ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ : ଏଣିକି ହିତାଧିକାରୀ ପାଇବେ ୧୦ କିଲୋଗ୍ରାମ ଚାଉଳ
କେନ୍ଦ୍ରାପଡ଼ା, ୧୨ ଜୁନ୍ (ହି.ସ.)- ଜିଲ୍ଲା ସଂସ୍କୃତି ଭବନ, କେନ୍ଦ୍ରାପଡ଼ା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଜନହିତକର ପଦକ୍ଷେପ “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା” ର ଶୁଭାରମ୍ଭ ଅବସରରେ ଭର୍ଚୁଆଲ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ କେନ୍ଦ୍ରାପଡ଼ା ଜିଲ୍ଲ
ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ : ଏଣିକି ହିତାଧିକାରୀ ପାଇବେ ୧୦ କିଲୋଗ୍ରାମ ଚାଉଳ


କେନ୍ଦ୍ରାପଡ଼ା, ୧୨ ଜୁନ୍ (ହି.ସ.)- ଜିଲ୍ଲା ସଂସ୍କୃତି ଭବନ, କେନ୍ଦ୍ରାପଡ଼ା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଜନହିତକର ପଦକ୍ଷେପ “ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା” ର ଶୁଭାରମ୍ଭ ଅବସରରେ ଭର୍ଚୁଆଲ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ କେନ୍ଦ୍ରାପଡ଼ା ଜିଲ୍ଲା ଯୋଡ଼ି ହୋଇଥିଲା। ଏହି ଯୋଜନା ଅଧୀନରେ ପୂର୍ବରୁ ହିତାଧିକାରୀମାନେ ୫ କିଲୋଗ୍ରାମ ଚାଉଳ ପାଉଥିବା ବେଳେ ବର୍ତ୍ତମାନ ଅତିରିକ୍ତ ୫ କିଲୋଗ୍ରାମ ସହ ମୋଟ ୧୦ କିଲୋଗ୍ରାମ ଚାଉଳ ପାଇବେ।

କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ନପୂର୍ଣ୍ଣା କାର୍ଡ ବଣ୍ଟନ କରିବା ସହ ଯୋଗ୍ୟ ଅଙ୍ଗନବାଡି କର୍ମୀମାନଙ୍କୁ ସ୍ମାର୍ଟ ଫୋନ ପ୍ରଦାନ କରିଥିଲେ।

ଏହି ଅବସରରେ ମନ୍ତ୍ରୀ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଉପରେ ଆଲୋକପାତ କରି କହିଥିଲେ ଯେ, “ବିକାଶର ଧାରା, ଓଡ଼ିଶା ସାରା” ସଂକଳ୍ପକୁ ସାକାର କରିବା ପାଇଁ ସରକାର ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଫଳତାର ସହ ପହଞ୍ଚାଇ ପାରିଛନ୍ତି।

ସେ ଆହୁରି କହିଥିଲେ ଯେ ଜନସାଧାରଣଙ୍କ ସହଯୋଗ ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ସମ୍ଭବ ହୋଇପାରିଛି, ଯାହା ଚାଷୀଙ୍କ ଆର୍ଥିକ ସଶକ୍ତିକରଣର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ। ଏହା ସହିତ କେନ୍ଦ୍ରାପଡ଼ା ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଏବଂ ଉଚ୍ଚ ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ସହାୟତା ଓ ପଦକ୍ଷେପ ଗ୍ରହଣ କରିଥିବା ସେ ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ବିଧାୟକ, କେନ୍ଦ୍ରାପଡ଼ା ଗଣେଶ୍ୱର ବେହେରା, ବିଧାୟକ, ମହାକାଳପଡ଼ା ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁର୍ଗା ପ୍ରସନ୍ନ ନାୟକ, ସାଂସଦଙ୍କ ପ୍ରତିନିଧି କିଶୋର ଚନ୍ଦ୍ର ପଣ୍ଡା, ଜିଲ୍ଲା ବିଜେପି ସଭାପତି ଶଶାଙ୍କ ଶେଖର ସେଠୀ, ଜିଲ୍ଲାପାଳ ରଘୁରାମ ଆର. ଆୟର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକୃଷ୍ଣ ଜେନା, ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀଙ୍କ ସମେତ ବହୁ ଜନପ୍ରତିନିଧି, ଅଧିକାରୀ ଓ ହିତାଧିକାରୀ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande