
ଜୟପୁର, ୦୭ ମାର୍ଚ୍ଚ (ହି.ସ.) - କୋରାପୁଟ ଜବାହାର ନବୋଦୟ ବିଦ୍ୟାଳୟର ଦଶମ ଶ୍ରେଣୀର ତିନି ଛାତ୍ର ପାଣିରେ ବୁଡ଼ି ମୃତ ହୋଇଥିବା ଜଣାଯାଇଛି । ତିନି ଦଶମ ଶ୍ରେଣୀ ଛାତ୍ର ଆଜି ନବୋଦୟ ବିଦ୍ୟାଳୟ ନିକଟ କୋଲାବ ଜଳଭଣ୍ଡାରକୁ ଗାଧୋଇ ଯାଇଥିବା ସମୟରେ ପାଣିରେ ବୁଡ଼ିଯାଇଥିଲେ। ସ୍ଥାନୀୟ ବାସିନ୍ଦା ତିନି ଛାତ୍ରଙ୍କୁ ଉଦ୍ଧାର କରି କୋରାପୁଟ ସହିଦ ଲକ୍ଷ୍ମୀଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ମେଡିକାଲରେ ଡାକ୍ତର ମୃତ ଘୋଷଣା କରିବା ପରେ ଶୋକର ଛାୟା ଖେଳିଯାଇଥିଲା। ଘଟଣା ସ୍ଥଳରେ ପୋଲିସ ପହଂଚି ଶବ ଜବତ କରିବା ସହିତ ଅଧିକ ତଦନ୍ତ କରୁଛି। କେଉଁ ପରିସ୍ଥିତିରେ ଛାତ୍ର ମାନେ ନଦୀ କୁ ଗାଧୋଇବା ପାଇଁ ଯାଇଥିଲେ ତାହା ଏବେ ଜଣା ପଡି ନାହିଁ। ମୃତକ ଛାତ୍ର ମାନେ ହଷ୍ଟେଲ ରେ ରହି ପଢୁଥିଲେ। ମୃତକ ମାନେ ହେଲେ ଦଶମ ଶ୍ରେଣୀର ଛାତ୍ର ଲିଙ୍ଗରାଜ ଖିଲ, ସ୍ୱସ୍ତିକ ଓ ଓମ ପ୍ରକାଶ ବୋଲି ଜଣା ପଡିଛି। ମୃତକଙ୍କ ପରିବାର ବିଦ୍ୟାଳୟ ର ଅବହେଳାକୁ ଦାୟୀ କରିଛନ୍ତି। ସୂଚନା ପାଇବା ପରେ କୋରାପୁଟ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ନବୋଦୟ ବିଦ୍ୟାଳୟ ନିକଟ କୋଲାବ ଜଳଭଣ୍ଡାରରେ ଗାଧୋଇବାକୁ ଯାଇଥିବା ସମୟରେ ପାଣିରେ ବୁଡ଼ିଯାଇଥିଲେ ବୋଲି କୋରାପୁଟ ଉପଖଣ୍ଡ ପୋଲିସ ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ ସୂଚନା ଦେଇଛନ୍ତି।
କୋରାପୁଟ ଶବ ବ୍ୟବଚ୍ଛେଦ ଗୃହରେ ମୃତଦେହ ରଖାଯାଇଛି ବୋଲି ସେ କହିଛନ୍ତି। ସୂଚନା ମୁତାବକ ମୃତ ଛାତ୍ରମାନେ ହେଲେ ,କୋରାପୁଟ ବ୍ଲକର ଲିଙ୍ଗରାଜ ଖିଲ, ଲମତାପୁଟ ବ୍ଲକର ଓମ୍ ପ୍ରକାଶ ବେହେରା ଏବଂ ଲକ୍ଷ୍ମୀପୁର ବ୍ଳକର ସ୍ୱସ୍ତିକ ହାଲୁଆ। ବୋଲି ଜଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି