




ସମ୍ବଲପୁର,୨୯, ମେ (ହି.ସ.) ସମ୍ବଲପୁର ସହରର ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ମହାନଗର ନିଗମ କର୍ତ୍ତୃପକ୍ଷ ବହୁ ବଡ଼ବଡ଼ ଯୋଜନା କରୁଥିବାର ଡିଣ୍ଡିମ ଟିପୁଥିଲେ ମଧ୍ୟ ଗତ ଦୁଇ ଦିନ ଧରି ସହରରୁ ଅଳିଆ ଆବର୍ଜ୍ଜନା ଉଠିବା ଏକ ରକମର ଠପ୍ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଆଜି ସଫେଇ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନେ ନିଜ ନିଜର ଗାଡ଼ି ଗୁଡ଼ିକ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ରଖିଦେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପ୍ରଥମତଃ ସହରର ପରିମଳ ଅବସ୍ଥା ସୁଧାରିବା ପାଇଁ ନିଜ ମନୋନୀତ ଓ ମୋଟା ଅଙ୍କର କମିଶନ ଦେଇ ନିର୍ଦ୍ଧିଷ୍ଟ ସଂସ୍ଥା କିଛି କର୍ମଚାରୀଙ୍କୁ ନିୟୋଜିତ କରି ସହରର ସଫେଇ କାର୍ଯ୍ୟ ତୁଲାଇ ଆସୁଥିଲା । ମାତ୍ର ସମ୍ପୃକ୍ତ ସଫେଇ ସଂସ୍ଥା କର୍ମଚାରୀ ମାନଙ୍କୁ ନିୟମିତ ଦରମା ନଦେବା, ସାଲେରୀ ସ୍ଲିପ୍ ନଦେବା, ଅନିର୍ବାଯ୍ୟ କାରଣରୁ ଅନୁପସ୍ଥିତିରେ ଦରମା କାଟ୍ ଓ ଛୁଟି ନଦେବା ଭଳି ନିର୍ଯ୍ୟାତନା ବିରୋଧରେ କାମ ବନ୍ଦ୍ କରି ସଫେଇ କର୍ମଚାରୀମାନେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଅନୁସନ୍ଧାନ କରି ଉଚିତ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ