
ଭୁବନେଶ୍ୱର, ୨୨ ଏପ୍ରିଲ (ହି.ସ)- ସାଧାରଣ ସେବା ଦିବସ ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭାଗ ପକ୍ଷରୁ ନାଗରିକ କୈନ୍ଦ୍ରିକ ଶାସନ ଏବଂ ଉତରଦାୟୀ ଜନସେବା ପ୍ରଦାନ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଯାଇଛି।
ଖାରବେଳ ଭବନ ସ୍ଥିତ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ୍କୋର ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଭାଗର ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ।
ଏହି ବୈଠକରେ ଶାସନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ସେବା ପ୍ରଦାନରେ ଦକ୍ଷତା ବୃଦ୍ଧି ପାଇଁ ପ୍ରମୁଖ ନୀତି ଓ ସଂସ୍କାର କାର୍ଯ୍ୟସୂଚୀ ଉପରେ ଆଲୋଚନା କରାଯାଇଥିଲା। ପ୍ରଶାସନିକ ପ୍ରକ୍ରିୟାକୁ ସରଳୀକରଣ କରିବା, ସ୍ୱଚ୍ଛତା ବଜାୟ ରଖିବା ଏବଂ ଜନସାଧାରଣଙ୍କ ଆବଶ୍ୟକତାକୁ ତ୍ୱରିତ ଭାବେ ପୂରଣ କରିବା ପାଇଁ ଅନୁଷ୍ଠାନିକ କାର୍ଯ୍ୟଶୈଳୀରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଅଧିକାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀମତୀ ପାଢୀ କହିଥିଲେ, “ସାଧାରଣ ସେବା ଦିବସ ହେଉଛି ସାଧୁତା, ସହାନୁଭୂତି ଏବଂ ଉତରଦାୟିତ୍ୱ ସହ ଜନସେବା କରିବାର ସଂକଳ୍ପକୁ ନବୀକରଣ କରିବାର ଏକ ଅବସର। ଆମର ସଂସ୍କାର କାର୍ଯ୍ୟସୂଚୀ ପ୍ରଶାସନକୁ ଅଧିକ ସୁଗମ, ଦକ୍ଷ ଏବଂ ପ୍ରତିକ୍ରିୟାଶୀଳ କରିବା ସହିତ ନାଗରିକଙ୍କ ଜୀବନରେ ବାସ୍ତବିକ ପରିବର୍ତନ ଆଣିବା ଆବଶ୍ୟକ।”
ବିଭାଗ ପକ୍ଷରୁ ସମସ୍ତ ଅଧିକାରୀ ପୁନର୍ବାର ନିଷ୍ଠାର ସହ କାର୍ଯ୍ୟ କରିବାକୁ ଶପଥ ନେବା ସହ ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷା ଅନୁଯାୟୀ ଜନସେବାକୁ ସଜ୍ଜିତ କରିବାକୁ ନିଷ୍ପତି ନେଇଛନ୍ତି। ରାଜ୍ୟରେ ଏକ ସାମଗ୍ରିକ ସହରୀ ବିକାଶ ଏବଂ ନୂତନତ୍ୱ ଆଣିବା ଦିଗରେ ବିଭାଗ ନିରନ୍ତର କାର୍ଯ୍ୟ କରିବ ବୋଲି ଏହି ବୈଠକରେ ସ୍ପଷ୍ଟ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା