
ନୂଆପଡ଼ା, ୨୧ ଏପ୍ରିଲ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମପଞ୍ଚାୟତ ସ୍ଥିତ ଆଦିବାସୀ ବହୁଳ ଗୁଡଭେଲି ଗାଁରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା। ସରକାରଙ୍କ ବସୁଧା ଯୋଜନାରେ ଏହି ଗାଁକୁ ନିକଟସ୍ଥ ସୁନ୍ଦର ନଦୀରୁ ୧୯୯୭ ମସିହାରୁ ପାଇପ ଯୋଗେ ଜଳ ଯୋଗାଣ କରାଯାଇଛି ସତ, ହେଲେ ଗାଁକୁ ଗୋଟିଏ ଦିନ ଜଳ ଯୋଗାଣ ହେଲେ ତିନି ଦିନ ଜଳ ଯୋଗାଣ ବନ୍ଦ ରହୁଛି । ଏଭଳି ଖାମଖିଆଳି ଭାବରେ ଜଳ ଯୋଗାଣ ହେଉଥିବାରୁ ବୁନ୍ଦାଏ ପାଣିପାଇଁ ଗାଁଲୋକେ ଏବେ ଡହଳ ବିକଳ ହେଉଥିବା ଦେଖାଦେଇଛି। ଶେଷରେ ବାଧ୍ୟ ହୋଇ ଗାଁର ମହିଳା ମାନେ ଶୋଷ ମେଣ୍ଟାଇବା ପାଇଁ ୨ କି.ମି. ଦୂର ସୁନ୍ଦର ନଦୀ ପଠାରେ ଗାତ ଖୋଳି ଦୂଷିତ ପାଣିକୁ ସଂଗ୍ରହ କରି ପାନୀୟ ଜଳ ଭାବରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଅପରପକ୍ଷେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ବିଭାଗ ଗାଁର ପାଣି ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା ଗାଁର ମହିଳାମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ସଦର ମହୁକମା ଠାରୁ ୮୦ କି.ମି. ଦୂରତାରେ ଅବସ୍ଥିତ ଡୁଆଝର ଗ୍ରାମ ପଞ୍ଚାୟତର ଆଦିବାସୀ ବହୁଳ ଗୁଡ଼ଭେଲି ଗାଁ। ଏହି ଗାଁରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଗ୍ରୀଷ୍ମ ପ୍ରବାହରେ ଶୋଷ ମେଣ୍ଟାଇବା ପାଇଁ ଗାଁରେ ମହିଳା ମାନେ ୨ କି.ମି. ଦୂରତା ସୁନ୍ଦର ନଦୀ ପଠାରେ ଗାତ ଖୋଳି ପାଣି ସଂଗ୍ରହ କରୁଥିବା ଦେଖାଦେଇଛି। ଗାଁର ମହିଳା ମାନେ ଦଳ ଦଳ ହୋଇ ପ୍ରଚଣ୍ଡ ମୁଣ୍ଡ ଫଟା ଖରାକୁ ଖାତିରି ନକରି ବାଧ୍ୟହୋଇ ନଦୀ ପଠାକୁ ଯାଇ ନଦୀର ଦୂଷିତ ଜଳକୁ ସଂଗ୍ରହ କରୁଛନ୍ତି। ଏହି ପାଣି ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥିବା ବେଳେ, ବିକଳ୍ପ ବ୍ୟବସ୍ଥା ନପାଇ ବାଧ୍ୟ ହୋଇ ଏହି ପାଣିରେ ଶୋଷ ମେଣ୍ଟାଉଥିବା ଗାଁ ମହିଳାମାନେ ପ୍ରକାଶ କରିଛନ୍ତି। ଏହି ଗ୍ରାମରେ ବସୁଧା ଯୋଜନାରେ ୧୯୯୭ ମସିହାରେ ନିକଟସ୍ଥ ସୁନ୍ଦର ନଦୀ ତଟରେ ଗଭୀର କୂପ ଖୋଳି ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେଉଥିଲା । ଗତ ୨୦୧୬ ମସିହା ପର୍ଯ୍ୟନ୍ତ ଗାଁ ଲୋକେ ଭଲ ଭାବରେ ପାଣି ପାଉଥିଲେ। ହେଲେ ୨୦୧୭ ମସିହାରୁ ଏହି ଜଳ ଯୋଗାଣ ପ୍ରକଳ୍ପ ସହ ସ୍ଥାନୀୟ ଡୁଆଝର ଗାଁକୁ ଯୋଡି ଦେଲା ପ୍ରଶାସନ। ଏହାପରେ ସମସ୍ୟା ଆରମ୍ଭ ହେଲା ଓ ଗୁଡଭେଲି ଗାଁକୁ ପାଣି ପହଞ୍ଚି ପାରିଲା ନାହିଁ। ଗୋଟିଏ ଦିନ ଜଳ ଯୋଗାଣ ହେଲେ ତିନି ଦିନ ଜଳ ଯୋଗାଣ ବନ୍ଦ ରହିଲା । ଆଗ ଭଳି ପର୍ଯ୍ୟାପ୍ତ ମାତ୍ରାରେ ପାଣି ନପାଇ ଗ୍ରାମବାସୀ ସ୍ଥାନୀୟ ସୁନ୍ଦର ନଦୀରୁ ପାନୀୟ ଜଳ ସଂଗ୍ରହ କରି ବ୍ୟବହାର କରୁଥିବା ସୂଚନା ଦେଇଛନ୍ତି। ଗାଁରେ ନଳକୂପ ନଥିବା ବେଳେ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ମଧ୍ୟ ନଳକୂପ ନାହିଁ। ଯାହାଫଳରେ କୋମଳ ମତି ଛାତ୍ରଛାତ୍ରୀ ଜଳ କଷ୍ଟ ଭୋଗୁଛନ୍ତି। ଏପରିକି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ ପାଚିକା ମାନେ ଗୋଟିଏ କି.ମି. ଦୂରତାରୁ ପାଣି ସଂଗ୍ରହ କରି ରୋଷେଇ କରୁଥିବା କହିଛନ୍ତି। ତୁରନ୍ତ ସରକାର ଏହି ଆଦିବାସୀ ଗାଁ ଲୋକଙ୍କ ପାଇଁ ପୂର୍ବ ଭଳି ଜଳ ଯୋଗାଣ ବ୍ୟବସ୍ଥା କରନ୍ତୁ, ନଚେତ ଆଗାମୀ ଦିନରେ ଖଡ଼ିଆଳ ବ୍ଲକ କାର୍ଯ୍ୟlଳୟ ଘେରାଉ କରିବେ ବୋଲି ଗ୍ରାମର କୌଶଲ୍ୟା ଶବର, ନିଲେନ୍ଦ୍ରି ଶବର, ଧୀର ଶବର, ରେଖା ଶବର, ନୃପରାଜ ଶବରଙ୍କ ସହ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ଅପରପକ୍ଷେ ଗୁଡଭେଲି ଗାଁକୁ ପାଣି ପହଞ୍ଚି ପାରୁନଥିବା ଘଟଣାକୁ ଖଡ଼ିଆଳ ବିଡ଼ିଓ ମିଳନ କୁମାର ଝାଙ୍କର ସ୍ୱୀକାର କରିବା ସହିତ ତଦନ୍ତ କରି ତୁରନ୍ତ ପାଣି ଯୋଗାଣ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ