ଚେନ୍ନାଇର କାରଖାନାରୁ ୫୦ କିଲୋଗ୍ରାମ ସ୍ୟୁଡୋଏଫେଡ୍ରିନ୍ ଜବତ, ବାପା-ପୁଅଙ୍କ ସମେତ ୩ ଗିରଫ
ଚେନ୍ନାଇ, ୧୪ ନଭେମ୍ବର (ହି.ସ.)- ଚେନ୍ନାଇରେ ପ୍ଲାଷ୍ଟିକ୍ ବୋତଲ ଓ ଡବା ତିଆରି କରୁଥିବା ଏକ କାରଖାନାରୁ ଲୁଚାଇ ରଖାଯାଇଥିବା ୫୦ କିଲୋଗ୍ରାମ ସ୍ୟୁଡୋଏଫେଡ୍ରିନ୍ ରାସାୟନିକ ପଦାର୍ଥ ଜବତ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ଆକଳନ କରାଯାଇଛି। ନିଶାଦ୍ରବ୍ୟ ପ୍ରସ୍ତୁ
ଚେନ୍ନାଇର କାରଖାନାରୁ ୫୦ କିଲୋଗ୍ରାମ ସ୍ୟୁଡୋଏଫେଡ୍ରିନ୍ ଜବତ, ବାପା-ପୁଅଙ୍କ ସମେତ ୩ ଗିରଫ


ଚେନ୍ନାଇ, ୧୪ ନଭେମ୍ବର (ହି.ସ.)- ଚେନ୍ନାଇରେ ପ୍ଲାଷ୍ଟିକ୍ ବୋତଲ ଓ ଡବା ତିଆରି କରୁଥିବା ଏକ କାରଖାନାରୁ ଲୁଚାଇ ରଖାଯାଇଥିବା ୫୦ କିଲୋଗ୍ରାମ ସ୍ୟୁଡୋଏଫେଡ୍ରିନ୍ ରାସାୟନିକ ପଦାର୍ଥ ଜବତ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ଆକଳନ କରାଯାଇଛି। ନିଶାଦ୍ରବ୍ୟ ପ୍ରସ୍ତୁତିରେ ବ୍ୟବହୃତ ଏହି ରାସାୟନିକ ପଦାର୍ଥ ଚୋରା ଚାଲାଣ ଅଭିଯୋଗରେ ବାପା-ପୁଅଙ୍କ ସମେତ ତିନି ଜଣଙ୍କୁ ଗିରଫ କରାଯାଇଛି।

ନାର୍କୋଟିକ୍ସ କଂଟ୍ରୋଲ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା ଯେ, ଚେନ୍ନାଇର ଏମ୍କେବି ନଗରସ୍ଥିତ ଅନ୍ନାଇ ଇନ୍ଦିରା ନଗରରେ ଥିବା ଏକ କାରଖାନାରେ ନିଶାଦ୍ରବ୍ୟ ତିଆରିରେ ବ୍ୟବହୃତ ସ୍ୟୁଡୋଏଫେଡ୍ରିନ୍ ରାସାୟନିକ ପଦାର୍ଥ ଲୁଚାଇ ରଖାଯାଇଛି। ଏହି ସୂଚନା ଆଧାରରେ ବିଭାଗର ଅଧିକାରୀମାନେ ନଭେମ୍ବର ୧୩ ତାରିଖ ରାତିରେ କାରଖାନାରେ ଚଢ଼ଉ କରିଥିଲେ। ଏହି ସମୟରେ ଦୁଇଟି ବସ୍ତାରୁ ପ୍ରାୟ ୨୫-୨୫ କିଲୋଗ୍ରାମ ହିସାବରେ ମୋଟ ୫୦ କିଲୋଗ୍ରାମ ରାସାୟନିକ ପଦାର୍ଥ ଜବତ ହୋଇଥିଲା। ଅଧିକାରୀମାନେ ଏହାକୁ ଜବତ କରିବା ସହ ଚୋରା ଚାଲାଣରେ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବାପା ଓ ପୁଅ ମଧ୍ୟ ରହିଛନ୍ତି।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ରାସାୟନିକ ପଦାର୍ଥ ହାଇଦ୍ରାବାଦରୁ ଚେନ୍ନାଇକୁ ଅଣାଯାଇଥିଲା। ଏହାକୁ ବେଆଇନ ଭାବେ ନିଶାଦ୍ରବ୍ୟ ପ୍ରସ୍ତୁତ କରି ବିଦେଶକୁ ରପ୍ତାନି କରିବାର ଯୋଜନା ଥିଲା। ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଚେନ୍ନାଇକୁ କେନ୍ଦ୍ର କରି ସକ୍ରିୟ ଥିବା ଏକ ଅନ୍ତର୍ଜାତୀୟ ଚୋରା ଚାଲାଣ ଗ୍ୟାଙ୍ଗ ଏଫେଡ୍ରିନ୍ ଏବଂ ସ୍ୟୁଡୋଏଫେଡ୍ରିନ୍ ଭଳି ରାସାୟନିକ ପଦାର୍ଥ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ସମେତ ଅନ୍ୟ ଦେଶକୁ ଚୋରା ଚାଲାଣ କରୁଥିଲା।

ଅଧିକାରୀମାନେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କ ଭୂମିକା, ରାସାୟନିକ ପଦାର୍ଥର ପ୍ରକୃତ ଉତ୍ସ, ଏହାକୁ କେଉଁ ଦେଶକୁ ପଠାଇବାର ଯୋଜନା ଥିଲା ଏବଂ ଏହି ଘଟଣାରେ ସକ୍ରିୟ ଥିବା ଦେଶୀ ଓ ଅନ୍ତର୍ଜାତୀୟ ଚୋରା ଚାଲାଣ ଗ୍ୟାଙ୍ଗର ନେଟୱର୍କ ସମ୍ପର୍କରେ ତଦନ୍ତ କରୁଛନ୍ତି।

ନାର୍କୋଟିକ୍ସ କଂଟ୍ରୋଲ ବିଭାଗ କହିଛି ଯେ, ନିଶାଦ୍ରବ୍ୟ ଚୋରା ଚାଲାଣ କରୁଥିବା ଗ୍ୟାଙ୍ଗଗୁଡ଼ିକୁ ମୂଳପୋଛ କରିବା ଏବଂ ଏହାର ପ୍ରସ୍ତୁତିରେ ବ୍ୟବହୃତ ରାସାୟନିକ କଂଚାମାଲର ବେଆଇନ ବ୍ୟବହାର ରୋକିବା ପାଇଁ ଆଗକୁ ମଧ୍ୟ ଅଭିଯାନ ଜାରି ରହିବ। ନିଶାଦ୍ରବ୍ୟ ଚୋରା ଚାଲାଣ ସମ୍ପର୍କିତ କୌଣସି ସୂଚନା ଥିଲେ ଜାତୀୟ ନାର୍କୋଟିକ୍ସ ନିରୋଧୀ ହେଲ୍ପଲାଇନ୍ ନମ୍ବର ୧୯୩୩ରେ ଜଣାଇବାକୁ ବିଭାଗ ପକ୍ଷରୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି।

------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande