
ଭୁବନେଶ୍ୱର, 03 ନଭେମ୍ବର (ହି.ସ.)
ଦାୟିତ୍ବବାନ ଆଚରଣ ପ୍ରଦର୍ଶନ
କରନ୍ତୁ ବିରୋଧୀ: ପୃଥ୍ୱୀରାଜ
- ବନ୍ୟା ସମୟରେ
ରାଜନୈତିକ ବୟାନବାଜି ନେଇ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି ।
ଯେତେବେଳେ ଜନଜୀବନରେ କୌଣସି ସମସ୍ୟା ବା କ୍ଷତି ପହଞ୍ଚେ, ସେତେବେଳେ ଏହାର ଉଚିତ ମୁକାବିଲା କରିବା ପାଇଁ ଦାୟିତ୍ୱବାନ
ରାଜନୈତିକ ଦଳଗୁଡ଼ିକ ଆଗେଇ ଆସିବା ଆବଶ୍ୟକ। ଅତୀତରେ ବିରୋଧୀ ଦଳରେ ଥିଲୁ। ସେତେବେଳେ ମଧ୍ୟ ଆମେ
କେବଳ ସରକାରଙ୍କୁ ସମାଲୋଚନା କରିନଥିଲୁ, ବରଂ ସରକାର ଯେପରି ଠିକ୍ ଢଙ୍ଗରେ ଚାଲିପାରିବେ, ସେଥିପାଇଁ ସହଯୋଗର
ହାତ ବଢ଼ାଇବା ସହ ଆବଶ୍ୟକ ମାର୍ଗ ପ୍ରସ୍ତୁତ କରିଥିଲୁ। ଯଦି କୌଣସି ରାଜନୈତିକ ଦଳ ନିଜକୁ
ଦାୟିତ୍ୱବାନ ଦଳ ବୋଲି ଭାବୁଛି, କିମ୍ବା ଜଣେ ରାଜନୈତିକ ନେତା ନିଜକୁ ଦାୟିତ୍ୱବାନ ନେତା ବୋଲି ମନେ
କରୁଛନ୍ତି, ତେବେ ଏଭଳି ସମୟରେ ସମାଲୋଚନା କରିବା ଅପେକ୍ଷା ସହଯୋଗର ହାତ ବଢ଼ାଇବା ଅଧିକ ଶ୍ରେୟସ୍କର
ହୋଇଥାନ୍ତା।
ଆଜି ଔଷଧ ବିକଳରେ ତାଟିଆ କାମୁଡ଼ିବା
ଭଳି ପରିସ୍ଥିତି ବିରୋଧୀ ଦଳରେ ଦେଖିବାକୁ ମିଳୁଛି। ନିଜର ରାଜନୈତିକ ସତ୍ତା ଭାଙ୍ଗିବାକୁ ବସିଛି, ଦଳ ଭିତରେ ବିଦ୍ରୋହ
ସୃଷ୍ଟି ହେଉଛି। ଏଭଳି ସମୟରେ ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଅନ୍ୟ ରାଜନୈତିକ ଦଳର
ନେତାମାନଙ୍କୁ ଗାଳିଗୁଲଜ କରିବା, ପ୍ୟାରୋଡି କରିବା, ମିମିକ୍ରି କରିବା ଏବଂ ଏଆଇ ଦ୍ୱାରା ପ୍ରସ୍ତୁତ ଫଟୋ ପ୍ରଚାର କରିବା
ଭଳି କାର୍ଯ୍ୟ କରାଯାଉଛି। ଏଥିରୁ ରାଜନୈତିକ ଫାଇଦା ପାଇବାର ଉଦ୍ୟମ କରାଯାଉଛି। ମୋର ମତରେ, ବିଜୁ ଜନତା ଦଳର
ଏବଂ ନବୀନ ବାବୁଙ୍କର ଦୀର୍ଘ ରାଜନୈତିକ ଅଭିଜ୍ଞତା ରହିଛି। ତେଣୁ ଉଭୟ ଯଦି ଟିକିଏ ଦାୟିତ୍ୱବାନ
ଆଚରଣ ପ୍ରଦର୍ଶନ କରନ୍ତେ, ତେବେ ତାହା ନିଶ୍ଚିତ ଭାବରେ ରାଜନୀତି ଦୃଷ୍ଟିକୋଣରୁ ଏବଂ ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ
ଅଧିକ ଉଚିତ ପଦକ୍ଷେପ ହୋଇଥାନ୍ତା। ଓଡ଼ିଶାର ସ୍ୱାର୍ଥ ପାଇଁ ସମସ୍ତେ ଏକ ସଠିକ୍ ଦିଗରେ ଆଗକୁ
ବଢ଼ିବା ଆବଶ୍ୟକ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା