



ସମ୍ବଲପୁର, ୨୧, ଏପ୍ରିଲ୍ (ହି.ସ.) ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅଧୀନରେ ଆଜି ସମ୍ବଲପୁର ଧନୁପାଲି ସ୍ଥିତ ଆଦିତ୍ୟ କଲ୍ୟାଣ ମଣ୍ଡପ ପରିସରରେ ଏକ ଭବ୍ୟ ଗଣବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚୟନ ହୋଇଥିବା ୨୨ ଯୋଡା ବରବଧୂ ନିଜର ବୈବାହିକ ଜୀବନ ଆରମ୍ଭ କରିଛନ୍ତି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଯୋଗଦେଇ ନବବିବାହିତ ଦମ୍ପତିଙ୍କୁ ଶୁଭାଶିଷ ପ୍ରଦାନ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ ନିଜ ବକ୍ତବ୍ୟରେ ରାଜ୍ୟ ସରକାରଙ୍କ ଏହି ଯୋଜନାର ଉଦ୍ଦେଶ୍ୟ ଓ ଆବଶ୍ଯକତା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ସରକାରଙ୍କ ଏହି ଅନୁକମ୍ପା ମୂଳକ ଯୋଜନା ସାଧାରଣ ଲୋକଙ୍କ ଜୀବନରେ ଖୁସି ଆଣିଦେବା ସହିତ ସମାଜରେ ଏହା ଏକ ସକରାତ୍ମକ ବାର୍ତ୍ତା ସୃଷ୍ଟି କରି ପାରିବ। ୨୦୪୭ ମସିହା ବେଳକୁ ଭାରତ ବର୍ଷ ଏକ ବିକଶିତ ରାଷ୍ଟ୍ର ହେବାକୁ ଥିବା ବେଳେ ଏବଂ ୨୦୩୬ ମସିହା ଓଡ଼ିଶାର ୧୦୦ ବର୍ଷ ପୂର୍ତ୍ତି ଅବସରକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ପରିବାର ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଦକ୍ଷତା ହାସଲ କରିବା ପାଇଁ ସେ ଆହ୍ୱାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ସିଡିଓ କମ୍ ଇଓ ପ୍ରସନ୍ନ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ସୁଚିସ୍ମିତା ପଟ୍ଟନାୟକ ଏବଂ ଜିଲ୍ଲା ପରିଷଦ ସଭାନେତ୍ରୀ କୁମୁଦିନୀ ନାୟକ ପ୍ରମୁଖ ଉପସ୍ଥିତ ରହି ନବବିବାହିତା ବରବଧୂଙ୍କୁ ଶୁଭ କାମନା କରିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ। ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏବଂ ସ୍ଥାନୀୟ ବରିଷ୍ଠ ନାଗରିକ ସମାଜ ଓ ନାଗରିକ ପରିଷଦର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା। ବୈଦିକ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଉପସ୍ଥିତ ଅତିଥିମାନେ ନବବିବାହିତ ଦମ୍ପତିଙ୍କ ସୁଖମୟ ଭବିଷ୍ୟତ କାମନା କରିବା ସହ ସରକାରଙ୍କ ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଗଣବିବାହ କାର୍ଯ୍ୟକ୍ରମ ଅବସରରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ନବବିବାହିତ ଦମ୍ପତିମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ସରୋଜା ବେହେରା ଧନ୍ୟବାଦ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମକୁ ଶେଷ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ