
ମାଲକାନଗିରି, ୧ ମାର୍ଚ୍ଚ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରୁ ରାଜ୍ୟସ୍ତରୀୟ କ୍ରିକେଟ ମଇଦାନକୁ ଓହ୍ଲାଇବେ ନୂଆ ଅମ୍ପାୟାର । କଠିନ ପରିଶ୍ରମ ଓ କ୍ରିକେଟ ପ୍ରତି ଥିବା ନିଷ୍ଠା ସୌମ୍ୟରଞ୍ଜନ ପ୍ରଧାନଙ୍କୁ ବଡ ସଫଳତା ଆଣିଦେଇଛି । ଓଡ଼ଶା କ୍ରିକେଟ ଆସୋସିଏସନ ପକ୍ଷରୁ ଆୟୋଜିତ ଅମ୍ପାୟାର ପରୀକ୍ଷା ୨୦୨୫ ରେ ଜିଲ୍ଳାର କ୍ରୀଡା ପ୍ରତିଭା ସୌମ୍ୟରଞ୍ଜନ ପ୍ରଧାନ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨୫ ଜଣ ପ୍ରତିଯୋଗୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ଏଥିରେ କାଲିମେଳାର ସୌମ୍ୟରଞ୍ଜନ ପ୍ରଧାନ ୬ ନଂ ସ୍ଥାନରେ ରହି କୃତିତ୍ୱ ଅର୍ଜନ କରିଛନ୍ତି । ଓସିଏ ତରଫରୁ ଅନୁଷ୍ଠିତ ଏହି ପରୀକ୍ଷାରେ ମୋଟ୍ ୧୫୦ ନମ୍ବରରୁ ସୌମ୍ୟରଞ୍ଜନ ୧୧୨ ନମ୍ବର ରଖିଥିବା ଜଣାପଡ଼ିଛି । ଏହି ସଫଳତା ପାଇଁ ତାଙ୍କୁ ଜିଲ୍ଳାର ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଥିବା ବେଳେ ପୁଅର ଏହି ଉପଲବ୍ଧି ଉଭୟ ପିତା ମାତାଙ୍କ ଦୀର୍ଘ ଦିନର ସଂଘର୍ଷର ଫଳ ଦେବା ସହ ଉଭୟ ପିତା ମାତା ଓ ସୌମ୍ୟରଞ୍ଜନଙ୍କ ପାଇଁ ଅଭିନନ୍ଦନର ସୁଅ ଛୁଟିଛି । ଆଗାମୀ ଦିନରେ ସେ ଓଡ଼ିଶା କ୍ରିକେଟର ବିଭିନ୍ନ ମ୍ୟାଚ୍ ପରିଚାଳନାରେ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିବେ ବୋଲି ଲୋକେ ଆଶା ରଖିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ