
ହାଇଦ୍ରାବାଦ, ୧୪ ନଭେମ୍ବର (ହି.ସ.)- ତେଲେଙ୍ଗାନା ଭାରତୀୟ ଜନତା ପାର୍ଟି (ବିଜେପି)ର ସଭାପତି ଏନ୍. ରାମଚନ୍ଦ୍ର ରାଓ ଶନିବାର ଦାବି କରିଛନ୍ତି ଯେ, ତାଙ୍କୁ ଏବଂ ଦଳର ଅନ୍ୟ ନେତାମାନଙ୍କୁ ଗୃହବନ୍ଦୀ କରାଯାଇଛି। ସେ ହାଇଦ୍ରାବାଦରେ କଂଗ୍ରେସ ପକ୍ଷରୁ ଆୟୋଜିତ ‘ଭାରତ ସମିଟ୍’କୁ ‘ଭାରତ ବିରୋଧୀ ସମିଟ୍’ ବୋଲି ଅଭିହିତ କରିଛନ୍ତି।
ଏନ୍. ରାମଚନ୍ଦ୍ର ରାଓ ସୋସିଆଲ ମିଡିଆ ‘ଏକ୍ସ’ରେ ଅଭିଯୋଗ କରି କହିଛନ୍ତି ଯେ, କଂଗ୍ରେସ ‘ଭାରତ ବିରୋଧୀ ସମିଟ୍’ରେ ବିଶ୍ୱକୁ ଗଣତନ୍ତ୍ରର ପାଠ ପଢ଼ାଉଛି। ଅଥଚ ମାତ୍ର କିଛି କିଲୋମିଟର ଦୂରରେ ମୋତେ ଏବଂ ବିଜେପିର ଅନେକ କର୍ମୀଙ୍କୁ ଗିରଫ କିମ୍ବା ଗୃହବନ୍ଦୀ କରି ଗଣତନ୍ତ୍ରର କଣ୍ଠରୋଧ କରୁଛି।
ସେ କହିଛନ୍ତି ଯେ, ନିଜର ପ୍ରତିଶ୍ରୁତି ପୂରଣ କିମ୍ବା ଜନକଲ୍ୟାଣକାରୀ ଯୋଜନା ଲାଗୁ କରିବା ପାଇଁ ଅର୍ଥ ନାହିଁ ବୋଲି ଦାବି କରୁଥିବା କଂଗ୍ରେସ ସରକାର ଏବେ କରଦାତାଙ୍କ କଷ୍ଟ ଉପାର୍ଜିତ କୋଟି କୋଟି ଟଙ୍କା ଏଭଳି ଏକ ସମିଟ୍ରେ ଖର୍ଚ୍ଚ କରୁଛି, ଯାହା ପ୍ରକୃତରେ ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ରାଜନୈତିକ ଭାବେ ଉପସ୍ଥାପନ କରିବାର ଆଉ ଏକ ପ୍ରୟାସ ବ୍ୟତୀତ ଅନ୍ୟ କିଛି ନୁହେଁ। କଂଗ୍ରେସ ଯେତେବେଳେ ଆମ ମାତୃଭୂମିରେ ଏଭଳି କାର୍ଯ୍ୟ କରୁଛି, ସେତେବେଳେ ଆମେ ଚୁପ୍ ହୋଇ ବସିପାରିବୁ ନାହିଁ। ଆମେ ନିଶ୍ଚିତ ଭାବେ ଏହାର ବିରୋଧ କରିବୁ।
ବିଜେପିର ରାଜ୍ୟ ସଭାପତି ‘ଏକ୍ସ’ରେ କରିଥିବା ଏକ ପୋଷ୍ଟରେ କହିଛନ୍ତି ଯେ, କଂଗ୍ରେସ ସରକାର ତାଙ୍କୁ ଏପର୍ଯ୍ୟନ୍ତ ଅସଂଖ୍ୟ ଥର ଗୃହବନ୍ଦୀ କରିଛି। ସେ କହିଛନ୍ତି, ମୋର କେବଳ ଗୋଟିଏ ବାର୍ତା- ଡର ନାହିଁ।
ଏହା ବ୍ୟତୀତ ଅନ୍ୟ ଏକ ପୋଷ୍ଟରେ ସେ କହିଛନ୍ତି ଯେ, ବେଆଇନ ଭାବେ ଗୃହବନ୍ଦୀ କରି ବିଜେପିକୁ ରୋକାଯାଇ ପାରିବ ନାହିଁ। ରାହୁଲ ଗାନ୍ଧୀଙ୍କ ତେଲେଙ୍ଗାନା ଗସ୍ତକୁ ନେଇ ପ୍ରଶ୍ନ ଉଠାଇ ସେ କହିଛନ୍ତି ଯେ, ତାଙ୍କର ରାଜ୍ୟରେ ପାଦ ରଖିବାର କୌଣସି ନୈତିକ ଅଧିକାର ନାହିଁ। ହାଇଦ୍ରାବାଦରେ ଯାହା ଘଟୁଛି, ତାହା ଏକ ‘ଭାରତ ବିରୋଧୀ ସମିଟ୍’ ଏବଂ ଏହା ଦେଶର ପ୍ରତିଷ୍ଠାକୁ କ୍ଷତି ପହଂଚାଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ରାମଚନ୍ଦ୍ର ରାଓ ନିର୍ବାଚନ ସମୟରେ କଂଗ୍ରେସ କରିଥିବା ପ୍ରତିଶ୍ରୁତି ପୂରଣ ନ କରିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ସରକାର ୬ଟି ଗ୍ୟାରେଂଟି ଚାକିରି କ୍ୟାଲେଣ୍ଡର ଏବଂ ରାଇଥୁ ବନ୍ଧୁ ଯୋଜନା ଲାଗୁ କରିବାରେ ବିଫଳ ହୋଇଛି। ପ୍ରଗତିଶୀଳ ମେଂଟ ବିଦେଶୀ ଶକ୍ତିମାନଙ୍କ ସହ ମିଶି ଭାରତରେ କ୍ଷମତା ପରିବର୍ତନ ପାଇଁ ଷଡ଼ଯନ୍ତ୍ର ରଚୁଛି ବୋଲି ସେ ଅଭିଯୋଗ କରିଛନ୍ତି।
----------------
ହିନ୍ଦୁସ୍ଥାନ ସମାଚାର / ଗଗନ