
ପ୍ରାଣୀ ପାଳନରେ ଉଲ୍ଲେଖନୀୟ ଅଗ୍ରଗତି, ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ
ନୂଆପଡ଼ା, ୧ ମଇ (ହି.ସ.)- ଆଜି ମୁଖ୍ୟାଳୟ ସଭା ଗୃହରେ ଜିଲ୍ଲାପାଳ ମଧୁସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରାଣୀ ସମ୍ପଦ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ସୁଖେନ୍ଦୁ ରାୟ ବିଭାଗ ଦ୍ୱାରା ଚାଲୁଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସମୀକ୍ଷାରୁ ଜଣାପଡ଼ିଛି ଯେ, ନୂଆପଡ଼ା ଜିଲ୍ଲା ଗୋପାଳନ ଯୋଜନାରେ ୧୨୭% ଲକ୍ଷ୍ୟ ପୂରଣ କରି ରାଜ୍ୟରେ ତୃତୀୟ ସ୍ଥାନରେ ରହିଛି। ସେହିପରି ୧୦+୧ ଛେଳି ପାଳନରେ ୨୫୦% ଓ ୩୦+୨ ଛେଳି ପାଳନରେ ୧୫୦% ସଫଳତା ସହ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। କୁକୁଡ଼ା ପାଳନ କ୍ଷେତ୍ରରେ ମଧ୍ୟ ଜିଲ୍ଲା ଅଷ୍ଟମ ସ୍ଥାନରେ ରହିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ଯେଉଁଠାରେ ସମଗ୍ର ସଫଳତା ହାର ୯୬% ଥିଲା, ୨୦୨୫-୨୬ ଆର୍ଥିକ ବର୍ଷରେ ତାହା ୧୨୪% କୁ ବୃଦ୍ଧି ପାଇଛି। ଏହି ସଫଳତା ପଛରେ ବିଭାଗୀୟ କର୍ମଚାରୀ ଓ ପ୍ରାଣୀ ପାଳକମାନଙ୍କ ଅକ୍ଳାନ୍ତ ପରିଶ୍ରମ ରହିଛି ବୋଲି ଜିଲ୍ଲାପାଳ କହିଥିଲେ। ବୈଠକରେ ଅଗ୍ରଣୀ ପ୍ରାଣୀ ପାଳକମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଗୋପାଳନ ଯୋଜନାରେ ସିନାପାଲି ବ୍ଲକର ଜିଜ୍ଞା ସାହୁ ଓ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ବୋଡ଼େନ ବ୍ଲକର ହରିଶ୍ଚନ୍ଦ୍ର ଦୀପଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ୧୦+୧ ଛେଳି ପାଳନରେ କୋମନା ବ୍ଲକର ମିଶ୍ର ସଗରିଆ, ୩୦+୨ ଛେଳି ପାଳନରେ ନୂଆପଡ଼ା ବ୍ଲକର ମହେଶ୍ୱର କେଉଁଟ ଏବଂ ୩୦୦୦ କୁକୁଡ଼ା ପାଳନ ଯୋଜନାରେ ଖରିଆର ବ୍ଲକର ପ୍ରତିଭା ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକରେ ଜିଲ୍ଲାପାଳ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ବୁଲା ଗୋରୁଗାଈଙ୍କ ପାଇଁ ପାଣି କୁଣ୍ଡ ବ୍ୟବସ୍ଥା କରିବା ସହ ଘାସ ଚାଷକୁ ପ୍ରୋତ୍ସାହନ ଦେଇ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଓ ପ୍ରାଣୀ ପାଳକମାନଙ୍କୁ ସ୍ୱାବଲମ୍ବୀ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସମସ୍ତ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀ ଚିକିତ୍ସକ ଏବଂ ପ୍ରାଣୀ ପାଳକମାନେ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ସଭା ସମାପ୍ତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ