

ସମ୍ବଲପୁର, ୭ ଜୁନ୍ (ହି.ସ.)- ସମ୍ବଲପୁର ଠାରେ ଆୟୋଜିତ ସର୍ବ ଭାରତୀୟ କବାଡି ଟୁର୍ଣ୍ଣାମେଣ୍ଟ ‘ସମ୍ବଲପୁର କପ୍’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଛନ୍ତି ।
କବାଡି କେବଳ ଏକ ଖେଳ ନୁହେଁ, ବରଂ ଏହା ଭାରତର ଗ୍ରାମାଞ୍ଚଳରୁ ସୃଷ୍ଟି ହୋଇ ଆଜି ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇଥିବା ଆମ ସଂସ୍କୃତିର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସମ୍ବଲପୁରର କ୍ରୀଡ଼ା ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ୨୫ କୋଟି ଟଙ୍କା ବ୍ୟୟରେ ଭି.ଏସ୍.ଏସ୍. ଷ୍ଟାଡିୟମର ପୁନର୍ବିକାଶ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୧୫ କୋଟି ଟଙ୍କା ବ୍ୟୟରେ ମଣ୍ଡଳିଆ ଖେଳ ପଡ଼ିଆଠାରେ ଏକ ଆଧୁନିକ ଫିଫା ଯୋଗ୍ୟତା ସମ୍ପନ୍ନ ଫୁଟବଲ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଜାରି ରହିଛି।
ଏହା ସହିତ ଯୁବ ଖେଳାଳିମାନଙ୍କ ପାଇଁ ୧୦୦ ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ, ଏକ ବହୁମୁଖୀ ଷ୍ଟାଡିୟମ ଏବଂ ଜିଲ୍ଲାର ସମସ୍ତ ୯ଟି ବ୍ଲକରେ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ବୁର୍ଲା ଓ ହୀରାକୁଦ ଇଣ୍ଡୋର ଷ୍ଟାଡିୟମର ଉନ୍ନୟନ ପାଇଁ ଡି.ପି.ଆର୍. ପ୍ରସ୍ତୁତି ଚାଲିଥିବା ବେଳେ କୁଳୁଣ୍ଡି ସ୍ଥିତ ସରକାରୀ କ୍ରୀଡ଼ା ମହାବିଦ୍ୟାଳୟକୁ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ କ୍ରୀଡ଼ା କେନ୍ଦ୍ର ଭାବେ ଗଢ଼ିତୋଳିବାକୁ ସରକାର କାର୍ଯ୍ୟ କରୁଛନ୍ତି।
ଅତୀତର ମହାନଦୀ ବାଲୁକା ଶଯ୍ୟାର କବାଡି ଖେଳଠାରୁ ଆରମ୍ଭ କରି ଆଜିର ଆଧୁନିକ ଷ୍ଟାଡିୟମ ପର୍ଯ୍ୟନ୍ତର ଯାତ୍ରାକୁ ମନେ ପକାଇ ମୁଖ୍ୟମନ୍ତ୍ରୀ ସମ୍ବଲପୁରର ଆନ୍ତର୍ଜାତୀୟ କ୍ରୀଡ଼ାବିତଙ୍କୁ ପ୍ରଶଂସା କରିଛନ୍ତି। ସେ ୨୦୦୪ ଦକ୍ଷିଣ ଏସୀୟ କ୍ରୀଡ଼ାର ସ୍ୱର୍ଣ୍ଣ ପଦକ ବିଜେତା ଭୀମ ବରାଡ ଏବଂ ୨୦୨୫ ଏସୀୟ ଯୁବ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ତଳାପଡ଼ାର ଝିଅ ପ୍ରିୟଙ୍କା ପ୍ରଧାନଙ୍କ ସଫଳତାକୁ ଯୁବପିଢ଼ିଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଛନ୍ତି।
ଖେଳରେ ଜୟ ଓ ପରାଜୟକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ଦର୍ଶାଇ, ସେ ସମସ୍ତ ଦଳର ଖେଳୁଆଡ଼ ମନୋଭାବକୁ ପ୍ରଶଂସା କରିବା ସହ ସଫଳ ଆୟୋଜନ ପାଇଁ ସ୍ଥାନୀୟ ବିଧାୟକ ଜୟ ନାରାୟଣ ମିଶ୍ର ଓ ଆୟୋଜକଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ ଓ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ