
ଜୟପୁର, ୩୧ ମଇ(ହି.ସ.) – କୋରାପୁଟ ଜିଲ୍ଲା ଜୟପୁର ବ୍ଲକର କେବଡି ଗ୍ରାମପଂଚାୟତରେ ରହିଥିବା ଜଗତଜନନୀ କାଜୁ ମିଲର ଦୁଇ ମାଲିକ ଗତକାଲି ରାତି ୮ ସମୟରେ କାଜୁ ମିଲକୁ ବନ୍ଦ କରିବା ପରେ ବାଇକ ଯୋଗେ ଜୟପୁର ଘରକୁ ଫେରୁଥିବାବେଳେ କେବିଡି ଗ୍ରାମ ଏବଂ ବିଜେ-୨ ଗ୍ରାମ ରାସ୍ତାର ଦଣ୍ଡସେନା ଗୁଡ଼ା ଗ୍ରାମ ନିକଟରେ ରାସ୍ତା ଉପରେ ପ୍ରାୟ ୫ଜଣ ମୁଖାଧାରୀ ଦୁର୍ବୃତମାନେ ସେମାନଙ୍କୁ ଅଟକାଇ ମାଡ଼ ମାରିବା ସହିତ ସୁନାଚେନ, ମୁଦି ଏବଂ ୪ ହଜାର ଟଙ୍କା ଲୁଟି ନେଇଥିବା ନେଇ ଥାନାରେ ଏକ ମାମଲା ରୁଜୁ ହେବା ସହିତ ତଦନ୍ତ ଆରମ୍ଭ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ଦୁଇ କାଜୁ ମାଲିକ ଜୟପୁର ସହରର ଦାଶରୀ ସାହିର କେ. ଅମରନାଥ ଲିଖିତ ଅଭିଯୋଗ କରିଛନ୍ତି ଯେ, ସେ ଏବଂ ତାଙ୍କ ବ୍ୟବସାୟୀ ସହଯୋଗୀ ଜୟପୁର ସହର ଭୂପତି ସାହିର ଏସ୍. ବୈକୁଣ୍ଠ ନିଜ ନିଜ ବାଇକ୍ରେ ମିଶି ଘରକୁ ରାତିରେ ଫେରୁଥିବାବେଳେ ରାସ୍ତାରେ ୫ଜଣ ମୁଖାଧାରୀ ସେମାନଙ୍କୁ ଅଟକାଇ ମାଡ଼ ମାରିଥିଲେ ଏହିପରି ଅମରାନାଥ ପିନ୍ଧି ବେକର ସୁନା ଚେନ, ସୁନାମୁଦି ଏବଂ ୨ ହଜାର ଟଙ୍କା ଲୁଟି ନେଇଥିଲେ ଏବଂ ତାଙ୍କ ସହଯୋଗୀଙ୍କ ଠାରୁ ମଧ୍ୟ ୨ ହଜାର ଟଙ୍କା ଲୁଟି ନେଇଥିଲେ। ଏହିପରି ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ଦୁଇ କାଜୁ ବ୍ୟବସାୟୀ ସେଠାରୁ ଫେରି ଟାଉନଥାନାରେ ରାତିରେ ଏତଲା ଦେଇଥିଲେ। ଏଥିନେଇ ସଦରଥାନା ପୁଲିସ ଏକ ମାମଲା(୧୭୫/୨୬) ରୁଜୁ କରିବା ସହିତ ଆଜି ଠାରୁ ତନନ୍ତ ଆରମ୍ଭ କରିଛନ୍ତି ବୋଲି ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଏହି ମାମଲାର ତଦନ୍ତ ଅଧିକାରୀ ଭାବେ ଏସ୍.ଆଇ ସିରିଶ ମହାପାତ୍ର ଆଜି ପୂର୍ବାହ୍ନରୁ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି