
ମାଲକାନଗିରି, ୩୧ ମଇ (ହି.ସ.)- କାଳବୈଶାଖୀ ପରେ ଉପୁଜିଛି ବିଦ୍ୟୁତ ସଙ୍କଟ। ଚାରି ଦିନ ଧରି ଅନ୍ଧାରରେ ରହିଥିବା ଗାଁବାସୀଙ୍କ ଅସନ୍ତୋଷ ଏବେ ଉଗ୍ର ରୂପ ନେଇଛି। ବିଦ୍ୟୁତ ଯୋଗାଣ ବିଳମ୍ବ ହେବାରୁ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଅଟକାଇବା ସହ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ପରିସ୍ଥିତିକୁ ସମ୍ଭାଳିବା ପାଇଁ ପୁଲିସ ସୁରକ୍ଷାରେ ମରାମତି ପରେ କର୍ମଚାରିଙ୍କୁ ଉଦ୍ଧାର କରାଯାଇଥିଲା। କାଳବୈଶାଖୀରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ତାର ଛିଣ୍ଡିଯାଇଥିଲା। ଫଳରେ ଜିଲ୍ଲାର ଅନେକ ଗାଁରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ତିନି ଦିନ ଧରି ବିଦ୍ୟୁତ ନଥିବାରୁ ଅସହ୍ୟ ଗରମରେ ଲୋକେ ନାକେଦମ ହୋଇପଡ଼ିଛନ୍ତି। ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବାକୁ ବିଭାଗ ପକ୍ଷରୁ କାମ ଚାଲିଥିବା ବେଳେ ଏମ୍.ଭି.-୬ ଗାଁରେ କର୍ମଚାରୀଙ୍କୁ ଅଟକାଇ ରଖାଯାଇଥିଲେ। ସେହିପରି ଏମ୍.ଭି.-୧୫,ଏମଭି-୪୫ ସମେତ କାଲିମେଳା ବ୍ଲକର ବହୁ ବିଦ୍ୟୁତ ବିଭ୍ରାଟ ଦେଖିବାକୁ ମିଳିଥିଲା। ଏମଭି୧୫ ଗାଁରେ ବିଦ୍ୟୁତ କର୍ମଚାରୀଙ୍କୁ ଉପରେ ଆକ୍ରମଣ ପରେ ଘଟଣାର ଖବର ପାଇ ପୁଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
ବିଦ୍ୟୁତ ବିଭ୍ରାଟର ପ୍ରଭାବ ଯୋଗାଯୋଗ ବ୍ୟବସ୍ଥା ଉପରେ ମଧ୍ୟ ପଡ଼ିଛି। ମୋବାଇଲ ଟାୱାରଗୁଡ଼ିକ ଠିକ୍ ଭାବରେ କାର୍ଯ୍ୟକ୍ଷମ ନ ରହିବାରୁ ଅନେକ ସ୍ଥାନରେ ନେଟୱର୍କ ସମସ୍ୟା ଦେଖାଦେଇଛି। ଫଳରେ ଲୋକମାନେ ଜରୁରୀ ସମୟରେ ଯୋଗାଯୋଗ କରିବାରେ ମଧ୍ୟ ଅସୁବିଧା ଭୋଗୁଛନ୍ତି। ଗ୍ରାମାଞ୍ଚଳରେ ବ୍ୟବସାୟ, ଦୈନନ୍ଦିନ କାର୍ଯ୍ୟକଳାପ ଏବଂ ଛୋଟ ଛୋଟ ଉଦ୍ୟୋଗଗୁଡ଼ିକ ମଧ୍ୟ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବାରମ୍ବାର ବିଦ୍ୟୁତ ବିଭ୍ରାଟ ସମସ୍ୟା ଦେଖାଦେଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଚାରି ଦିନ ଧରି ବିଦ୍ୟୁତ ସେବା ବନ୍ଦ ରହିଥିବା ସତ୍ତ୍ୱେ ସମସ୍ୟାର ଶୀଘ୍ର ସମାଧାନ ହୋଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଏନେଇ ସ୍ଥାନୀୟ ଜନସାଧାରଣ ବିଦ୍ୟୁତ ବିଭାଗର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମସ୍ୟାର ସମାଧାନ ସହ ବିଦ୍ୟୁତ ସରବରାହ ପୁନଃ ସ୍ଥାପନ କରିବାକୁ ଦାବି ଜଣାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ