
ଓଡିଶା ଗଠନରେ ମଧୁବାବୁଙ୍କ ଅବଦାନ ଅତୁଳନୀୟ
ଝାରସୁଗୁଡ଼ା, 28 ଏପ୍ରିଲ୍ (ହି.ସ.):ଝାରସୁଗୁଡା ବେହେରାମାଲ ସ୍ଥିତ ନବ ଦାସ ଅଡିଟୋରିୟମରେ ମଙ୍ଗଳବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଓ ‘ଓକିଲ ଦିବସ’ ଭବ୍ୟ ଭାବେ ପାଳିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ବାର କାଉନସିଲ ଓ ଝାରସୁଗୁଡ଼ା ଜିଲ୍ଲା ବାର ଆସୋସିଏସନର ଯୁକ୍ତ ଆନୁକୂଲ୍ୟରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସକାଳ ୯ଟାରେ ଆରମ୍ଭ ହୋଇଥିଲା।
କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପାଖରେ ଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପରେ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଳ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସୁନୀଲ ତ୍ରିପାଠୀ ଓ ତାଙ୍କ ଦଳଙ୍କ ଦ୍ୱାରା ‘ବନ୍ଦେ ଉତ୍କଳ ଜନନୀ’ ଗାନ ପ୍ରସ୍ତୁତି ହୋଇଥିଲା।
ଏହି ଅବସରରେ ଓଡିଶା ହାଇକୋର୍ଟର ବିଚାରପତି ଆଦିତ୍ୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଧୁସୂଦନ ଦାସଙ୍କ ଜୀବନୀ, ସଂଗ୍ରାମ ଓ ଓଡିଶା ଗଠନରେ ତାଙ୍କ ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ। ରାଜ୍ୟ ବାର କାଉନସିଲର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ ସଭାରେ ସଭାପତିତ୍ୱ କରିଥିଲେ।
ଜିଲ୍ଲା ଓକିଲ ସଂଘ ସଭାପତି ରଘୁମଣି ପଟେଲ କାର୍ଯ୍ୟକ୍ରମର ସୂଚନା ଦେଇଥିବାବେଳେ ଓକିଲ ବିଭୁ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଅନ୍ୟତମ ଅତିଥି ଭାବେ ରାଜ୍ୟ ବାର କାଉନସିଲର ଉପାଧ୍ୟକ୍ଷ ରାଜୀବ ମହାନ୍ତି, ଲକ୍ଷ୍ମୀ ପଟେଲ, ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଓ ପୂର୍ବତନ ବିଧାୟିକା ଦୀପାଳୀ ଦାସ ଉପସ୍ଥିତ ଥିଲେ।
ଏହି ଅବସରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ବରିଷ୍ଠ ଆଇନଜୀବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ନରସିଂହ ମିଶ୍ରଙ୍କ ପ୍ରତିନିଧି ସହ ଝାରସୁଗୁଡ଼ାର କାନୁନଗୋ ନାୟକ ଓ ଅନ୍ୟାନ୍ୟ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା।
ଝାରସୁଗୁଡା ଜିଲ୍ଲା ଜଜ ପ୍ରଶାନ୍ତ କୁମାର ନାୟକ ଓ ଅନ୍ୟାନ୍ୟ ବିଚାରପତିମାନଙ୍କ ସହ ଅନେକ ଆଇନଜୀବୀ ଓ ବୁଦ୍ଧିଜୀବୀ ଏହି ସମାରୋହରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜିଲ୍ଲା ଓକିଲ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅତିଥି ‘ବନ୍ଦେ ଉତ୍କଳ ଜନନୀ’ ଗାନ ସମୟରେ ଦଣ୍ଡାୟମାନ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ