
ଜୟପୁର, ୨୩ ଜୁନ୍(ହି.ସ.) – ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିସରରେ ନୂତନ ଯୁକ୍ତ-୩ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ବିଜୁ ଛାତ୍ର ସଂସଦ ପକ୍ଷରୁ ସହାୟତା କେନ୍ଦ୍ର ଖୋଲାଯାଇଥିଲା। ଏହାକୁ ଆଜି ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର କୁଳ ସଚିବ ମହେଶ୍ୱର ନାୟକ ବନ୍ଦ କରିଛନ୍ତି। ଏହାକୁ ବାହାର କରିବା ସମୟରେ ଏବିଭିପି ସଦସ୍ୟଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସଚିବ ବିଶ୍ୱବିଦ୍ୟାଳୟ ପରିସରରେ ଏପରି କେନ୍ଦ୍ର ହୋଇପାରିବ ନାହିଁ ବୋଲି କହି ପୋଲିସ ଉପସ୍ଥିତିରେ ବନ୍ଦ କରିଥିଲେ। ବିଶ୍ୱ ବିଦ୍ୟାଳୟ ବାହାରେ କରିବାକୁ ପରାମର୍ଶ ଦେଇଥିଲେ।
ନାମଲେଖା ପାଇଁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଦଲିଲପତ୍ର ଯାଂଚ, ବିଭାଗ ସମ୍ବନ୍ଧୀୟ ସୂଚନା, ଅନଲାଇନ ପ୍ରକ୍ରିୟା ଓ ବିଭିନ୍ନ ଶିକ୍ଷାଗତ ବିଷୟରେ ସହଯୋଗ ପ୍ରଦାନ କରାଯାଉଥିବା ଏଭିଭିପି ଓ ବିଜେଡି ତରଫରୁ ସୂଚନା ଦିଆଯାଇଛି। ନୂତନ ଛାତ୍ରଛାତ୍ରୀମାନେ କୌଣସି ସମସ୍ୟାର ସମ୍ମୁଖୀନ ନହେବା ସହ ସହଜରେ ନାମଲେଖା କରିପାରିବେ ବୋଲି ସଂଗଠନର ସଦସ୍ୟମାନେ ସହାୟତା କେନ୍ଦ୍ରରେ ଉପସ୍ଥିତ ରହି ମାର୍ଗଦର୍ଶନ ଦେବେ ବୋଲି ଯୁକ୍ତି ବାଢ଼ିଥିଲେ। ବିଶ୍ୱବିଦ୍ୟାଳୟ ପରିସରରେ ରାଜନୈତିକ ଦଳ ତରଫରୁ ଏପରି କାର୍ଯ୍ୟକ୍ରମକୁ ନାପସନ୍ଦ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ନିଜ ଏକ୍ସ ପେଜ୍ରେ ନୂତନ ବିଶ୍ୱବିଦ୍ୟାଳୟ ହେଉଛି ଜ୍ଞାନ, ଚରିତ୍ର ଓ ଭବିଷ୍ୟତ ଗଢ଼ିବାର ପବିତ୍ର ମନ୍ଦିର, ଏହା କୌଣସି ରାଜନୈତିକ ଦଳର ରଣକ୍ଷେତ୍ର ନୁହେଁ।
ଦୁଃଖ ଓ ଚିନ୍ତାର ବିଷୟ, ଗତ ଦୁଇଦିନ ଧରି ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପରିସରରେ ବିଭିନ୍ନ ରାଜନୈତିକ ଦଳ ଟେଂଟ ପକାଇ ଦଳୀୟ କାର୍ଯ୍ୟକଳାପ ଚଲାଇବା ଶିକ୍ଷାର ପରିବେଶକୁ କଳୁଷିତ କରୁଛି। ବିଶ୍ୱବିଦ୍ୟାଳୟର ସ୍ୱାୟତତା ଓ ଗରିମା ଉପରେ ଏହା ଏକ ସିଧାସଳଖ ଆଘାତ।
ଶିକ୍ଷା ଅନୁଷ୍ଠାନରେ ଯେତେବେଳେ ରାଜନୀତି ପ୍ରବେଶ କରେ, ସେତେବେଳେ ପ୍ରଶାସନର ଦୁର୍ବଳତା ସ୍ପଷ୍ଟ ହୋଇଯାଏ। କୁଳପତି ଓ ନିବନ୍ଧକଙ୍କ ଦାୟିତ୍ୱ ହେଉଛି କ୍ୟାମ୍ପସକୁ ଦଳୀୟ ପ୍ରଭାବମୁକ୍ତ ରଖିବା। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଏପରି କାର୍ଯ୍ୟକ୍ରମକୁ ବନ୍ଦ କରିଛନ୍ତି।
ମୁଁ ଦୃଢ଼ ଭାବେ ଦାବି କରୁଛି, ବିଶ୍ୱବିଦ୍ୟାଳୟ ପରିସରକୁ ରାଜନୈତିକ ପ୍ରଦର୍ଶନର ମଂଚରେ ପରିଣତ କରିଥିବା ବ୍ୟକ୍ତି ଓ ସଂଗଠନମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଉ। ଶିକ୍ଷାର ମନ୍ଦିରକୁ ବଂଚାଇବା ପାଇଁ ସମାଜର ସମସ୍ତ ସଚେତନ ନାଗରିକ ଜାଗ୍ରତ ହେବାର ସମୟ ଆସିଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି