
ନୂଆଦିଲ୍ଲୀ, 13 ମାର୍ଚ୍ଚ (ହି.ସ.)- ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ଦେଶରେ ବଢ଼ୁଥିବା ନିଖୋଜ
ବ୍ୟକ୍ତିଙ୍କ ସଂଖ୍ୟା ଏବଂ ସେମାନଙ୍କୁ ଖୋଜିବାରେ ପ୍ରଶାସନର ନିରାଶାଜନକ କାର୍ଯ୍ୟଦକ୍ଷତା ଉପରେ
କଡା ମନୋଭାବ ଗ୍ରହଣ କରିଛି। ଆୟୋଗ ଏହି ବିଷୟରେ ସ୍ୱୟଂପ୍ରେରିତ ଭାବେ ବିଚାରକୁ ନେଇ ବିହାର,
ଓଡ଼ିଶା, ତେଲେଙ୍ଗାନା, ମହାରାଷ୍ଟ୍ର, ରାଜସ୍ଥାନର ମୁଖ୍ୟ ସଚିବମାନେ ଓ ପୁଲିସ
ମହାନିର୍ଦ୍ଦେଶକମାନଙ୍କୁ (ଡିଜିପି) ନୋଟିସ୍ ଜାରି କରି ଦୁଇ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ
ମାଗିଛି।
ଆୟୋଗ କହିଛି ଯେ ୯ ମାର୍ଚ୍ଚ ୨୦୨୬ର ଏକ ମିଡିଆ ରିପୋର୍ଟ
ଅନୁସାରେ ଏନସିଆରବିର ତଥ୍ୟରୁ ଜଣାପଡ଼େ ଯେ ମାନବ ତସ୍କରିର ସର୍ବାଧିକ ମାମଲା ଓଡିଶା, ବିହାର, ତେଲଙ୍ଗାନା ଓ ମହାରାଷ୍ଟ୍ରରେ
ରେକର୍ଡ ହୋଇଛି। କିଶୋରଙ୍କ ତସକରି ମାମଲାରେ ଓଡିଶା ସର୍ବାଗ୍ରେ ଅଛି, ତାପରେ ବିହାର ଅଛି। କିଶୋରୀଙ୍କ
ତସ୍କରି ମାମଲାରେ ରାଜସ୍ଥାନରେ ସର୍ବାଧିକ ମାମଲା ରେକର୍ଡ ହୋଇଛି। ଏହି ଶିଶୁମାନଙ୍କୁ ଭିକ୍ଷା
ମାଗିବା, ଶିଶୁ ଶ୍ରମ, ବେଶ୍ୟାବୃତ୍ତି ଓ ଅନ୍ୟାନ୍ୟ ଅବୈଧ କାର୍ଯ୍ୟରେ ଠେଲିଦିଆଯାଉଥିବା ସନ୍ଦେହ କରାଯାଉଛି।
ବିହାରରେ ୨୦୧୩ ଠାରୁ ପ୍ରତିବର୍ଷ ୧୨–୧୪ ହଜାର ନିଖୋଜ
ବ୍ୟକ୍ତିଙ୍କ ମାମଲା ରେକର୍ଡ ହେଉଥିବା ବେଳେ ତାହାର ମାତ୍ର ଦୁଇ-ତୃତୀୟାଂଶକୁ ମାତ୍ର ଉଦ୍ଧାର
କରାଯାଇପାରିଛି। ସେମାନଙ୍କ ମଧ୍ୟରୁ ଅନେକେ ଶିଶୁ ଅଛନ୍ତି।
ଆୟୋଗ ଏହି ରିପୋର୍ଟରେ ନିଖୋଜ ବ୍ୟକ୍ତି, ବିଶେଷକରି ଶିଶୁମାନଙ୍କ ବଢ଼ୁଥିବା
ସଂଖ୍ୟାକୁ ମୁକାବିଲା କରିବା ପାଇଁ ନିଆଯାଉଥିବା ପ୍ରସ୍ତାବିତ ପଦକ୍ଷେପ ବିଷୟରେ ସୂଚନା ଦେବାକୁ
କହିଛି। ସେହି ସହ ଏନସିଆରବି ଠାରୁ ଏହି ରାଜ୍ୟଗୁଡିକରେ ନିଖୋଜ ବ୍ୟକ୍ତିଙ୍କ ସ୍ଥିତି
ସମ୍ପର୍କିତ ସବୁଠାରୁ ନୂତନ ପରିସଂଖ୍ୟାନ ତଥ୍ୟ ମଧ୍ୟ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା