
ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)- ଜେଇଇ (ମେନ୍) ପରୀକ୍ଷାରେ ସଫଳ ହୋଇଥିବା ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ଏଥିରେ କୃତୀତ୍ୱ ହାସଲ କରିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।
ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଜେଇଇ (ମେନ୍) ୨୦୨୬ରେ ସଫଳତା ହାସଲ କରିଥିବା ଓଡ଼ିଶାର ସମସ୍ତ ମେଧାବୀ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଅଭିନନ୍ଦନ। ଆଗାମୀ ଜେଇଇ (ଏଡଭାନ୍ସଡ୍) ପରୀକ୍ଷା ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସମସ୍ତଙ୍କୁ ମୋର ଅନେକ ଶୁଭକାମନା। ମୋର ବିଶ୍ୱାସ, ଆମ ମେଧାବୀ ଛାତ୍ରଛାତ୍ରୀମାନେ ନିଜର ଦକ୍ଷତା ଓ ନିଷ୍ଠା ବଳରେ ସମୃଦ୍ଧ ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ।
ମୁଖ୍ୟମନ୍ତ୍ରୀ ଆହୁରି ଲେଖିଛନ୍ତି ଜେଇଇ (ମେନ୍) ୨୦୨୬ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ର ଛାତ୍ରଛାତ୍ରୀଙ୍କ ଚମତ୍କାର ପ୍ରଦର୍ଶନ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଆନନ୍ଦିତ। ମୋଟ ୧୪୧ ଜଣ ମେଧାବୀ ଛାତ୍ରଛାତ୍ରୀ ଜେଇଇ (ଏଡଭାନ୍ସଡ୍) ପାଇଁ ଯୋଗ୍ୟତା ଅର୍ଜନ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସମସ୍ତ କୃତୀ ପରୀକ୍ଷାର୍ଥୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା।
ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଓ ଅଭିଭାବକମାନଙ୍କ ମାର୍ଗଦର୍ଶନକୁ ସାଧୁବାଦ ଜଣାଉଛି। ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା