ଆରପାରିରେ କୋକିଳକଣ୍ଠୀ ଗାୟିକା ଗୀତା ପଟ୍ଟନାୟକ
ଭୁବନେଶ୍ୱର, ୧୫ ଫେବୃୟାରୀ (ହି.ସ)- ଆଉ ନାହାଁନ୍ତି ଓଡ଼ିଶାର ପ୍ରମୁଖ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ, ଆକାଶବାଣୀ ଓ ଦୂରଦର୍ଶନର ‘ଟପ୍ ଗ୍ରେଡ୍‌’ ଗାୟିକା, କୋକିଳ କଣ୍ଠୀ ଗୀତା ପଟ୍ଟନାୟକ। ‘ଫୁର୍ କିନା ଉଡିଗଲା ବଣି’ ସଙ୍ଗୀତ ମୂର୍ଚ୍ଛନାରେ ଅଗଣିତ ଶ୍ରୋତାଙ୍କୁ ବାନ୍ଧି ରଖିଥିବା ଗୀତାଙ୍କ ଜୀବନ ପକ୍ଷୀ ଉଡ
ବକରବଦଜଚ


ଭୁବନେଶ୍ୱର, ୧୫ ଫେବୃୟାରୀ (ହି.ସ)- ଆଉ ନାହାଁନ୍ତି ଓଡ଼ିଶାର ପ୍ରମୁଖ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ, ଆକାଶବାଣୀ ଓ ଦୂରଦର୍ଶନର ‘ଟପ୍ ଗ୍ରେଡ୍‌’ ଗାୟିକା, କୋକିଳ କଣ୍ଠୀ ଗୀତା ପଟ୍ଟନାୟକ। ‘ଫୁର୍ କିନା ଉଡିଗଲା ବଣି’ ସଙ୍ଗୀତ ମୂର୍ଚ୍ଛନାରେ ଅଗଣିତ ଶ୍ରୋତାଙ୍କୁ ବାନ୍ଧି ରଖିଥିବା ଗୀତାଙ୍କ ଜୀବନ ପକ୍ଷୀ ଉଡିଯାଇଛି ଆରପାରିକୁ। ଆଜି ଶିବରାତ୍ରୀ ସନ୍ଧ୍ୟାରେ କଟକ ସିଡିଏସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ ଗୁରୁବାର ଦିନ ଭୁବନେଶ୍ୱରରେ ଆୟୋଜିତ ଏକ ସାହିତ୍ୟ ଉତ୍ସବରେ ସେ ଅତିଥି ରୂପେ ଯୋଗ ଦେଇଥିବା ବେଳେ ହଠାତ୍ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଚାଲିଥିଲା। ମସ୍ତିଷ୍କରେ ପ୍ରବଳ ରକ୍ତସ୍ରାବ ହେବା ଯୋଗୁଁ ସେହିଦିନ ଠାରୁ ସଂଜ୍ଞାହୀନ ଅବସ୍ଥାରେ ଆଇ.ସି.ୟୁ.ରେ ରହିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଅନ୍ତିମ ଶଯ୍ୟା ନିକଟରେ ଗୀତାଙ୍କ ସ୍ୱାମୀ ଇଂ କ୍ରିଷ୍ଣଗୋପାଳ ବାତ୍ରା, ସାନଭାଇ ପୂର୍ବତନ ପୁଲିସ୍ ଅଧିକାରୀ ସାରଦା ପ୍ରସନ୍ନ ପାତ୍ର, ପୁତୁରା ପରାଗ ପଟ୍ଟନାୟକଙ୍କ ସମେତ ଅନ୍ୟ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ।

ଆଜକୁ ଠିକ ପାଞ୍ଚମାସ ପୂର୍ବେ ତାଙ୍କର ବଡ଼ ଭଉଣୀ ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ପତ୍ନୀ ଇନ୍ଦିରାଙ୍କ ଦେହାନ୍ତ ପରେ ଗୀତା ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଥିବା ଏହି ଯଶସ୍ୱୀ କଣ୍ଠଶିଳ୍ପୀ ଗୁରୁ କ୍ଷିତୀଶ ଚନ୍ଦ୍ର ମୈତ୍ରଙ୍କ ଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିବା ପରେ କଟକ କଳା ବିକାଶ କେନ୍ଦ୍ରରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ଓ ଗୁରୁ ରାଖାଲ ଚନ୍ଦ୍ର ମହାନ୍ତିଙ୍କ ଛାତ୍ରୀ ଥିଲେ। ସେଠାରୁ ‘ସଙ୍ଗୀତ ଭୂଷଣ” ଉପାଧି ପ୍ରାପ୍ତ ହେବା ପରେ ସେ ସଙ୍ଗୀତ ଦୁନିଆରେ ପ୍ରବେଶ କରି ଖୁବ୍ କମ୍ ଦିନ ମଧ୍ୟରେ ଲୋକପ୍ରିୟତା ହାସଲ କରିଥିଲେ। ତାଙ୍କ କଣ୍ଠନିଃସୃତ ଆଧୁନିକ, ଭଜନ, ପଲ୍ଲୀଗୀତ, ଓଡ଼ିଶୀ, ଦେଶାତ୍ମବୋଧକ ସଙ୍ଗୀତ, ହିନ୍ଦୀ ଭଜନ ଓ ଗଜଲ ଶ୍ରୋତାଙ୍କୁ ବାନ୍ଧି ରଖିପାରିଥିଲା। ପ୍ରାୟ ୧୫ଟି ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରି ଗୀତା ପଟ୍ଟନାୟକ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବରେ ରାଜ୍ୟ ସରକାରଙ୍କ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ଏହି ଚଳଚ୍ଚିତ୍ର ମଧ୍ୟରେ ‘ଅଦିନ ମେଘ, ସଂସାର, ତଅପୋଇ, ନାଗଫାଶ, ମାଂସର ବିଳାପ, ଯାଯାବର, ଅଶାନ୍ତ ଗ୍ରହ, ଅକ୍ଷୟ ତୃତୀୟା, ମଥୁରା ବିଜୟ, ଆହୂତି’ ଆଦି ଅନ୍ତର୍ଭୁକ୍ତ। ପ୍ରବାଦ ପୁରୁଷ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ଓ ତୃପ୍ତି ଦାସଙ୍କ ସହ ଅନେକ କାଳଜୟୀ ସଙ୍ଗୀତରେ ସେ ମିଳିତ କଣ୍ଠଦାନ କରିଥିଲେ ଯାହା ମଧ୍ୟରେ ‘ଯାଅ ଯାରେ ଭାସି ଭାସି ଯାଅ, ନୌକା ତୋର ଭାସି ଯାଆ ଅନ୍ତର୍ଭୁକ୍ତ। ସେହିପରି ‘ଯାଯାବର’ ଚଳଚ୍ଚିତ୍ରରେ ଅକ୍ଷୟ ଓ ଗୀତାଙ୍କ ଦ୍ୱୈତ ସଙ୍ଗୀତ ‘ଦନେଇ ଦାସ କହେରେ ଭାଇ’ ଲୋକପ୍ରିୟତା ଅର୍ଜନ କରିଥିଲା। ଗୀତା ପଟ୍ଟନାୟକଙ୍କ ନିଜସ୍ୱ ଲୋକପ୍ରିୟ ସଙ୍ଗୀତ ମଧ୍ୟରେ ‘ନଦୀ ତ ନେଇଛି ତା’ର ଆପଣା ଗତି’, ‘ମନ ମୋର ପଦ୍ମପତ୍ର ସମ’, ‘ନଦୀ ଫେରେ ସାଗରକୁ, ପକ୍ଷୀ ଫେରେ ନୀଡ଼’, ‘ଯଉତୁକ ନେବ ଚଢା’, ‘ଆହା ଡଙ୍ଗାରେ ବସିଗଲେ ଦୁଇଭାଇ ଗଙ୍ଗା’, ‘ଦେହରେ ବୋଳିଦିଅ ରଙ୍ଗ’, ‘ହଳଦୀ’, ‘ତୋର ମୋର କଥା ହେବା ଚୁପ୍‌ଚାପ୍‌’, ‘ସବୁ ଦୀପ ଲିଭିଗଲା ପରେ’, ‘ଏଇ ଆମରି ଗାଁ’ ଆଦି ଅନ୍ତର୍ଭୁକ୍ତ। ଫକୀର ମୋହନଙ୍କ ଗଳ୍ପ ଉପରେ ପ୍ରସ୍ତୁତ ଗୀତିନାଟ୍ୟ ‘ଶ୍ରୀମତୀ ସମାର୍ଜନୀ’ରେ ମଧ୍ୟ ସେ କଣ୍ଠଦାନ କରିଥିଲେ।

ନିଜର ସଙ୍ଗୀତ ସାଧନା ପାଇଁ ଗୀତା ପଟ୍ଟନାୟକ ଶତାଧିକ ପୁରସ୍କାର ଓ ସମ୍ମାନର ଅଧିକାରିଣୀ ହୋଇଥିଲେ। ସେଥିମଧ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ଓଡ଼ିଶା ଗୀତିକବି ସମ୍ମାନ, ଅକ୍ଷୟ ସ୍ମୃତି ସମ୍ମାନ, ଉତ୍କଳ ସାହିତ୍ୟ ସମାଜ ସମ୍ମାନ, ନିଖିଳ ଉତ୍କଳ ଶିଳ୍ପୀ ପରିଷଦ ସମ୍ମାନ, ଓଡ଼ିଶା ସିନେକ୍ରିଟିକ ସମ୍ମାନ, ବାଣୀଚିତ୍ର ସିନେ ସମ୍ମାନ, ପ୍ରାଣନାଥ ଆୱାର୍ଡ ଆଦି ଅନ୍ତର୍ଭୁକ୍ତ। ସେ ବହୁବାର ରାଜ୍ୟ ସରକାରଙ୍କ ଚଳଚ୍ଚିତ୍ର ଜୁରୀ କମିଟିର ସଦସ୍ୟା, ସାତବର୍ଷ କାଳ ତରଙ୍ଗ ଚଳଚ୍ଚିତ୍ର ଜୁରୀ କମିଟି ସଦସ୍ୟା ଏବଂ ଆକାଶବାଣୀ ଅଡିସନ ବୋର୍ଡ଼ର ସଦସ୍ୟା ଥିଲେ। ଦିଲ୍ଲୀ ଦୂରଦର୍ଶନ ଜାତୀୟ କାର୍ଯ୍ୟକ୍ରମ ଓ ସି.ପି.ସି. କାର୍ଯ୍ୟକ୍ରମରେ ମଧ୍ୟ ଗୀତା ଅଂଶଗ୍ରହଣ କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ସହରରେ ସେ ସଙ୍ଗୀତ ପରିବେଷଣ କରି ପ୍ରଶଂସିତ ହୋଇଥିଲେ। ଗୀତା ପଟ୍ଟନାୟକଙ୍କ ବିୟୋଗ ସମ୍ବାଦ ପ୍ରଚାରିତ ହେବା ପରେ ଓଡ଼ିଆ ସଙ୍ଗୀତ ଓ ଚଳଚ୍ଚିତ୍ର ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ହସ୍ପିଟାଲ ଓ ତାଙ୍କର ମହାନ୍ତିପଡ଼ା ବାସଭବନକୁ ଯାଇ ଶେଷଦର୍ଶନ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande