
କେନ୍ଦ୍ରାପଡ଼ା,୨୮ ମାର୍ଚ୍ଚ(ହି.ସ.) – କୁଦାନଗରୀ ଥାନା ଅନ୍ତର୍ଗତ ଦିଆନପାଟଣାରେ ଘଟିଛି ଏକ ଦୁଃଖଦ ସଡ଼କ ଦୁର୍ଘଟଣା। ବାସନ୍ତୀ ପୂଜା ଅବସରରେ ଅପେରା ଦେଖି ଘରକୁ ଫେରୁଥିବା ସମୟରେ ସୁକାନ୍ତି ଦାସ ଓ ତାଙ୍କ ସ୍ୱାମୀଙ୍କୁ ଲିଟୁ ବେହେରା ନାମକ ଜଣେ ଯୁବକ ବାଇକ୍ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଏହି ଧକ୍କାରେ ସୁକାନ୍ତି ଦାସ ଗୁରୁତର ଆହତ ହୋଇ ପଛମୁଣ୍ଡରେ ଭୟଙ୍କର ଚୋଟ ପାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଅଭିଯୁକ୍ତ ବାଇକ୍ ଚାଳକଙ୍କୁ ଶୀଘ୍ର ଗିରଫ କରିବା ଦାବିରେ ପରିବାର ଓ ସ୍ଥାନୀୟ ଲୋକେ ଦିଆନପାଟଣା ନିକଟରେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ପ୍ରାୟ ଦୁଇ ଘଂଟା ଧରି ଅଖ ଚକ ବନ୍ଦ ହୋଇଥିବାରୁ ପାଟକୁରା ଓ କେନ୍ଦ୍ରାପଡ଼ା ମଧ୍ୟରେ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ଉତେଜିତ ଲୋକଙ୍କୁ ବୁଝାଇ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିଥିଲେ। ତିନି ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରିବା ପ୍ରତିଶ୍ରୁତି ଦେବା ପରେ ପ୍ରତିବାଦକାରୀମାନେ ରାସ୍ତା ଅବରୋଧ ଉଠାଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି