
ଜୟପୁର, ୧୨ ଜୁନ୍ (ହି.ସ.) - ଓଡିଶାରେ ଜଣେ କର୍ତବ୍ୟନିଷ୍ଠ ଓ ଜନସେବା ପାଇଁ ସମର୍ପିତ ମନୋଭାବ ନେଇ ନିଜର କାର୍ଯ୍ୟ ଦକ୍ଷତା ଜାରି ରଖିଥିବା ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ଶୁକ୍ରବାର ନିର୍ବାଚନ ମଣ୍ଡଳୀର ବୋରିଗୁମ୍ମା ପଂଚାୟତ ପୁରୁଣା ବୋରିଗୁମ୍ମା, ନୂଆଗୁଡା, ଆମିଡ଼ିଗୁଡା ଗ୍ରାମରେ ପହଂଚି ସ୍ଥାନୀୟ ଜନସାଧାରଣଙ୍କୁ ଭେଟି ଗ୍ରାମାଂଚଳରେ ରହିଥିବା ସମସ୍ୟା, ଚାଷିଙ୍କ ସମସ୍ୟା,ପାନୀୟ ଜଳ, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟସେବା ପ୍ରମୁଖ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ ଓ ଲୋକଙ୍କ ଅଭିଯୋଗ ପରେ ଘଟଣାସ୍ଥଳରୁ ବିଭାଗୀୟ ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରି ଶୀଘ୍ର ସମାଧନ କରିବାକୁ ପଦକ୍ଷେପ ନେବାକୁ ନିର୍ଦେଶ ଦେଉଥିଲେ। ଲୋକ ସମସ୍ୟା ସମାଧାନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୋଲି ପ୍ରତିଶୃତି ଦେଇଥିଲେ । ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କ ଦୈନନ୍ଦିନ ସମସ୍ୟା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଆଗାମୀ ଦିନରେ ଏହି ସମସ୍ୟାଗୁଡିକର ସମାଧାନ ପାଇଁ ପ୍ରଶାସନ ସ୍ତରରେ ଆବଶ୍ୟକ ପଦେକ୍ଷେପ ନେବାପାଇଁ ପ୍ରତିଶୃତି ଦେଇଥିଲେ । ବୋରିଗୁମ୍ମା ବ୍ଲକ କାମତା ଗ୍ରାମସ୍ଥିତ ଧାନ ମଣ୍ଡିରେ ଗତ ୨୬ ତାରିଖ ଠାରୁ ଚାଷୀଙ୍କୁ ଟୋକେନ ପ୍ରଦାନ କରାଯାଇଛି । ମାତ୍ର କିଛି ଚାଷୀଙ୍କ ଧାନ କ୍ରୟ ହୋଇଥିବାବେଳେ ବଳକା ଚାଷୀଙ୍କ ଧାନ କ୍ରୟ କରାଯାଉନାହିଁଜ୍ଝ ତେଣୁ ତୁରନ୍ତ ଚାଷୀଙ୍କୁ ଟୋକେନ ପ୍ରଦାନ କରାଯାଇ ଧାନ କ୍ରୟ କରିବା ଦାବିନେଇ ଆଜି ମଧ୍ୟାହ୍ନରେ କାମତା ଅଂଚଳର ଚାଷୀମାନେ ବିଧାୟକ ଶ୍ରୀ ବାହିନୀପତିଙ୍କ ନିକଟରେ ମଣ୍ଡି ସମସ୍ୟା ନେଇ ଅବଗତ କରିଥିଲେ । ଚାଷୀଙ୍କ ଧାନ କ୍ରୟ ନେଇ ଅତିଶୀଘ୍ର ପଦେକ୍ଷେପ ଗ୍ରହଣ କରିବେବୋଲି ବିଧାୟକ ପ୍ରକାଶ କରିଥିଲେ । ବିଧାୟକ ଶ୍ରୀ ବାହିନୀପତି ଉପସ୍ଥିତ ସମସ୍ତ ନେତା ଓ କର୍ମୀଙ୍କୁ ଧନ୍ୟବାଦ ଜଣାଇବା ସହ ଲୋକଙ୍କ ଅଧିକାର, ବିକାଶ ଓ ଜନକଲ୍ୟାଣ ପାଇଁ କଂଗ୍ରେସ ଦଳ ସର୍ବଦା ସଂଘର୍ଷ ଜାରି ରଖିବ ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ କଂଗ୍ରେସ ସଭାପତି ଅଶୋକ କୁମାର ଗନ୍ତାୟତ,ଭାନୁ ଦୋରା, ସୁଧାକର ରାଓ, ବିଜୟ ନାରାୟଣ ସାହୁ,ଶରତ ଚନ୍ଦ୍ର ରଥ,ଦାସ ଭତ୍ରା,କମଲ ଲୋଚନ ମାଝୀ, ଗବର୍ଦ୍ଧନ ମାଝୀ,ରଘୁନାଥ ସମରଥ,ମଧୁ ପୂଜାରୀ, ଗୁରୁ ହରିଜନ, କମଲୁ ଅମନାତ୍ୟ, ସୁଶୀଲ ହରିଜନ ପ୍ରମୁଖ ଉପସ୍ଥିତ ରହିଥିଲେ। ବିଧାୟକଙ୍କ ଏହି ଜନ ସମ୍ପର୍କ ଯାତ୍ରାକୁ ବିଭିନ୍ନ ସ୍ଥାନରେ ଜନ ସାଧାରଣ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି