
ଚମ୍ପୁଆ, , 28 ଏପ୍ରିଲ୍ (ହି.ସ.) କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ କୁଟାରୀପଶି ପଞ୍ଚାୟତ ଅନ୍ତର୍ଗତ ପୁରୁଷୋତ୍ତମପୁରସ୍ଥିତ ବି.ଏନ୍.କେ ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ତଥା ସୁବର୍ଣ୍ଣ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଗୌରବମୟ ଯାତ୍ରାକୁ ପ୍ରଶଂସା କରିବା ସହ ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବି.ଏନ୍.କେ ଉଚ୍ଚ ବିଦ୍ୟାଳୟକୁ ପି. ଏମ. ଶ୍ରୀ ଉଚ୍ଚ ବିଦ୍ୟାଳୟ ଭାବେ ଉନ୍ନତିକରଣ କରିବା ପାଇଁ ୭ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିବା ସହିତ କୁଟାରୀପଶି ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି।
ଏକ ଶିକ୍ଷାନୁଷ୍ଠାନର ୫୦ ବର୍ଷ ପୂର୍ତ୍ତି କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ହେଉଛି ପାଞ୍ଚ ଦଶନ୍ଧିର ସଂଘର୍ଷ, ସଫଳତା ଏବଂ ସାମାଜିକ ପରିବର୍ତ୍ତନର ଏକ ଗୌରବମୟ ଯାତ୍ରା। ସଫଳତାର କୌଣସି ସର୍ଟକଟ୍ ନାହିଁ। କଠିନ ପରିଶ୍ରମ ଓ ନିରନ୍ତର ଅଧ୍ୟୟନ ହିଁ ତୁମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବ। ଶିକ୍ଷା ହିଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର, ଯାହା ବିଶ୍ୱକୁ ପରିବର୍ତ୍ତନ କରିପାରିବ। ଆମ ସରକାରଙ୍କ ପାଇଁ ଶିକ୍ଷା କେବଳ ଭିତ୍ତିଭୂମି ନୁହେଁ, ବରଂ ଶିଶୁର ସାମଗ୍ରିକ ବିକାଶ ଓ ମୌଳିକ ଜ୍ଞାନ ବୃଦ୍ଧି ହେଉଛି ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ୨୫ ହଜାରରୁ ଉର୍ଦ୍ଧ୍ବ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ଏବଂ ୧୩ ହଜାର ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରାଯାଇଛି। ଆଗାମୀ ଦିନରେ ଆହୁରି ୪୫ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି।
୫ଟି ମଡେଲ ସ୍କୁଲରେ କେବଳ 'ରଙ୍ଗ ମରା' କାମକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ପ୍ରକୃତ ଭିତ୍ତିଭୂମି ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୨,୨୦୦ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରିବେ, ଯାହା ପାଇଁ ବଜେଟରେ ୫୦ କୋଟିର ବ୍ୟବସ୍ଥା ହୋଇଛି।
ରାଜ୍ୟର ୮୦୦ ସ୍କୁଲକୁ 'ପିଏମ୍ ଶ୍ରୀ' ଯୋଜନାରେ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ। 'ନିପୂଣ ଓଡ଼ିଶା' ମିଶନ ଜରିଆରେ ମୌଳିକ ସାକ୍ଷରତା ଓ ମାତୃଭାଷା ଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ଭାରତୀୟ ବୈଜ୍ଞାନିକମାନେ ପରମାଣୁ ଶକ୍ତି କ୍ଷେତ୍ରରେ ହାସଲ କରିଥିବା 'ସେକେଣ୍ଡ ଷ୍ଟେଜ୍ କ୍ରିଟିକାଲିଟି' ସଫଳତାକୁ ମୁଖ୍ୟମନ୍ତ୍ରୀ ଦେଶ ପାଇଁ ଏକ ଗର୍ବର ବିଷୟ ବୋଲି ବର୍ଣ୍ଣନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଏହି ଅଂଚଳର ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ସହରାଇ ଓରାମଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ବି.ଏନ୍.କେ ଉଚ୍ଚ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟର ସ୍ମରଣିକା ଉନ୍ମୋଚନ କରିବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିଥିଲେ। ପୁରୁଷୋତ୍ତମପୁର ଅଞ୍ଚଳର ଶିକ୍ଷା ଭିତ୍ତିଭୂମି ପାଇଁ ଅତିରିକ୍ତ ଅନୁଦାନ ଯୋଗାଇ ଦେବାକୁ ସେ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଚମ୍ପୁଆ ବିଧାୟକ ଶ୍ରୀ ସନାତନ ମହାକୁଡ, ତେଲକୋଇ ବିଧାୟକ ଡଃ. ଫକୀର ମୋହନ ନାଏକ, ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାଏକ ଏବଂ ଜିଲ୍ଲାପାଳ ଶ୍ରୀ ବିଶାଳ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta