ଦେବର୍ଷି ନାରଦ ସମ୍ମାନରେ ସମ୍ମାନିତ ହେଲେ ବରିଷ୍ଠ ଓଡ଼ିଆ ସାମ୍ବାଦିକ
ନୂଆଦିଲ୍ଲୀ, ୧୭ ଜୁନ (ହି.ସ.) : ଇନ୍ଦ୍ରପ୍ରସ୍ଥ ବିଶ୍ୱ ସମ୍ବାଦ କେନ୍ଦ୍ର ଦ୍ୱାରା ଆୟୋଜିତ ଦେବର୍ଷି ନାରଦ ପତ୍ରକାର ସମ୍ମାନ ୨୦୨୬ ବରିଷ୍ଠ ଓଡ଼ିଆ ସାମ୍ବାଦିକ ଶାଶ୍ୱତ ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଛି I 2025 ବର୍ଷ ପାଇଁ ସ୍ତମ୍ବ ଲେଖନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ପାଣିଗ୍
ଦେବର୍ଷି ନାରଦ ସମ୍ମାନରେ ସମ୍ମାନିତ ହେଲେ ବରିଷ୍ଠ ଓଡ଼ିଆ ସାମ୍ବାଦିକ


ନୂଆଦିଲ୍ଲୀ, ୧୭ ଜୁନ (ହି.ସ.) : ଇନ୍ଦ୍ରପ୍ରସ୍ଥ ବିଶ୍ୱ ସମ୍ବାଦ କେନ୍ଦ୍ର ଦ୍ୱାରା ଆୟୋଜିତ ଦେବର୍ଷି ନାରଦ ପତ୍ରକାର ସମ୍ମାନ ୨୦୨୬ ବରିଷ୍ଠ ଓଡ଼ିଆ ସାମ୍ବାଦିକ ଶାଶ୍ୱତ ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଛି I 2025 ବର୍ଷ ପାଇଁ ସ୍ତମ୍ବ ଲେଖନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରୀ ପାଣିଗ୍ରାହୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।

ମଙ୍ଗଳବାର ଦିନ ନୂଆଦିଲ୍ଲୀସ୍ଥିତ କନଷ୍ଟିଟ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଶ୍ରୀ ପାଣିଗ୍ରାହୀଙ୍କ ସମେତ 12 ଜଣ ଜାତୀୟ ସ୍ତରର ସାମ୍ବାଦିକଙ୍କୁ ସାମ୍ବାଦିକତା ଓ ଗଣ ଯୋଗାଯୋଗର ଭିନ୍ନଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ଦେବର୍ଷି ନାରଦ ପତ୍ରକାର ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏନ୍.ଡି.ଟି.ଭି. ର ସି.ଇ.ଓ. ତଥା ମୁଖ୍ୟ ସମ୍ପାଦକ ରାହୁଲ କନୱଲ କୃତ୍ରିମ ବୁଦ୍ଧିମତ୍ତା (ଏ.ଆଇ.) ଯୁଗରେ ଦେବର୍ଷି ନାରଦଙ୍କର ଚିରନ୍ତନ ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ।

ସେ କହିଥିଲେ ଯେ, ଏ.ଆଇ. ବର୍ତ୍ତମାନ ସାମ୍ବାଦିକତା ସହ ପାରମ୍ପରିକ ଭାବେ ଜଡ଼ିତ ଅନେକ କାର୍ଯ୍ୟ ସମ୍ପାଦନ କରିବାରେ କ୍ରମଶଃ ସକ୍ଷମ ହେଉଥିଲେ ମଧ୍ୟ ସାମ୍ବାଦିକତାର ମୂଳ ସ୍ୱରୂପ ମାନବୀୟ ହୋଇ ରହିଛି।

ଭାରତର ସଭ୍ୟତାଗତ ସ୍ମୃତିରେ ପ୍ରଥମ ସଂବାଦବାହକ ଭାବେ ଦେବର୍ଷି ନାରଦଙ୍କ ଭୂମିକାକୁ ସ୍ମରଣ କରି କନୱଲ କହିଥିଲେ ଯେ, ତ୍ରିଲୋକ ଭ୍ରମଣ କରି ସେ ଭିନ୍ନଭିନ୍ନ ଜଗତ ମଧ୍ୟରେ ସେତୁବନ୍ଧ ସ୍ଥାପନ କରିଥିଲେ । ଯଦିଓ ପ୍ରଯୁକ୍ତିବିଦ୍ୟା ସାମ୍ବାଦିକତାକୁ ନିରନ୍ତର ରୂପାନ୍ତରିତ କରିଚାଲିଛି, କିନ୍ତୁ ସାମ୍ବାଦିକତାର ମୂଳତତ୍ତ୍ୱ ଲୁଚିରହିଛି ମାନବୀୟ ସମ୍ପୃକ୍ତତାରେ, ପ୍ରସଙ୍ଗକୁ ବୁଝିବାରେ ଏବଂ ସମ୍ପର୍କର ସେତୁ ନିର୍ମାଣ କରିବାରେ। ସେଥିପାଇଁ ଏ.ଆଇ. ଯୁଗରେ ଦେବର୍ଷି ନାରଦ ଖୁବ ପ୍ରାସଙ୍ଗିକ ବୋଲି ସେ ଅଭିବ୍ୟକ୍ତି କରିଥିଲେ I

ମୁଖ୍ୟବକ୍ତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆଂବେକର କହିଥିଲେଯେ ସାମ୍ବାଦିକମାନେ ସମାଜର ବାସ୍ତବ ଚିତ୍ର ଲୋକଙ୍କ ପାଖରେ ଉପସ୍ଥାପନ କରିବା ଉଚିତ, ଯାହାଦ୍ୱାରା ଏକ ଉନ୍ନତ ଓ ସୁସ୍ଥ ସମାଜ ଗଠନ ସମ୍ଭବ ହେବ I ରାଜନୈତିକ ଘଟଣାକ୍ରମ ଉପରେ ରିପୋର୍ଟ କରୁଥିବା ସାମ୍ବାଦିକମାନେ ରାଜନୀତିର ଅଂଶବିଶେଷ ନହେବା ପାଇଁ ସେ ମତବ୍ୟକ୍ତ କରିଥିଲେ I

ଡି.ଡି. ନ୍ୟୁଜ୍ର ମହାନିର୍ଦ୍ଦେଶିକା ମମତା ବର୍ମା; ଅମର ଉଜାଲା ଗ୍ରୁପ୍ର ବରିଷ୍ଠ ପରାମର୍ଶଦାତା ସମ୍ପାଦକ ରାଜ କିଶୋର; ଏନ.ଡି.ଟି.ଭି. ଇଣ୍ଡିଆର ପ୍ରବନ୍ଧ ସମ୍ପାଦକ ରୋହିତ ବିଶ୍ୱକର୍ମା; ନେଟୱର୍କ18ର ଗ୍ରୁପ୍ ସମ୍ପାଦକ (କନଭର୍ଜେନ୍ସ) ବ୍ରଜେଶ କୁମାର ସିଂହ; ଆଇ.ଟିଭି. ନେଟୱର୍କର ପ୍ରବନ୍ଧ ନିର୍ଦ୍ଦେଶିକା ଐଶ୍ୱର୍ୟା ପଣ୍ଡିତ; ଏବଂ ବ୍ଲୁକ୍ରାଫ୍ଟ ଫାଉଣ୍ଡେସନର ବରିଷ୍ଠ ଉପାଧ୍ୟକ୍ଷ ହରିଶଚନ୍ଦ୍ର ବର୍ଣ୍ଣୱାଲଙ୍କ ଦ୍ୱାରା ଗଠିତ ଏକ ବିଚାରକ ମଣ୍ଡଳୀ ଏହି ପୁରସ୍କାର ଚୟନ କରିଥିଲେ I

ଜଣେ ବରିଷ୍ଠ ମଲ୍ଟିମିଡିଆ ସାମ୍ବାଦିକ ଭାବେ ପରିଚିତ ଶ୍ରୀ ପାଣିଗ୍ରାହୀଙ୍କର ଡିଜିଟାଲ୍, ପ୍ରିଣ୍ଟ ଓ ଟେଲିଭିଜନ୍ ସାମ୍ବାଦିକତା କ୍ଷେତ୍ରରେ ଦୁଇ ଦଶନ୍ଧିର ଅଭିଜ୍ଞତା ରହିଛି। ଡିଜିଟାଲ୍ ସାମ୍ବାଦିକତାର ଜଣେ ଅଗ୍ରଦୂତ ଭାବେ ପରିଚିତ ଶ୍ରୀ ପାଣିଗ୍ରାହୀ ଦେଶର ଅନେକ ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥାରେ ଗୁରୁତ୍ୱପୂର୍ଣ୍ଣ ସମ୍ପାଦକୀୟ ଦାୟିତ୍ୱରେ କାର୍ଯ୍ୟ କରିଛନ୍ତି ।

ଜଣେ ସ୍ତମ୍ଭକାର ଭାବେ ସମକାଳିନ ଭାରତୀୟ ରାଜନୀତିକୁ ଆକାର ଦେବାରେ ତାଙ୍କର ଉଲ୍ଲେଖନିୟ ଯୋଗଦାନ ରହିଛି । ରାଜନୀତି ସହ ପ୍ରତିରକ୍ଷା, ବୈଦେଶିକ ନୀତି ଏବଂ ସାଂସ୍କୃତିକ ରାଷ୍ଟ୍ରବାଦ ଭଳି ବିଷୟ ଉପରେ ତାଙ୍କର ତଥ୍ୟଭିତ୍ତିକ ବିଶ୍ଳେଷଣ ଜାତୀୟ ବିମର୍ଶକୁ ସମୃଦ୍ଧ କରିଛି ।

ମୂଳତଃ ଭଦ୍ରକ ଜିଲ୍ଲାର ବାସିନ୍ଦା ଶ୍ରୀ ପାଣିଗ୍ରାହୀ ଓଡ଼ିଆ ଭାଷା ସାହିତ୍ୟର ଅବସରପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ ତଥା ବିଶିଷ୍ଟ କବି ପ୍ରଫେସର ହୃଦାନନ୍ଦ ପାଣିଗ୍ରାହୀ ଏବଂ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ କନକଲତା କରଙ୍କ ପୁତ୍ର ଅଟନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande