
ଗଞ୍ଜାମ, ୨୬ ମାର୍ଚ୍ଚ (ହି.ସ.)- ଗଞ୍ଜାମ ଜିଲା ଭଞ୍ଜନଗରର ଡହ ଜଳସେଚନ ଉପଖଣ୍ଡ ଏସଡିଓ ପଂଚୁ ବେହେରାଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢ଼ଉ ହୋଇଛି । ତାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ୍ ଗୁରୁବାର ସକାଳୁ ଚଢ଼ଉ କରିଛନ୍ତି । ଏକ ସଙ୍ଗେ ୫ଟି ସ୍ଥାନରେ ଚଢଉ କରାଯାଇଛି । ସେଗୁଡିକ ହେଲା ଭଞ୍ଜନଗର ସ୍ଥିତ ତାଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନ, ବ୍ରହ୍ମପୁର ବସନ୍ତବିହାର ସ୍ଥିତ ଏକ ତିନି ମହଲା କୋଠା, ବ୍ରହ୍ମପୁର ଭୀମା ନଗରରେ ଥିବା ସମ୍ପର୍କୀୟଙ୍କ ଘର ଏବଂ ପୋଲସରା ସ୍ଥିତ ପୈତୃକ ଘରେ ଚଢ଼ଉ ହୋଇଛି । ଏହି ସମୟରେ ତାଙ୍କ ଘରୁ ନଗଦ ୧୮ ଲକ୍ଷ ୯୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ମିଳିଛି । ବ୍ରହ୍ମପୁର ସହରରେ ତାଙ୍କର ଏକ ବହୁତଳ ବିଶିଷ୍ଟ କୋଠା ଏବଂ ୫ଟି ମୂଲ୍ୟବାନ ପ୍ଲଟ ଥିବା ଜଣାପଡ଼ିଛି । ଚଢ଼ଉ ଜାରି ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।
ଏହି ଚଢ଼ଉରେ ଭିଜିଲାନ୍ସର ୩ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ୍ ରହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ