
କାଠମାଣ୍ଡୁ, ୧୯ ନଭେମ୍ବର (ହି.ସ.)- ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନ୍ସିପି)ର ସଂଯୋଜକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦାହାଲ ‘ପ୍ରଚଣ୍ଡ’ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କୁ ଆଗାମୀ ଭାରତ ଗସ୍ତ ସମୟରେ ପଂଚେଶ୍ୱର ବହୁମୁଖୀ ପ୍ରକଳ୍ପ ପ୍ରସଙ୍ଗକୁ ପ୍ରମୁଖତାର ସହ ଉଠାଇବାକୁ ପରାମର୍ଶ ଦେଇଛନ୍ତି।
ରୁଷ୍ ଗସ୍ତ ଶେଷ କରି ଗୁରୁବାର ସ୍ୱଦେଶ ଫେରିଥିବା ପ୍ରଚଣ୍ଡ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସାମ୍ବାଦିକମାନଙ୍କ ସହ କଥା ହୋଇ କହିଥିଲେ ଯେ, ସେ ପଂଚେଶ୍ୱର ପ୍ରକଳ୍ପ ସମେତ ନେପାଳ-ଭାରତ ସହଯୋଗ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଆଗକୁ ବଢ଼ାଇଥିଲେ। ଏବେ ବର୍ତମାନର ନେତୃତ୍ୱ ଏହି ପ୍ରକଳ୍ପଗୁଡ଼ିକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ପଦକ୍ଷେପ ନେବା ଉଚିତ।
ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶାହଙ୍କ ଭାରତ ଗସ୍ତ ସମୟରେ ପଂଚେଶ୍ୱର ପ୍ରକଳ୍ପକୁ ଆଗକୁ ବଢ଼ାଇବା ସହିତ ଦୁଇ ଦେଶ ମଧ୍ୟରେ ବିଦ୍ୟୁତ୍ ବାଣିଜ୍ୟ ସମ୍ପର୍କିତ ତ୍ରିପାକ୍ଷିକ ଚୁକ୍ତି ଏବଂ କୃଷି ବିକାଶ ସହ ଜଡ଼ିତ ସହମତି ଓ ବୁଝାମଣାକୁ ମଧ୍ୟ ପ୍ରାଥମିକତା ଦେବା ଉଚିତ।
ପ୍ରଚଣ୍ଡଙ୍କ ମତରେ, ନେପାଳର ଶକ୍ତି କ୍ଷେତ୍ରର ବିକାଶ ଏବଂ ଆଂଚଳିକ ସହଯୋଗ ଦୃଷ୍ଟିରୁ ବିଦ୍ୟୁତ୍ ବାଣିଜ୍ୟ ସମ୍ପର୍କିତ ଚୁକ୍ତିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ। ତେଣୁ ଭାରତ ଗସ୍ତ ସମୟରେ ଏହି ପ୍ରସଙ୍ଗଗୁଡ଼ିକରେ ଠୋସ୍ ଅଗ୍ରଗତି ପାଇଁ ଉଦ୍ୟମ କରାଯିବା ଉଚିତ।
ପ୍ରଧାନମନ୍ତ୍ରୀ ଶାହଙ୍କ କାର୍ଯ୍ୟଶୈଳୀ ଏବଂ ତାଙ୍କ ଭାରତ ଗସ୍ତ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତରରେ ପ୍ରଚଣ୍ଡ କହିଥିଲେ ଯେ, ବର୍ତମାନର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ କରିବାର ଶୈଳୀ ଏବଂ ବିଦେଶ ଗସ୍ତକୁ ନେଇ କିଛିଟା ଅସ୍ପଷ୍ଟତା ରହିଛି। ତେବେ ନିଜର ରାଜନୈତିକ ଭୂମିକା ସ୍ପଷ୍ଟ କରି ସେ କହିଥିଲେ ଯେ, ସରକାର ଭଲ କାମ କଲେ ତାଙ୍କର ସମର୍ଥନ ଓ ସହଯୋଗ ରହିବ। ଅନ୍ୟପକ୍ଷରେ, ଭୁଲ୍ କାମ କଲେ ସେ ଏହାର ସମାଲୋଚନା କରିବେ।
ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକରେ ସରକାରଙ୍କୁ ସହଯୋଗ ମିଳିବ ବୋଲି ସେ ସଙ୍କେତ ଦେଇଥିଲେ। ତେବେ ସରକାରଙ୍କ କାର୍ଯ୍ୟକଳାପର ମୂଲ୍ୟାୟନ ଏହାର ନିଷ୍ପତି ଏବଂ ପରିଣାମ ଆଧାରରେ କରାଯିବ ବୋଲି ସେ କହିଥିଲେ।
ପଂଚେଶ୍ୱର ବହୁମୁଖୀ ପ୍ରକଳ୍ପ ନେପାଳ ଓ ଭାରତ ମଧ୍ୟରେ ମହାକାଳୀ ନଦୀର ଜଳ ବ୍ୟବହାର ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ମିଳିତ ପ୍ରକଳ୍ପ। ଏହି ପ୍ରକଳ୍ପ ଅଧୀନରେ ଜଳବିଦ୍ୟୁତ୍ ଉତ୍ପାଦନ, ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ଭଳି ବିଷୟ ସାମିଲ ରହିଛି। ଦୀର୍ଘଦିନ ଧରି ଆଲୋଚନା ଏବଂ ବିଭିନ୍ନ ସ୍ତରରେ ବାର୍ତାଳାପ ସତ୍ୱେ ଏହି ପ୍ରକଳ୍ପ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ସହମତି ହୋଇପାରିନାହିଁ।
ପ୍ରଚଣ୍ଡଙ୍କ ବୟାନରୁ ସଙ୍କେତ ମିଳୁଛି ଯେ, ପ୍ରଧାନମନ୍ତ୍ରୀ ଶାହଙ୍କ ଭାରତ ଗସ୍ତ ସମୟରେ ଶକ୍ତି ସହଯୋଗ, ବିଦ୍ୟୁତ୍ ବାଣିଜ୍ୟ, କୃଷି ଏବଂ ପଂଚଶ୍ୱର ପ୍ରକଳ୍ପ ଭଳି ଦୀର୍ଘଦିନରୁ ବିଚାରାଧୀନ ଦ୍ୱିପାକ୍ଷିକ ପ୍ରସଙ୍ଗଗୁଡ଼ିକୁ ପ୍ରମୁଖତା ଦେବା ସପକ୍ଷରେ ସେ ଅଛନ୍ତି।
--------------------
ହିନ୍ଦୁସ୍ଥାନ ସମାଚାର / ଗଗନ