
କନ୍ଧମାଳ, ୩୧ ମଇ (ହି.ସ.)- ସରକାର ୬୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧାଙ୍କ ଜୀବନ ଶୈଳୀରେ ସୁଧାର ଆଣିବା ପାଇଁ ବାର୍ଦ୍ଧକ୍ୟ ଭତା ପ୍ରଦାନ କରୁଛନ୍ତି l ହେଲେ କେନ୍ଦ୍ର ସରକାର ଅର୍ଥ ଅନୁଦାନ ନଦେବା ଫଳରେ ଗତ ଦୁଇ ମାସ ହେଲାଣି କନ୍ଧମାଳ ଜିଲ୍ଲାର ୩୩ ହଜାର ୧୯୯ ଜଣ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି l ଏହି ଗରୀବ ହିତାଧିକାରୀ ମାନେ କେନ୍ଦ୍ରୀୟ ଯୋଜନାରେ ଭତ୍ତା ପାଉଥିଲେ l ଅନୁଦାନ ନ ମିଳିବାରୁ ଭତ୍ତା ମିଳୁନି ସେମାନଙ୍କୁ l କନ୍ଧମାଳ ଜିଲ୍ଲାରେ ମୋଟ୍ ୮୩ ହଜାର ୯୭୮ ଜଣ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି l ସେଥି ମଧ୍ୟରେ ୪୩ ହଜାର ୧୦୫ ଜଣ ବାର୍ଦ୍ଧକ୍ୟ ଭତ୍ତା, ୧୬ ହଜାର ୧୪୩ ଜଣ ବିଧବା ଭତ୍ତା, ୧୦ ହଜାର ୪୫୨ ଜଣ ଭିନ୍ନକ୍ଷମ ଭତ୍ତା ପାଉଥିବା ବେଳେ ୩ ହଜାର ୭୬୫ ଜଣ ଅବିବାହିତ ମହିଳା ଭତ୍ତା ପାଉଛନ୍ତି l ସେହିପରି ୮୦ ବର୍ଷରୁ ଉର୍ଦ୍ଧ୍ବ ୨ ହଜାର ୯୭୦ ଜଣ ସ୍ଵତନ୍ତ୍ର ଭତ୍ତା ପାଉଛନ୍ତି l ତେବେ ରାଜ୍ୟ ସରକାରଙ୍କ ଅନୁଦାନରେ ଭତ୍ତା ପାଉଥିବା ହିତାଧିକାରୀମାନେ ନିୟମିତ ଭାବେ ଭତ୍ତା ପାଉଥିବା ବେଳେ କେନ୍ଦ୍ର ସରକାରଙ୍କ ଅନୁଦାନ ଅର୍ଥରେ ଭତ୍ତା ପାଉଥିବା ଜିଲ୍ଲାର ୩୩ ହଜାର ୧୯୯ ଜଣ ଦୁଇ ମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି l ଫଳରେ ସେମାନଙ୍କ ଚଳିବାରେ ଅସୁବିଧା ସୃଷ୍ଟି ହୋଇଛି l ତେବେ କିଛି ଗୋଟାଏ ସମସ୍ୟା ସୃଷ୍ଟି ହୋଇଥିବାରୁ କେନ୍ଦ୍ରୀୟ ଅନୁଦାନ ମିଳିବାରେ ବିଳମ୍ୱ ହୋଇଛି। ଏ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅବଗତ ଅଛନ୍ତି ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି ପଦ୍ମl କହିଛନ୍ତି l ଅତିଶିଘ୍ର ସଂପୃକ୍ତ ହିତାଧିକାରୀ ମାନଙ୍କୁ ସେମାନଙ୍କ ପାସବୁକ୍ ଜରିଆରେ ଭତ୍ତା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ