
ଖୋର୍ଦ୍ଧା,, ୧୨ ଜୁନ୍ (ହି.ସ.) କନ୍ଧମାଳରୁ ଭୁବନେଶ୍ୱର ଚୋରା ଗଞ୍ଜେଇ ଚାଲାଣ ଚାଲିଥିବା ବେଳେ ଆଜି ଅବକାରୀ ବିଭାଗ ଚଢ଼ଉ କରି ଦୁଇ ସ୍ଥାନରୁ ଦୁଇଟି କାର୍ରୁ ଗଞ୍ଜେଇ ଜବତ କରିଛି। ଉଭୟ କାର ଭିତରେ ଥିବା ଛଅ ଜଣଙ୍କୁ ମଧ୍ୟ ଗିରଫ କରିଛି। ପ୍ରଥମେ ଖୋର୍ଦ୍ଧା ବାଇପାସ୍ ରୋଡ୍ ନିକଟରେ ଏକ ମାରୁତି ସୁଜୁକି କାର୍ ଯୋଗେ (ଓଡ଼ି୦୨ସିସି-୭୩୫୬) ତିନି ଜଣ ଅଭିଯୁକ୍ତ ୨୨କେଜି ଗଞ୍ଜେଇ ନେଇ ଭୁବନେଶ୍ୱର ଯାଉଥିବା ବେଳେ ଅବକାରୀ ପୋଲିସ ମାଡ଼ି ବସିଥିଲା। ଗାଡ଼ି ସହିତ ଘଟଣାସ୍ଥଳରୁ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଶୋଭେନ ବାଘ, ସଲିମ ହାତୀ, ସୁରେନ୍ଦ୍ର କହଁର। ଶୋଭେନ୍ ଓ ସଲିମ୍ର ଘର ବୌଦ୍ଧ ଜିଲ୍ଲା ପୁରୁଣା କଟକ ଅଞ୍ଚଳରେ ହୋଇଥିବା ବେଳେ ସୁରେନ୍ଦ୍ରଙ୍କର ଘର କନ୍ଧମାଳ ଫିରିଙ୍ଗିଆ ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେହିପରି ଦ୍ୱିତୀୟ କାର୍ଟି କନ୍ଧମାଳ ଅଞ୍ଚଳରୁ (ଓଡି୦୭-ବିଏ -୦୬୨୧) ଏକ କାର୍ ଯୋଗେ ତିନି ଜଣ ଅଭିଯୁକ୍ତ ୩୦କେଜି ଗଞ୍ଜେଇ ନେଇ ଯାଉଥିବା ବେଳେ ଡ଼ାଳତୋଳା ଛକଠାରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍ କାରକୁ ଅଟକାଇ ସେଥିରୁ ୨୨କେଜି ଗଞ୍ଜେଇ ସହ ତିନି ଜଣ ନିଶା ମାଫିଆଙ୍କୁ ଗିରଫ କରିଛି। ଗିରଫ ତିନି ଅଭିଯୁକ୍ତ ହେଲେ, ସୁବତ୍ର ଦିଗାଲ୍, ସୁଧୀର ଦିଗାଲ୍ ଓ ଶ୍ରୀଧର ଦିଗାଲ୍। ସମସ୍ତଙ୍କର ଘର କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅଞ୍ଚଳରେ। ପୋଲିସ ଦୁଇ କାର୍କୁ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ଲକ୍ଷ ୨୦ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୁକ୍ତମାନଙ୍କୁ ଆଜି ଚାଲାଣ କରାଯାଇଛି ବୋଲି ଖୋର୍ଦ୍ଧା ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଅବକାରୀ ଅଧୀକ୍ଷକ ସୁମତି ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
----------------
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ