
କାଠମାଣ୍ଡୁ, ୨୦ ନଭେମ୍ବର (ହି.ସ.)- ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ନଭେମ୍ବର ୨୨ରୁ ୨୩ ତାରିଖ ପର୍ଯ୍ୟନ୍ତ ଦୁଇଦିନିଆ ରାଜକୀୟ ଗସ୍ତରେ ଭାରତ ଆସିବେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୈତ୍ରୀପୂର୍ଣ୍ଣ ନିମନ୍ତ୍ରଣ କ୍ରମେ ହେବାକୁ ଥିବା ଏହି ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ପାରସ୍ପରିକ ସହଯୋଗର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ।
ନେପାଳ ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁସାରେ, ପ୍ରଧାନମନ୍ତ୍ରୀ ଶାହ ନଭେମ୍ବର ୨୨ ତାରିଖରେ ନେପାଳ ଏୟାରଲାଇନ୍ସର ବିମାନ ଯୋଗେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ତାଙ୍କ ସହିତ ଅର୍ଥମନ୍ତ୍ରୀ ଡକ୍ଟର ସ୍ୱର୍ଣ୍ଣିମ ୱାଗ୍ଲେ, ବୈଦେଶିକ ମନ୍ତ୍ରୀ ଶିଶିର ଖନାଲ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା କୁମାର ବ୍ୟଞ୍ଜନକାର ଏବଂ ନେପାଳ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯିବେ।
ଭାରତରେ ପ୍ରଧାନମନ୍ତ୍ରୀ ଶାହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବେ। ଏହା ବ୍ୟତୀତ ସେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ନିଜ ସମକକ୍ଷଙ୍କ ସମ୍ମାନାର୍ଥେ ପ୍ରଧାନମନ୍ତ୍ରୀ ମୋଦୀ ଏକ ଆନୁଷ୍ଠାନିକ ମଧ୍ୟାହ୍ନ ଭୋଜନର ମଧ୍ୟ ଆୟୋଜନ କରିବେ। ସେହିପରି ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହଙ୍କୁ ସାକ୍ଷାତ କରିବେ।
ବିଜ୍ଞପ୍ତିରେ କୁହାଯାଇଛି ଯେ, ନେପାଳ ଓ ଭାରତ ମଧ୍ୟରେ ଦୀର୍ଘଦିନରୁ ସଭ୍ୟତାଗତ ସମ୍ପର୍କ, ସାଂସ୍କୃତିକ ସମାନତା ଏବଂ ଗଭୀର ଜନସ୍ତରୀୟ ସମ୍ପର୍କ ଆଧାରରେ ମୈତ୍ରୀପୂର୍ଣ୍ଣ ସମ୍ପର୍କ ରହିଆସିଛି। ଉଭୟ ଦେଶ ମଧ୍ୟରେ ବ୍ୟାପକ ସହଯୋଗୀ ଭାଗିଦାରିର ସମୀକ୍ଷା କରିବା ଏବଂ ଭବିଷ୍ୟତକୁ ଦୃଷ୍ଟିରେ ରଖି ପାରସ୍ପରିକ ସହଯୋଗକୁ ଆହୁରି ମଜଭୁତ କରିବା ପାଇଁ ଏହି ଗସ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ହେବ। ଏହାର ଉଦ୍ଦେଶ୍ୟ ଉଭୟ ଦେଶର ନାଗରିକମାନଙ୍କୁ ସର୍ବାଧିକ ପାରସ୍ପରିକ ଲାଭ ପହଂଚାଇବା। ପ୍ରଧାନମନ୍ତ୍ରୀ ଶାହ ନଭେମ୍ବର ୨୩ ତାରିଖରେ ସ୍ୱଦେଶ ଫେରିବେ।
------------------
ହିନ୍ଦୁସ୍ଥାନ ସମାଚାର / ଗଗନ