




ସୁବର୍ଣ୍ଣପୁର, 21 ଏପ୍ରିଲ୍ (ହି.ସ.)
: ରାଜ୍ୟର ଗ୍ରାମୀଣ ଓ ସହର ଅଞ୍ଚଳର ଯୁବ ଖେଳାଳୀଙ୍କୁ ଖେଳକୁଦ ମାଧ୍ୟମରେ ଆଗକୁ ଆଣିବା, ତାଙ୍କ ଲୁକାଇତ ଥିବା ପ୍ରତିଭାକୁ ଉନ୍ମୋଚନ କରିବା ଓ ଭବିଷ୍ୟତରେ ରାଜ୍ୟ ଓ ଜାତୀୟ ସ୍ତରରେ ଖେଳିବାକୁ ସକ୍ଷମ ଖେଳାଳୀ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ବୃହତ୍ କ୍ରୀଡ଼ା ଅଭିଯାନ ଆୟୋଜନ କରାଯାଇଛି। ପ୍ରତିଯୋଗିତାର ପ୍ରଥମ ଦିନରୁ ହିଁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଖେଳପ୍ରେମୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଯାଇଛି ।
ଆଜି ସୋନପୁର ସହର ସ୍ଥିତ ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ସି ଏମ ଟ୍ରଫି ପ୍ରତିଯୋଗିତାକୁ ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର(ସାଧାରଣ) ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ସୁବର୍ଣ୍ଣପୁର ( ରାଜସ୍ବ) ଶ୍ରୀ ରାଜେନ୍ଦ୍ର ମାଝୀ ଉପସ୍ଥିତ ରହି ସିଏମ ଟ୍ରଫି ପ୍ରତିଯୋଗିତା କୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଦିବସରେ ଭଲିବଲ୍, ଖୋ ଖୋ ଓ କବାଡି ଖେଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆକର୍ଷଣୀୟ ମ୍ୟାଚ୍ ଦେଖିବାକୁ ମିଳିଥିଲା । ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରୁ ଖେଳାଳୀ ମାନେ ଉତ୍ସାହର ସହିତ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଉଭୟ ବାଳକ ଓ ବାଳିକା ବିଭାଗରେ ଭଲିବଲ, କବାଡି ଓ ଖୋ ଖୋ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଭଲିବଲ ଖେଳ ବାଳକ ବିଭାଗରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ବିଜୟୀ ହୋଇଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟ ସୋନପୁର ରନର୍ସ ଅପ୍ ହୋଇଥିଲା । ସେହିଭଳି ଭଲିବଲ୍ ଖେଳ ବାଳିକା ବିଭାଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ତରଭା ବିଜୟୀ ହୋଇଥିଲା । କବାଡି ଖେଳ ବାଳକ ବିଭାଗରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମଗଲା ବିଜୟୀ ହୋଇଥିବା ବେଳେ ସାଇକୃପା ଶିକ୍ଷା ନିକେତନ ରନର୍ସ ଅପ୍ ହୋଇଥିଲା। ସେହିଭଳି କବାଡି ଖେଳ ବାଳିକା ବିଭାଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତରଭା ଚାମ୍ପିଅନ ହୋଇଥିବା ବେଳେ ସୋନପୁର ବ୍ଲକ ରନର୍ସ ଅପ୍ ହୋଇଥିଲା । ଖୋ ଖୋ ଖେଳ ବାଳକ ବିଭାଗରେ ସାଇ କୃପା ଶିକ୍ଷା ନିକେତନ ଚାମ୍ପିଅନ ଏବଂ ସୋନପୁର ବ୍ଲକ ରନର୍ସ ଅପ୍ ହୋଇଥିଲା । ଖୋ ଖୋ ଖେଳ ବାଳିକା ବିଭାଗରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତରଭା ଚାମ୍ପିଅନ ଏବଂ ସୋନପୁର ବ୍ଲକ ରନର୍ସ ଅପ୍ ହୋଇଥିଲା । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ବାଲାଜୀ ବିଶ୍ଵନାଥ ଏବଂ ଜିଲ୍ଲା କ୍ରୀଡ଼ା ଏବଂ ଯୁବସେବା ଅଧିକାରୀ ଚିତ୍ତରଞ୍ଜନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆଥଲେଟିକ ଏସୋସିଏସନ୍ ର ସଭାପତି ପୀୟୂଷ ପଣ୍ଡା ଏହାକୁ ସଂଯୋଜନା କରିଥିଲେ । ଏହିପରି ପ୍ରତିଯୋଗିତା ମାଧ୍ୟମରେ ଗ୍ରାମୀଣ ଓ ଜିଲ୍ଲାସ୍ତରର ପ୍ରତିଭା ମାନ ପ୍ରସ୍ଫୁଟିତ ହୋଇ ଭବିଷ୍ୟତରେ ରାଜ୍ୟ ଓ ଜାତୀୟ ସ୍ତରରେ ଓଡିଶାର ନାମକୁ ଉଜ୍ଜଳ କରିବେ ବୋଲି ମତପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ