
ଜୟପୁର, ୨୩ ଜୁନ୍(ହି.ସ.) – ଏନ୍ଡିଆର୍ଏଫ୍, ମୁଣ୍ଡଳୀ, କଟକର ୧୫ ଜଣିଆ ଦଳ, ଇନ୍ସପେକ୍ଟର ପି.କେ. ଯାଦବଙ୍କ ନେତୃତ୍ୱରେ ଏବଂ ହବିଲଦାର ଶ୍ରୀକାନ୍ତ ଦାଶ, ଏଚ୍ସି/ଜି.ଡି.ଆର୍.ଆର୍.ଦାସ, ସିଟି/ଜିଡି ପ୍ରଭାତ ପଟେଲ ଓ ସିଟି/ଜିଡି ସତ୍ୟବ୍ରତ ସାହୁଙ୍କ ସହଯୋଗରେ ଜୟପୁରସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଏବଂ ପିଏମ୍ଶ୍ରୀ ଉଚ୍ଚ ବିଦ୍ୟାଳୟରେ ଫାମେକ୍ସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ବିପର୍ଯ୍ୟୟ ପ୍ରସ୍ତୁତି, ପ୍ରତିକ୍ରିୟା ଓ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ସଚେତନ କରାଯାଇଥିଲା। ବନ୍ୟା, ଭୂମିକମ୍ପ, ଘଡ଼ଘଡ଼ି ସହ ବଜ୍ରପାତ, ସାପ କାମୁଡ଼ା ଏବଂ ଅନ୍ୟାନ୍ୟ ପ୍ରାକୃତିକ ଓ ମାନବ ସୃଷ୍ଟ ବିପଦ ସମୟରେ କିପରି ନିଜକୁ ସୁରକ୍ଷିତ ରଖିବେ ତାହା ବିଷୟରେ ଅବଗତ କରାଯାଇଥିଲା।
ଏନ୍ଡିଆର୍ଏଫ୍ ଦଳ ଦ୍ୱାରା ପ୍ରି-ହସ୍ପିଟାଲ ଟ୍ରିଟମେଂଟ, ପ୍ରାଥମିକ ଚିକିତ୍ସା, କାର୍ଡିଓ-ପଲ୍ମ୍ନାରୀ ରିସସିଟେସନ୍ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ପଦ୍ଧତି ଉପରେ ପ୍ରାୟୋଗିକ ପ୍ରଦର୍ଶନ କରାଯାଇଥିଲା। ବିପର୍ଯ୍ୟୟ ସମୟରେ ତ୍ୱରିତ ପ୍ରତିକ୍ରିୟା, ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ସମୁଦାୟ ଭିତିକ ପ୍ରସ୍ତୁତିର ଗୁରୁତ୍ୱ ବିଷୟରେ ମଧ୍ୟ ଜଣାଯାଇଥିଲା।
ଛାତ୍ରଛାତ୍ରୀମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ଅଗ୍ନିକାଣ୍ଡ, ଭୂମିକମ୍ପ ଓ ଅନ୍ୟାନ୍ୟ ଜରୁରୀ ପରିସ୍ଥିତିରେ କିପରି ସୁରକ୍ଷିତ ରହିବା ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ସମ୍ପର୍କରେ ବିସ୍ତୃତ ସଚେତନତା ପ୍ରଦାନ କରିଥିଲେ।
ଏହି ଅବସରରେ ଏନ୍.ଡି.ଆର୍.ଏଫ୍. ଦଳ ପକ୍ଷରୁ ବିଭିନ୍ନ ଜରୁରୀକାଳୀନ ପରିସ୍ଥିତିରେ ଉଦ୍ଧାର କୌଶଳ ଓ ପ୍ରାଥମିକ ଚିକିତ୍ସା ସମ୍ପର୍କିତ ବ୍ୟବହାରିକ ପ୍ରଦର୍ଶନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଏହି ପ୍ରଦର୍ଶନକୁ ଆଗ୍ରହର ସହ ଦେଖିବା ସହ ବିଭିନ୍ନ ପ୍ରଶ୍ନ ପଚାରି ସଠିକ୍ ତଥ୍ୟ ହାସଲ କରିଥିଲେ।
ବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ର ଓ ଛାତ୍ରୀ ମଧ୍ୟ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏପରି ସଚେତନତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଜ୍ଞାନ, ସଚେତନତା ଓ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ବେଶ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ବିଦ୍ୟାଳୟ ପକ୍ଷରୁ ଟିମ୍ କମାଣ୍ଡର ଶ୍ରୀ ପ୍ରଭାତ କୁମାର ଯାଦବ ଓ ତାଙ୍କ ଦଳକୁ ଧନ୍ୟବାଦ ଜଣାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି