
କେନ୍ଦ୍ରାପଡ଼ା/ମହାକାଳପଡ଼ା, ୧୨ ଜୁନ୍ (ହି.ସ.)- ଚାମେଲି ଓଝାଙ୍କୁ ଆକ୍ରମଣ ଓ ଗିରଫଦାରୀକୁ ନେଇ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ରାଜନୀତି ସରଗରମ ହୋଇଛି । ଏ ନେଇ ମହାକାଳପଡ଼ାର ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁହଁ ଖୋଲିଛନ୍ତି । ସେହିପରି ଚାମେଲିଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲା ସରପଞ୍ଚ ସଂଘ ଏସପି ସିଦ୍ଧାର୍ଥ କଟକଟାରିଆ ଓ ଜିଲାପାଳ ରଘୁରାମ ଆର. ଆୟରଙ୍କୁ ଭେଟିଛି । ଚାମେଲିଙ୍କ ପ୍ରସଙ୍ଗକୁ ନେଇ କେନ୍ଦ୍ରାପଡ଼ା ରାଜନୀତିରେ ଅଦିନିଆ ଜ୍ୱର ଦେଖା ଦେଇଛି । ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ହୁଲସ୍ତୁଲ ହେଉଛି । କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ଉପରେ ହୋଇଥିବା ଅକ୍ରମଣ ଘଟଣା ପରେ ଚାମେଲି ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ତାଙ୍କ ଅଭିଯୋଗପତ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟକୁ ପଠାଇଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବିଧାୟକଙ୍କ ସମର୍ଥକମାନେ ତାଙ୍କୁ ଧମକ ଦେଇଥିଲେ ୧୯୮୦ ଦଶକରେ ଅବିଭକ୍ତ କଟକ ଜିଲା(ଏବେ ଜଗତସିଂହପୁର ଜିଲା)ରେ ଥିବା ବିଲୁଆଖାଇ ନଦୀରେ ଯେପରି ଛବିରାଣୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଠିକ ସେହିଭଳି ତାଙ୍କୁ ଗଣଦୁଷ୍କର୍ମ କରାଯିବ । ତେଣୁ ତାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିଛନ୍ତି । ସେ ଏଥିରେ ଉଲ୍ଲେଖ କରିଛନ୍ତି ଯେ, ମହାକାଳପଡ଼ା ବିଧାୟକଙ୍କ ଗୁଣ୍ଡାମାନେ ତାଙ୍କ ମୋବାଇଲ ଛଡାଇ ନେବା ପାଇଁ ଉଦ୍ୟମ କରିଥିଲେ । ପୁଲିସ ତାଙ୍କୁ ଥାନାକୁ ନେବା ବେଳେ ଗାଡିରେ ତାଙ୍କ ଛାତିକୁ ମାଡ ମାରି ତାଙ୍କ ଫୋନ ଛଡାଇ ନେଇଥିଲେ । ବିଧାୟକଙ୍କ ଗୁଣ୍ଡାମାନେ ତାଙ୍କୁ ଗଣଦୁଷ୍କର୍ମ କରିବା ପାଇଁ ଯେଉଁ ଧମକ ଦେଇଥିଲେ ତାହାର ପ୍ରମାଣ ତାଙ୍କ ମୋବାଇଲ ଫୋନରେ ରହିଛି । ତେଣୁ ବିଧାୟକଙ୍କ ଗୁଣ୍ଡାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ତାଙ୍କ ଭାଇ ସୂର୍ଯ୍ୟକାନ୍ତଙ୍କୁ ପୁଲିସ ମାଡ ମାରିଛି । ତାଙ୍କ ଫୋନ ଛଡାଇ ନେବା ସହ ତାଙ୍କ ନାମରେ ମିଛ ମାମଲା ରୁଜୁ କରି ଜେଲ ପଠାଇଛି । ତେଣୁ ତାଙ୍କ ପ୍ରତି ଯେଉଁ ଅନ୍ୟାୟ କରାଯାଇଛି ତାହାର ବିଚାର କରାଯାଇ ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଚାମେଲିଙ୍କ ଉପରେ ଆକ୍ରମଣକୁ ନେଇ ଗ୍ରୀନ ନୋବେଲ ପୁରସ୍କାର ପାଇଥିବା ପ୍ରଫୁଲ୍ଲ ସାମନ୍ତରା କେନ୍ଦ୍ରାପଡ଼ା ଡାକ୍ତରଖାନାରେ ପହଞ୍ଚି ଚାମେଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି । ଏହାସହ ମୁଖ୍ୟ ଶାସନ ସଚିବଙ୍କୁ ଶ୍ରୀ ସାମନ୍ତରା ଏକ ଅଭିଯୋଗପତ୍ର ପଠାଇଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ରାଜନୈତିକ ଉଦେ୍ଦଶ୍ୟକୁ ଚରିତାର୍ଥ କରିବାକୁ ଯାଇ ଜଣେ ଦଳିତ ଯୁବତୀଙ୍କ ଉପରେ ଅମାନୁଷିକ ଭାବେ ଆକ୍ରମଣ କରାଯାଇଛି । ମହାକାଳପଡ଼ା ବିଡିଓ ଉଦେ୍ଦଶ୍ୟମୂଳକ ଭାବେ ପଞ୍ଚାୟତର ଉନ୍ନୟନକାର୍ଯ୍ୟରେ ବାଧା ସୃଷ୍ଟି କରିଛନ୍ତି । ଏହାକୁ ପ୍ରତିବାଦ କରିବାରୁ ବିଧାୟକଙ୍କ ଗୁଣ୍ଡା ଓ ପୁଲିସ ଚାମେଲିଙ୍କ ଉପରେ ଆକ୍ରମଣ କରିଛନ୍ତି । ଏହାଦ୍ୱାରା ଓଡ଼ିଶାରେ ନାରୀମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ତେଣୁ ଚାମେଲିଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବା ପାଇଁ ସେ ଦାବି କରିଛନ୍ତି । ତାଙ୍କ ସହ ଗାନ୍ଧୀ ପିସ ଫାଉଣ୍ଡେସନର ଜାତୀୟ ସଂଯୋଜକ ଡ. ବିଶ୍ୱଜିତ, ଲୋହିଆ ଏକାଡେମୀର ସଂପାଦକ ଦେବ ପ୍ରସାଦ ରଏ ପ୍ରମୁଖ ଥିଲେ । ଏହି ଘଟଣାରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଜଣେ ମହିଳା ସରପଞ୍ଚ ନିଜ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟକୁ ଯାଇଥିବା ବେଳେ ତାଙ୍କ ଉପରେ ଆକ୍ରମଣ କରାଯିବା ଘଟଣା ଇଙ୍ଗିତ କରୁଛି ଯେ କେବଳ ମହାକାଳପଡ଼ାରେ ନୁହେଁ ବରଂ ସାରା ଓଡ଼ିଶାରେ ଆଇନ୍ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ଏବେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରେ ଗୁଣ୍ଡାରାଜ ଚାଲିଛି । ତାହାର ପ୍ରମାଣ ହେଉଛି ଜଣେ ମହିଳା ସରପଞ୍ଚଙ୍କୁ ଅମାନୁଷିକ ଭାବେ ଆକ୍ରମଣ । ବିଜେପି ଦଳର ଯେଉଁମାନେ ଦାୟିତ୍ୱରେ ଅଛନ୍ତି ତାଙ୍କ ନିଦେ୍ର୍ଦଶରେ ଏହି ଆକ୍ରମଣ କରାଯାଇଛି । ଚାମେଲି ନିଜେ ବିଜେପି ଦଳର ବୋଲି ଘୋଣଷା କରିଛନ୍ତି । ଜଣେ ପଞ୍ଚାୟତ ପ୍ରତିନିଧି ଭାବେ ନିଜ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ସଂକ୍ରାନ୍ତରେ ଅଭିଯୋଗ ନେଇ ବିଡିଓଙ୍କୁ ପାଖକୁ ଯାଇଥିଲେ । କିନ୍ତୁ ପ୍ରଶାସନ ପକ୍ଷରୁ ତାଙ୍କ ପ୍ରତି ଯେଉଁ ଆଚରଣ କରାଗଲା ତାହା ଗ୍ରହଣୀୟ ନୁହେଁ ବୋଲି ଅତନୁ କହିଛନ୍ତି । କେନ୍ଦ୍ରାପଡ଼ା ଜିଲା ସରପଞ୍ଚ ସଂଘ ପକ୍ଷରୁ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଏସପିଙ୍କ ନିକଟରେ ଅଭିଯୋଗ କରାଯାଇଛି । ସଂଘ ଅଭିଯୋଗ କରିଛି ଯେ ତୃଣମୂଳ ସ୍ତରରେ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବାରେ ସରପଞ୍ଚମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିରେ ବିଡିଓ ସହଯୋଗ କରିବା ଉଚିତ । କିନ୍ତୁ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇଥିବା ସରପଞ୍ଚଙ୍କୁ ବିଡିଓଙ୍କ ଦଲାଲମାନେ ଆକ୍ରମଣ କରିବା ଓ ପରେ ପୁଲିସ ତାଙ୍କୁ ଥାନାକୁ ଆଣି ଥାର୍ଡ ଡିଗ୍ରୀ ଦେବା ଏକ ଧର୍ତ୍ତବ୍ୟ ଅପରାଧ । ଏହାର ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ଦାବି କରିଛି । ମହାକାଳପଡ଼ା ବିଜେପି ନେତା ସୌଭାଗ୍ୟ ପରିଡ଼ା ଏସପି ସିଦ୍ଧାର୍ଥ କଟାରିଆଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ, ଜଣେ ମହିଳା ସରପଞ୍ଚଙ୍କୁ ଆକ୍ରମଣ କରିଥିବା ଗୁଣ୍ଡାମାନଙ୍କୁ ତୁରନ୍ତ ଗିରଫ କରାଯାଉ । ଏସପି ଶ୍ରୀ କଟ୍ଟାରିଆ କହିଛନ୍ତି ସମସ୍ତ ଅଭିଯୋଗ ଉପରେ ତଦନ୍ତ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ବିଡିଓଙ୍କ କାର୍ଯ୍ୟାଳୟର ସିସିଟିଭି ଫୁଟେଜ ସଂଗ୍ରହ କରାଯାଇଛି । ଏଥିରେ ଯେଉଁମାନେ ସଂପୃକ୍ତ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ