ରେ ୯୦ଟି ସୁରକ୍ଷିତ ଘାଟ, ୮ଟି ବିପଜ୍ଜନକ ଘାଟ ଏବଂ ୭ଟି ଅନୁପଯୁକ୍ତ ଘାଟ ଚିହ୍ନଟ କରାଯାଇଛି। ଏହା ବ୍ୟତୀତ ୯ଟି ପ୍ରାଥମିକ ଚିକିତ୍ସା କେନ୍ଦ୍ର, ୧୯ଟି ସହାୟତା କେନ୍ଦ୍ର, ୨୫ଟି ଶୌଚାଳୟ ସ୍ଥାନ, ୨୭ଟି ପୋଷାକ ବଦଳାଇବା କକ୍ଷ, ୧୪ଟି ପାନୀୟ ଜଳ କେନ୍ଦ୍ର ଏବଂ ୪୬ଟି ପାର୍କିଂ ସ୍ଥଳର ସୂଚନା ମଧ୍ୟ ଉପଲବ୍ଧ କରାଯାଇଛି।

ଆପ୍ର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ୱ ହେଉଛି, ଏହା ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷିତ ଘାଟରେ ପହଂଚିବାରେ ସହାୟତା କରିବ। ବିପଜ୍ଜନକ ଏବଂ ଅନୁପଯୁକ୍ତ ଘୋଷିତ ଘାଟଗୁଡ଼ିକ ପାଇଁ ଆପ୍ରେ ଯାତାୟାତ ମାର୍ଗର ମାନଚିତ୍ର ଉପଲବ୍ଧ କରାଯିବ ନାହିଁ। ଯାହାଦ୍ୱାରା ଶ୍ରଦ୍ଧାଳୁମାନେ ଅଜାଣତରେ ବିପଦପୂର୍ଣ୍ଣ ସ୍ଥାନକୁ ଯିବାରୁ ରକ୍ଷା ପାଇପାରିବେ।

ଶ୍ରଦ୍ଧାଳୁମାନେ ନିଜର ଆବଶ୍ୟକତା ଅନୁଯାୟୀ ଆପ୍ରେ ଉପଲବ୍ଧ ବିଭିନ୍ନ ବିକଳ୍ପ ଉପରେ କ୍ଲିକ୍ କରି ସମ୍ପୃକ୍ତ ସୁବିଧା ଓ ବ୍ୟବସ୍ଥା ସମ୍ପର୍କରେ ସୂଚନା ପାଇପାରିବେ।

ଉଲ୍ଲେଖଯୋଗ୍ୟ ଯେ, ଛଟ୍ ମହାପର୍ବ ହେଉଛି ଆସ୍ଥା, ବିଶ୍ୱାସ ଓ ସୂର୍ଯ୍ୟ ଉପାସନାର ଏକ ପ୍ରମୁଖ ପର୍ବ। ଏହି ଅବସରରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଗଙ୍ଗା ସମେତ ବିଭିନ୍ନ ନଦୀ ଓ ଜଳାଶୟର ଘାଟରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଅର୍ପଣ କରିଥାନ୍ତି। ଏତେ ବିପୁଳ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁରକ୍ଷା ସୁନିଶ୍ଚିତ କରିବା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ହୋଇଥାଏ। ଜିଲ୍ଲା ପ୍ରଶାସନର ଏହି ଡିଜିଟାଲ୍ ପଦକ୍ଷେପ ଯୋଗୁଁ ଶ୍ରଦ୍ଧାଳୁମାନେ ଘାଟକୁ ଯିବା ପୂର୍ବରୁ ହିଁ ଆବଶ୍ୟକୀୟ ସୂଚନା ପାଇପାରିବେ ଏବଂ ସୁବିଧା ଖୋଜିବା ପାଇଁ ଏଣେତେଣେ ଘୂରିବାକୁ ପଡ଼ିବ ନାହିଁ।

-----------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande