
- ଆସନ୍ତାକାଲି ଭୁବନେଶ୍ୱରରେ ବିଶାଳ ମହିଳା ଆକ୍ରୋଶ ମଶାଲ ଶୋଭାଯାତ୍ରା
ଭୁବନେଶ୍ୱର, ୨୭ ଏପ୍ରିଲ (ହି.ସ.)- ନାରୀଶକ୍ତି ବନ୍ଦନ ଅଧିନିୟମ ମହିଳାମାନଙ୍କ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥିଲା। ରାଜନୀତି କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରିତାକୁ ଦୃଢୀଭୁତ କରୁଥିଲା। ମାତ୍ର କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିମେଂଟ ଏହାକୁ ସଂସଦରେ ପାରିତ କରେଇ ଦେଇନଥିଲା। ବିଜେଡି ଏହାକୁ ସମର୍ଥନ କରିଥିଲା। ଏହାର ପ୍ରତିବାଦରେ ୨୭ରୁ ୨୯ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟର ସମସ୍ତ ମଣ୍ଡଳରେ “ଜନ ଆକ୍ରୋଶ ମହିଳା ପଦଯାତ୍ରା” ଅନୁଷ୍ଠିତ ହେବ। ଆସନ୍ତାକାଲି ଭୁବନେଶ୍ୱରରେ ଏକ ବିରାଟ ମହିଳା ଆକ୍ରୋଶ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
ସମାଜର ପ୍ରତ୍ୟେକ ବର୍ଗର ମହିଳା ବହୁ ସଂଖ୍ୟାରେ ଏହି ମଶାଲ ଯାତ୍ରାରେ ସାମିଲ ହେବା ସହ ମଣ୍ଡଳସ୍ତରରେ ହେବାକୁ ଥିବା ସମ୍ମିଳନୀକୁ ବ୍ୟାପକ ସମର୍ଥନ କରିବାକୁ ଶ୍ରୀମତୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ମହିଳାମାନଙ୍କୁ ସାମ୍ବିଧାନିକ ଅଧିକାର ଦେବା ପାଇଁ ବିଜେପି ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା.ଐଶ୍ଚର୍ଯ୍ୟା ବିଶ୍ୱାଳ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା