କଳିଙ୍ଗନଗର ଶିଳ୍ପାଂଚଳ ଓ ସହରାଂଚଳ ବିକାଶ ପ୍ରକଳ୍ପର ସମୀକ୍ଷା କଲେ ଉଷା ପାଢ଼ୀ
ଭୁବନେଶ୍ୱର, ୨୯ ଏପ୍ରିଲ (ହି.ସ.)- ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଇଡ୍କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀ ବୁଧବାର ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଂଚଳରେ ଏକ ବ୍ୟାପକ କ୍ଷେତ୍ରସ୍ତରୀୟ ପରିଦର୍ଶନ କରି ଭୂମି ବିକାଶ, ରଣନୈତିକ ଭିତିଭୂମି ପଦକ୍ଷେପ ଓ ଜିଲ୍ଲାର ସହର
tur7i


ଭୁବନେଶ୍ୱର, ୨୯ ଏପ୍ରିଲ (ହି.ସ.)- ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଇଡ୍କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀ ବୁଧବାର ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଂଚଳରେ ଏକ ବ୍ୟାପକ କ୍ଷେତ୍ରସ୍ତରୀୟ ପରିଦର୍ଶନ କରି ଭୂମି ବିକାଶ, ରଣନୈତିକ ଭିତିଭୂମି ପଦକ୍ଷେପ ଓ ଜିଲ୍ଲାର ସହରାଂଚଳ ବିକାଶ ପ୍ରକଳ୍ପମାନଙ୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ପରିଦର୍ଶନର ମୂଳ ଉଦ୍ଦେଶ୍ୟ ଥିଲା ଶିଳ୍ପ ଅଭିବୃଦ୍ଧି ଓ ସହରାଂଚଳ ଭିତିଭୂମି ମଧ୍ୟରେ ସମନ୍ୱୟ ସୃଷ୍ଟି କରି ଏକ ସୁସଂଘଟିତ ଓ ନିବେଶ-ଅନୁକୂଳ ପରିବେଶ ଗଢ଼ି ତୋଳିବା।

ପରିଦର୍ଶନ କାର୍ଯ୍ୟକ୍ରମ ଅଳିଜଙ୍ଗା ଅଂଚଳର ପ୍ରାୟ ୬୦୦ ଏକର ଜମିର ଅନୁଧ୍ୟାନରୁ ଆରମ୍ଭ ହୋଇଥିଲା, ଯେଉଁଠାରେ ଭୂମି ବିକାଶର ଅବସ୍ଥା, ଲେଆଉଟ୍ ପ୍ଲାନିଂ ଏବଂ ଭବିଷ୍ୟତ ଶିଳ୍ପ ନିବେଶ ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ପରେ ସେ ସୁକୁଟିଝରା ଅଂଚଳ ପରିଦର୍ଶନ କରି ଶିଳ୍ପ ସମ୍ପ୍ରସାରଣ ପାଇଁ ଏହି ଅଂଚଳଗୁଡ଼ିକର ସମ୍ଭାବନା, ଭିତିଭୂମି ସୁବିଧା ଓ ସଂଯୋଗ ସୃଷ୍ଟିର ପରିସ୍ଥିତି ଉପରେ ମୂଲ୍ୟାଙ୍କନ କରିଥିଲେ।

ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଅମ୍ବର କର, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଶ୍ରୀମତୀ ପାଢ଼ୀ ଟାଟା ଷ୍ଟିଲ୍ ର ଡି.ବି. ପ୍ଲଟ୍ ନଂ–୨ ପରିଦର୍ଶନ କରିଥିଲେ। ସେଠାରେ ଶିଳ୍ପ ସଂସ୍ଥାପନାର ପ୍ରଗତି, ଭିତିଭୂମି ସୁବିଧା ଓ ଲଜିଷ୍ଟିକ୍ସ ସମ୍ବନ୍ଧୀୟ ବିଷୟରେ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ୍ ପକ୍ଷରୁ ତାଙ୍କୁ ବିସ୍ତୃତ ବ୍ରିଫିଂ ଦିଆଯାଇଥିଲା।

ଶିଳ୍ପାଞ୍ଚଳ ସମୀକ୍ଷା ସହିତ ସେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ସହରାଂଚଳ ବିକାଶ ପ୍ରକଳ୍ପ ଓ ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ଯୋଜନାମାନଙ୍କର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ। ବିଶେଷକରି ପାଣି ଯୋଗାଣ, ପରିଷ୍କାରତା ବ୍ୟବସ୍ଥାପନ, ସହରୀ ସଡ଼କ ଓ ଡ୍ରେନେଜ୍ ନେଟୱର୍କ, ଏବଂ ଶହରୀ ଜୀବନମାନ ଉନ୍ନତି ପାଇଁ ଚାଲିଥିବା ପଦକ୍ଷେପଗୁଡ଼ିକର ଗତିବେଗ ବଢ଼ାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ନୂତନ ଶିଳ୍ପ ସହରଗୁଡ଼ିକରେ “ଲିଭେବିଲିଟି” ବୃଦ୍ଧି ଏବଂ ନାଗରିକ ସେବାର ଗୁଣମାନ ଉନ୍ନତିକୁ ସେ ଅତ୍ୟାବଶ୍ୟକ ଭାବେ ଉଲ୍ଲେଖ କରିଥିଲେ।

ପରେ କେ.ଏନ୍.ଡି.ଏ ସମ୍ମିଳନୀ କକ୍ଷରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ। ବୈଠକରେ କଳିଙ୍ଗନଗର ଜାତୀୟ ଶିଳ୍ପ କରିଡରର ଦ୍ରୁତ ବିକାଶ ପାଇଁ ଆଗାମୀ ରୋଡ୍ ମ୍ୟାପ୍ ଉପରେ ଚର୍ଚ୍ଚା ହୋଇଥିଲା। ଜମି ଆବଂଟନ ପ୍ରକ୍ରିୟାର ସରଳୀକରଣ, ଭିତିଭୂମି ଯୋଗାଣର ସମୟୋପଯୋଗୀ ସୁନିଶ୍ଚିତତା, ଏବଂ ଶିଳ୍ପ ଅଭିବୃଦ୍ଧି ସହ ସହରୀ ସେବାମାନଙ୍କର ସମନ୍ୱୟ ବୃଦ୍ଧି ପାଇଁ ଜିଲ୍ଲାପାଳ, ଇଡ୍କୋ ଅଧିକାରୀ ଓ ଜିଲ୍ଲା ବିନିଯୋଗ ପ୍ରୋତ୍ସାହନ ଏଜେନ୍ସି ସହ ବିସ୍ତୃତ ଆଲୋଚନା ହୋଇଥିଲା।

ଶ୍ରୀମତୀ ପାଢ଼ୀ କ୍ଷେତ୍ରସ୍ତରରେ ନିୟମିତ ମନିଟରିଂ, ଆନ୍ତଃ-ବିଭାଗୀୟ ସମନ୍ୱୟ ଓ ଦ୍ରୁତ ସିଦ୍ଧାନ୍ତଗ୍ରହଣକୁ ଶିଳ୍ପ ଓ ସହରାଂଚଳ ଅଭିବୃଦ୍ଧିର ମୂଳ ଆଧାର ବୋଲି ଉଲ୍ଲେଖ କରିଥିଲେ। ସେ ଏହାକୁ ମଧ୍ୟ ଉପସ୍ଥାପନ କରିଥିଲେ ଯେ, ଓଡ଼ିଶାରେ ଏକ ସ୍ଥାୟୀ, ସୁଦୃଢ଼ ଓ ପୁଞ୍ଜିନିବେଶ-ଅନୁକୂଳ ପରିବେଶ ସୃଷ୍ଟି ପାଇଁ ଶିଳ୍ପ ଭିତିଭୂମି ସହ ସହରାଂଚଳ ସେବାର ସମନ୍ୱିତ ବିକାଶ ଅତ୍ୟାବଶ୍ୟକ।

ଏହି ପରିଦର୍ଶନ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷେତ୍ରସ୍ତରୀୟ ନିରୀକ୍ଷଣକୁ ସୁଦୃଢ଼ କରିବା, ପ୍ରକଳ୍ପଗୁଡ଼ିକର ଦ୍ରୁତ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ଏବଂ ଓଡ଼ିଶାକୁ ଏକ ପ୍ରମୁଖ ଶିଳ୍ପ ଓ ସହରାଂଚଳ ବିକାଶ କେନ୍ଦ୍ର ଭାବେ ପରିଣତ କରିବା ଦିଗରେ ରାଜ୍ୟର ଦୃଢ଼ ସଙ୍କଳ୍ପକୁ ପ୍ରତିଫଳିତ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande