ଧାମନଗରରେ କାଳବୈଶାଖୀର ତାଣ୍ଡବ, ପ୍ରବଳ ପବନରେ ଭାଙ୍ଗିଲା ଗଛ ଓ ବିଦ୍ୟୁତ୍ ଖୁଂଟ, ଅସ୍ତବ୍ୟସ୍ତ ଧାମନଗର
ଭଦ୍ରକ, ୨୯ ମଇ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅଂଚଳରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟଙ୍କର କାଳବୈଶାଖୀ ତାଣ୍ଡବ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ପ୍ରବଳ ପବନ, ବିଜୁଳି ଘଡଘଡି ଓ ମୁଷଳଧାରା ବର୍ଷା ଲୋକଙ୍କ ମନରେ ଆତଙ୍କ ଖେଳାଇଦେଇଥିଲା। ପ୍ରାୟ ଏକ ଘଂଟା ଧରି ତୀବ୍ର ବେଗରେ ବ
DHAMNAGAR RE KALA BAISAKHI


ଭଦ୍ରକ, ୨୯ ମଇ (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅଂଚଳରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟଙ୍କର କାଳବୈଶାଖୀ ତାଣ୍ଡବ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ପ୍ରବଳ ପବନ, ବିଜୁଳି ଘଡଘଡି ଓ ମୁଷଳଧାରା ବର୍ଷା ଲୋକଙ୍କ ମନରେ ଆତଙ୍କ ଖେଳାଇଦେଇଥିଲା। ପ୍ରାୟ ଏକ ଘଂଟା ଧରି ତୀବ୍ର ବେଗରେ ବହିଥିବା ଝଡ଼ର ପ୍ରଭାବରେ ଧାମନଗର ଓ ପାର୍ଶ୍ୱବର୍ତୀ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି।ଝଡ଼ର ତୀବ୍ରତା ଏତେ ଅଧିକ ଥିଲା ଯେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଓ ଘର ଉପରେ ପଡ଼ିଥିଲା। ଧାମନଗର-ଚୁଡ଼ାକୁଟି ମୁଖ୍ୟ ରାସ୍ତାରେ ଗଛ ପଡ଼ିବା ଫଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ସେହିପରି କୁସୁମା, ଖଡିପଦା, କାଞ୍ଜିଆପାଳ, ବ୍ଲକ ବଜାର ଓ ଅନ୍ୟାନ୍ୟ ଅଂଚଳରେ ଗଛ ଭାଙ୍ଗି ବିଦ୍ୟୁତ୍ ଖୁଂଟ ଉପରେ ପଡ଼ିଥିବାରୁ ଅନେକ ସ୍ଥାନରେ ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିଲା। ସନ୍ଧ୍ୟା ପରଠାରୁ ଅନ୍ଧକାର ମଧ୍ୟରେ ଲୋକମାନେ ଭୟଭୀତ ଅବସ୍ଥାରେ ସମୟ କାଟିଥିଲେ। ପ୍ରବଳ ପବନର ଝଟକାରେ ବହୁ ସ୍ଥାନରେ ମୋଟର ସାଇକେଲ ରାସ୍ତାରୁ ଖସିପଡ଼ିଥିବା ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ଦୋକାନର ଟିଣ ଉଡ଼ିଯାଇଥିବାବେଳେ ଅନେକ ଚାଳ ଘରର ଛପର ମଧ୍ୟ ଭାଙ୍ଗି ନଷ୍ଟ ହୋଇଛି। ଝଡ଼ ଆରମ୍ଭ ହେବା ସହିତ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଦୋକାନ, ଘର ଓ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ। ବିଜୁଳି ଘଡଘଡି ଓ ପ୍ରଚଣ୍ଡ ପବନର ଶବ୍ଦରେ ଛୋଟ ଛୋଟ ଶିଶୁମାନେ ମଧ୍ୟ ଭୟଭୀତ ହୋଇପଡ଼ିଥିଲେ। ଅନ୍ୟପଟେ କାଳବୈଶାଖୀର ପ୍ରଭାବରେ ଗ୍ରାମାଂଚଳରେ ରବି ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଚାଷୀମାନେ କଷ୍ଟ କରି ଚାଷ କରିଥିବା ଫସଲ ଝଡ଼ ଓ ବର୍ଷାରେ ନଷ୍ଟ ହୋଇଯାଇଥିବାରୁ ସେମାନଙ୍କ ମଧ୍ୟରେ ନିରାଶା ଦେଖାଦେଇଛି। ବିଦ୍ୟୁତ୍ ବିଭାଗର ବ୍ୟବସ୍ଥା ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଅନେକ ଅଂଚଳରେ ବିଦ୍ୟୁତ୍ ସେବା ସ୍ୱାଭାବିକ ହେବାକୁ ସମୟ ଲାଗିପାରେ ବୋଲି ସୂଚନା ମିଳିଛି। ଝଡ଼ ଥମିବା ପରେ ଧାମନଗର ଅଗ୍ନିଶମ ବିଭାଗର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଉପରେ ପଡ଼ିଥିବା ଗଛଗୁଡ଼ିକୁ କାଟି ହଟାଇବା କାମ ଆରମ୍ଭ କରିଥିଲେ। ସ୍ଥାନୀୟ ଲୋକମାନେ ମଧ୍ୟ ସେମାନଙ୍କୁ ସହଯୋଗ କରିଥିଲେ। ଝଡ଼ ପରେ ପ୍ରଭାବିତ ଅଂଚଳରେ କ୍ଷୟକ୍ଷତିର ଚିତ୍ର ଦେଖି ଲୋକମାନେ ଚିନ୍ତାରେ ପଡ଼ିଥିବାବେଳେ ପ୍ରଶାସନ ପକ୍ଷରୁ ଶୀଘ୍ର ରିଲିଫ୍, ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ଜୋର ଧରିଛି। କାଳବୈଶାଖୀର ଏହି ଭୟଙ୍କର ତାଣ୍ଡବ ଧାମନଗର ଅଂଚଳରେ ଭୟ ଓ କ୍ଷତିର ଗଭୀର ଚିହ୍ନ ଛାଡ଼ିଯାଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande