
ସମ୍ବଲପୁର, ୨୩ ଜୁନ୍(ହି.ସ.) – ସମ୍ବଲପୁର ଜିଲ୍ଲା କମାଣ୍ଡ ଏରିଆ ଡେଭଲପମେଂଟ ଅଥରିଟି ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇ. ପଦ୍ମଲୋଚନ ନାୟକଙ୍କ ସରକାରୀ ସେବା ଜୀବନ ପ୍ରାୟ ୩୫ ବର୍ଷ ଛୁଇଁଛି। ୧୯୬୭ ଫେବୃଆରୀ ୦୪ ତାରିଖରେ ଜନ୍ମିତ ଇ. ନାୟକ ୧୯୯୧ ଜୁଲାଇ ୧୧ରେ ଜୁନିୟର ଏଗ୍ରିକଲଚର ଇଞ୍ଜିନିୟର ଭାବେ ସରକାରୀ ଚାକିରିରେ ଯୋଗ ଦେଇଥିଲେ। ସେତେବେଳେ ତାଙ୍କର ପ୍ରାରମ୍ଭିକ ବେତନ ଥିଲା ମାତ୍ର ୨ ହଜାର ୬ ଶହ ଟଙ୍କା। ସେ ପ୍ରଥମେ ସମ୍ବଲପୁର ସିଏଡି ବିଭାଗରେ ନିଯୁକ୍ତି ପାଇଥିଲେ। ପରବର୍ତୀ ସମୟରେ ସୋନପୁର, କଟକ ଓ ବ୍ରହ୍ମପୁରର ବିଭିନ୍ନ ସିଏଡି ଓ ମାଇନର ଇରିଗେସନ ବିଭାଗରେ ଜେଏଇ ଭାବେ କାର୍ଯ୍ୟ କରିଥିଲେ। ୨୦୦୭ ମସିହାରେ ସେ ସହକାରୀ କୃଷି ଯନ୍ତ୍ରୀ ପଦକୁ ପଦୋନ୍ନତି ପାଇ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଏଡିଏଓ ସର୍କଲରେ ଯୋଗ ଦେଇଥିଲେ। ପରେ କଟକ ମୃତିକା ସଂରକ୍ଷଣ ଅଧିକାରୀ କାର୍ଯ୍ୟାଳୟ, ପ୍ରକଳ୍ପ ନିର୍ଦ୍ଦେଶକ ୱାଟରସେଡ୍ କାର୍ଯ୍ୟାଳୟ ଏବଂ ମାଲକାନଗିରି ଜିଲ୍ଲାର ବିଭିନ୍ନ ବିଭାଗରେ ଦାୟିତ୍ୱ ତୁଲାଇଥିଲେ। ୨୦୧୯ ମସିହାରେ ସେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦକୁ ପଦୋନ୍ନତି ପାଇଥିଲେ। ମାଲକାନଗିରି, ରାୟଗଡ଼ା ଓ ସମ୍ବଲପୁରର ସିଏଡିଏ ବିଭାଗରେ କାର୍ଯ୍ୟ କରିବା ପରେ ୨୦୨୩ ଡିସେମ୍ବର ୦୧ରେ ସେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦକୁ ପଦୋନ୍ନତି ପାଇ ସମ୍ବଲପୁର ସିଏଡିଏ(କାଡ଼ା) ବିଭାଗର ଦାୟିତ୍ୱ ଗ୍ରହଣ କରିଥିଲେ। ଲମ୍ବା ଚାକିରି କାଳ ମଧ୍ୟରେ ବହୁ ବାଦାନୁବାଦ ଘଟଣା ଘଟିଛି। ମାତ୍ର କେତେବେଳେ ସୁଧକୁ ନେଇ ତ କେତେବେଳେ ଉତ୍କୋଚର ମାତ୍ରାକୁ ନେଇ। ସବୁଠାରୁ ବଡ଼ କଥା ତାଙ୍କ ଦେଣନେଣ ଅଙ୍କରେ କେବେ ବି କୋଉଠି କାହାକୁ ଅଂଶୀଦାର ଭାବେ ଗ୍ରହଣ କରିନଥିଲେ। ଯଦ୍ୱାରା ବିରୋଧୀ ଓ ଚୁଗୁଲିଖୋରଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ସେହିମାନଙ୍କ ଚକ୍ରବ୍ୟୁହରେ ଆଜି ଏହି ଦଶା ବୋଲି କିଛି କର୍ମଚାରୀଙ୍କ ସୂତ୍ରରୁ ଜଣାପଡ଼ିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ